କୋରାପୁଟ ଜିଲ୍ଲାରେ ବଜ୍ରପାତ ନେଲା ୦୪ ଜଣଙ୍କ ଜୀବନ

ପ୍ରାକୃତିକ ବିପର୍ଯ୍ୟୟ କାଳବୈଶାଖୀ ବର୍ଷା ସହ ବଜ୍ରପାତ କାରଣରୁ ବିଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ନୂଆଗାଁ ପଞ୍ଚାୟତ ଗାଲିଗାବଡ଼ର ଗ୍ରାମରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅମ୍ପାବାଲି ପଞ୍ଚାୟତ କନ୍ଧପୁଟାବନ୍ଧ ଗ୍ରାମରେ ବାପା, ଝିଅ ସହିତ ସମ୍ପର୍କୀୟ ମାଉସୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗେମେଲ କ୍ରିଷ୍ଣା, ଝିଅ ଗେମେଲ କାମି ଓ ସଂପର୍କୀୟ ମାଉସୀ ଗେମେଲ ତୁମ୍ବାଇ ।
ସୂଚନା ଅନୁଯାୟୀ, ଅମ୍ପାବାଲି ପଞ୍ଚାୟତର କନ୍ଧପୁଟାବନ୍ଧ ଗ୍ରାମର ଉକ୍ତ ତିନିଜଣ ସହ ଗେମେଲ ଓ୍ବାଲସି(ଗେମେଲ କ୍ରିଷ୍ଣାଙ୍କ ସ୍ତ୍ରୀ) ବୁଧୁବାର ମଧ୍ୟାହ୍ନ ୧୨ଟାରେ ଖରିଫ ଚାଷ ପାଇଁ ତୁମ୍ବାଇ ଗାଁ ନିକଟସ୍ଥ ଖେତଜମିକୁ ପ୍ରସ୍ତୁତ କରିବା କାମରେ ବ୍ୟସ୍ତ ରହିଥିବା ସମୟରେ ହଠାତ କାଳ ବୈଶାଖୀ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା। ବର୍ଷା ସହିତ ଘଡ଼ଘଡ଼ି ଯୋଗୁଁ ତିନି ଜଣ ଚାଷ ଜମି ନିକଟରେ ଥିବା ଗଛ ତଳେ ଆଶ୍ରୟ ନେବା ବେଳେ ହଠାତ୍ ଏକ ବଜ୍ରପାତ ହେବା ଯୋଗୁଁ ଘଟଣାସ୍ଥଳରେ ହିଁ ତିନିଜଣଙ୍କ ପ୍ରାଣବାୟୁ ଚାଲିଯାଇଥିଲା । କିନ୍ତୁ, ପୂର୍ବରୁ ହି କାମ ସାରି ସ୍ତ୍ରୀ ଓ୍ବାଲସି କିଛି ଦୂର ବାଟ ଚାଲି ଯାଇଥିଲେ ।ଖବର ପାଇ ଘଟଣାସ୍ଥଳକୁ ସୁଙ୍କି ପୋଲିସ ପହଞ୍ଚି ମୃତ ତିନିଜଣଙ୍କୁ ଜବତ କରି ନିକଟସ୍ଥ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଉକ୍ତ ଦୁଃଖଦ ଘଟଣାରେ ତହସିଲଦାର ଦେବେନ୍ଦ୍ର ଧାରୁଆ ରେଡକ୍ରସ ପକ୍ଷରୁ ୧୦,୦୦୦ଟଙ୍କା ଜରୁରୀକାଳୀନ ସହାୟତା ରାଶି ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଯୋଗାଇ ଦେଇଥିବା କହିଛନ୍ତି। ଜଣା ପଡ଼ିଛି। ଏହି ଘଟଣାରେ ତହସିଲଦାର ଖବରପାଇ ସୁଙ୍କି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଣିଥିଲେ । ସରକାରଙ୍କ ତରଫରୁ ଶବ ବ୍ୟବଛେଦ ପରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ତହସିଲଦାର ସୂଚନା ପ୍ରଦାନ କରିଛନ୍ତି ।
ଏପରି ଏକ ଅକସ୍ମିତ ଦୁଃଖଦ ଘଟଣାରେ କନ୍ଧପୁଟାବନ୍ଧ ଅଞ୍ଚଳରେ ଶୋକର ଛାଇ ଖେଳି ଯାଇଛି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ