କେନ୍ଦୁଡ଼ିହି ନର୍ଥ ଲୌହଖଣିର ପରିବେଶୀୟ ଜନ ଶୁଣାଣୀ ସଫଳ
ଯୋଡ଼ା – ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଗୁଆଲି ପଞ୍ଚାୟତର କେନ୍ଦୁଡ଼ିହି ଠାରେ ଶୁକ୍ରବାର ମେସର୍ସ ରୁଙ୍ଗଟା ମାଇନ୍ସ ଲିମିଟେଡର କେନ୍ଦୁଡିହ ନର୍ଥ ଲୌହ ଖଣି ନିମନ୍ତେ ଅନୁଷ୍ଠିତ ପାରିବେଶୀୟ ଜନ ଶୁଣାଣୀ ଶତ ପ୍ରତିଶତ ସମର୍ଥନ ଲାଭ କରିଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦାବି ପୂରଣ କରିବା ନିମନ୍ତେ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବାବେଳେ ଜନ ଶୁଣାଣିରେ ଅଂଶ ଗ୍ରହଣ କରିଥିବା ପ୍ରଭାବିତ ଲୋକେ ଶତ ପ୍ରତିଶତ ଖଣି ସପକ୍ଷରେ ମତ ପ୍ରଦାନ କରିଥିବା ଜଣା ପଡିଛି।

ମେସର୍ସ ରୁଙ୍ଗଟା ମାଇବ୍ଧ ଲିମିଟେଡ୍ ଦ୍ଵାରା କେନ୍ଦୁଡ଼ିହି ଏବଂ ପାଣ୍ଡୁଲିପଶି ଗ୍ରାମରେ ୧୮୭.୮୬୨ ହେକ୍ଟର ପରିମିତ ଅଞ୍ଚଳରେ ସ୍ଥିତ କେନ୍ଦୁଡ଼ିହି ନର୍ଥ ଲୌହ ଖଣିଜ ବ୍ଲକ ଖଣିରୁ ବାର୍ଷିକ ୨.୬ ଏମଟିପିଏ ଆରଓଏମ ଲୌହ ଖଣିଜ (ସମୁଦାୟ ୪.୦୧୩୮ ଏମଟିପିଏ – ୨.୭ ଏମଟିପିଏ ଆରଓଏମ ଲୌହ ଖଣିଜ + ୧.୪୧୩୮ ଏମଟିପିଏ ବର୍ଜ୍ୟ) ଉତ୍ତୋଳନ କରିବା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ
ଏହି ପରିବେଶୀୟ ମଞ୍ଜୁରୀ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା କେନ୍ଦୁଝର ଏ ଡି ଏମ୍ ରବୀନ୍ଦ୍ର କୁମାର ପ୍ରଧାନ ସଭାରେ ସଭାପତିତ୍ବ କରିଥିବାବେଳେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରଶାନ୍ତ କର ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ମତାମତ ଗ୍ରହଣ କରିଥିଲେ। ଏହି ପ୍ରକଳ୍ପ ଦ୍ଵାରା ରାସ୍ତା,ପାନୀୟ ଜଳ,ସ୍ଥାନୀୟ ନିଯୁକ୍ତି, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ପାରିପାର୍ଶ୍ବିକ ବିକାଶ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଦିଗରେ କମ୍ପାନୀ କର୍ତ୍ତୁପକ୍ଷଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ପ୍ରଭାବିତ ଜନ ସାଧାରଣ ସମର୍ଥନ ପ୍ରଦାନ କରିଥିଲେ।

ଜନ ଶୁଣାଣୀରେ ପ୍ରଭାବିତ ଅଞ୍ଚଳର ୭୫ ଜଣ ମୌଖିକ ଭାବେ ମତ ରଖିଥିବାବେଳେ ସମସ୍ତେ ଖଣି ସପକ୍ଷରେ ମତ ଦେଇଥିଲେ। ରୁଙ୍ଗଟା କମ୍ପାନୀର ସି ଏସ ଆର ମୁଖ୍ୟ ଲଳିତ ମୋହନ ରାଉତ ଜନ ସାଧାରଣଙ୍କ ସମସ୍ତ ଦାବି ଶୁଣିବା ପରେ ସ୍ଥାନୀୟ ଅଞ୍ଚଳର ସବୁ ସମସ୍ୟାକୁ ଅଗ୍ରାଧିକାର ଦେଇ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ବଡ଼ବିଲ ତହସିଲଦାର ରାକେଶ ପଣ୍ଡା,ବଡ଼ବିଲ କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ନାୟକ ,ବଡ଼ବିଲ ଏସ, ଡି, ପି, ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ, ବଡ଼ବିଲ ଥାନା ଅଧିକାରୀ ଅଶୋକ ନାୟକ ,ପୁର୍ବତନ ବଡ଼ବିଲ ଆଇ ଆଇ ସି ରମାକାନ୍ତ ମୁଦୁଲି ,ରୁଗୁଡି ଥାନା ଅଧିକାରୀ ରବି ଶଙ୍କର ଭୋଇସା ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବନ୍ଦୋବସ୍ତ କରିଥିଲେ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।
