କେନ୍ଦ୍ର ସରକାରଙ୍କ ଯୋଜନାରେ ସମନ୍ୱିତ ବିକାଶରେ ଉଲ୍ଲେଖନୀୟ ସଫଳ ରୂପାୟନ ପାଇଁ କୋରାପୁଟ ପାଇଲା ମର୍ଯ୍ୟାଦାଜନକ “ପ୍ରଧାନମନ୍ତ୍ରୀ ନାଗରିକ ପ୍ରଶାସନ ଉତ୍କର୍ଷ ସମ୍ମାନ”

ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି କୋରାପୁଟ
କୋରାପୁଟ ଜିଲ୍ଲାରେ ୨୦୨୪ ବର୍ଷ ପାଇଁ ସମନ୍ୱିତ ବିକାଶ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଜିଲ୍ଲାକୁ ମିଳିଛି ମର୍ଯ୍ୟାଦାଜନକ ପ୍ରଧାନମନ୍ତ୍ରୀ ନାଗରିକ ପ୍ରଶାସନ ଉତ୍କର୍ଷ ସମ୍ମାନ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଠାରୁ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୧ ଏପ୍ରିଲ, ୨୦୨୫ ତାରିଖ ସୋମବାର ଦିନ ଆୟୋଜିତ ଏକ ଭବ୍ୟ ସିଭିଲ ସର୍ଭିସ ଡେ କାର୍ଯ୍ୟକ୍ରମ ସମାରୋହରେ ଯୋଗ ଦେଇ ଏହି ମର୍ଯ୍ୟାଦାଜନକ ପିଏମ ଏକ୍ସସିଲେନ୍ସୀ ଆୱର୍ଡ ଗ୍ରହଣ କରିଛନ୍ତି । ଶାସନରେ ଉତ୍କର୍ଷତା ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାରର ଲକ୍ଷ୍ୟ ରହିଛି ଏବଂ କୋରାପୁଟ ଜିଲ୍ଲାର ଚୟନ ହେଉଛି ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧତାର ପ୍ରମାଣ। ଏହି ପୁରସ୍କାର କେବଳ ଜିଲ୍ଲା ପାଇଁ ଗର୍ବ ଆଣିବା ସହ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଉଥିବା ବ୍ୟତିକ୍ରମ କାର୍ଯ୍ୟକୁ ମଧ୍ୟ ଆଲୋକିତ କରିପାରିଛି । ଏଥିଯୋଗୁଁ ଓଡ଼ିଶା ରାଜ୍ୟର ଗର୍ବ ଓ ଗୌରବ ଆଣିଦେଇଛି କୋରାପୁଟ ଜିଲ୍ଲା ।
ପୁରସ୍କାର ଗ୍ରହଣ କରି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ ଏହି ପୁରସ୍କାର କୋରାପୁଟର ପ୍ରତ୍ୟେକ ନାଗରିକଙ୍କ ସତ୍ୟନିଷ୍ଠାତା, ଉତ୍କୃଷ୍ଟତା ଏବଂ ପ୍ରଗତି ପାଇଁ ଥିବା ଦୃଷ୍ଟିଭଙ୍ଗୀକୁ ପ୍ରୋତ୍ସାହିତ କରିବ । ଏହି ପୁରସ୍କାର ଜିଲ୍ଲା ପ୍ରଶାସନର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ସତ୍ୟନିଷ୍ଠ ଓ ସାମୂହିକ ପ୍ରୟାସ ତାସହ କଠିନ ପରିଶ୍ରମର ଫଳଶ୍ରୁତି । ଏହି ପୁରସ୍କାର କୋରାପୁଟର ଜନସାଧାରଣ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ସମାବେଶୀ ଓ ସମନ୍ୱିତ ବିକାଶ ନିମନ୍ତେ ଥିବା ସେମାନଙ୍କ ପ୍ରଚେଷ୍ଟାକୁ ଅଧିକ ସଶକ୍ତ କରିବ । ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ପ୍ରତିପାଦନ କରି ଜିଲ୍ଲା ପ୍ରଶାସନ ଏହି ସଫଳତା ହାସଲ କରପାରିିଛି ବୋଲି ସେ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ୧୧ଟି ପ୍ରମୁଖ ଯୋଜନାର ବିଗତ ୧୮ ମାସ ମଧ୍ୟରେ ସଫଳ ରୂପାୟନ କରି କୋରାପୁଟ ଜିଲ୍ଲା ପ୍ରଶାସନ ଜନଜାତି ସଂପ୍ରଦାୟର ଜୀବନଜୀବିକାରେ ଆଶାତୀତ ଉନ୍ନତି ଆଣି ଅନ୍ତର୍ଭୁକ୍ତି ବିକାଶ ଏବଂ ପ୍ରଗତିର ଏକ ନୂତନ ସୂର୍ଯ୍ୟୋଦୟ ଆଣିପାରିଛି ।
ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଓ ମୁକ୍ତ ବିଜୁଳି ଯୋଜନା, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା, କିଷାନ କାର୍ଡ, ମିଶନ ଟିକାକରଣ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଘର ଘର ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଭଳି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ସଫଳତା ଆଣି କୋରାପୁଟ ଜିଲ୍ଲା ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇପାରିଛି ।
ଏହି ସମ୍ମାନ ଜାତୀୟ ସ୍ତରରେ କୋରାପୁଟର ପ୍ରତିଷ୍ଠାକୁ ସ୍ୱୀକୃତି ଦେବା ସହ ଅନ୍ୟ ଜିଲ୍ଲାଗୁଡ଼ିକୁ ଅନୁପ୍ରାଣିତ କରିବ ଏବଂ ସମଗ୍ର ଭାରତରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ କୈନ୍ଦ୍ରିକ ପ୍ରଶାସନ ଓ ନାଗରିକମାନଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁନିଶ୍ଚିତ କରିବ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ