କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ
ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କ କୋରାପୁଟ ଜିଲ୍ଲା ଗସ୍ତର ଦ୍ବିତୀୟ କାର୍ଯ୍ୟକ୍ରମ ରହିଥିଲା। ସେ ଦ୍ଵିତୀୟ ଦିନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ସୁନାବେଡ଼ା ହାଲ , ରାଜପୁଟ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ,ଦେଓମାଳୀ ଓ ପୁଙ୍ଗାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ଏବଂ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ବିଭିନ୍ନ ବିକାଶ ମୁଖୀ କାର୍ଯ୍ୟ ଓ ଶିକ୍ଷା ଅନୁଷ୍ଠାନର ପ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।ରାଜ୍ୟପାଳଙ୍କୁ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରୋଫେସର ନରସିଂହ ଚରଣ ପଣ୍ଡା, ଭାରପ୍ରାପ୍ତ କୁଳସଚିବ ଡ଼. ରାକେଶ କୁମାର ଲେଙ୍କା, ଅର୍ଥ ଅଧିକାରୀ ଶ୍ରୀ ଦୁର୍ୟୋଧନ ସେଠୀ, ବରିଷ୍ଠ ଅଧ୍ୟାପକ ଓ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଧିକାରୀମାନେ ଉତ୍ସାହପୂର୍ଣ୍ଣ ଭାବରେ ସ୍ୱାଗତ କରିଥିଲେ।ସମୀକ୍ଷା ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଣ୍ଡା ବିଶ୍ବବିଦ୍ୟାଳୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ବିଷୟରେ ଉପସ୍ଥାପନା କରିଥିଲେ । ମାନ୍ୟବର ରାଜ୍ୟପାଳ କହିଥିଲେ ଯେ ଗୁଣାତ୍ମକ ଶିକ୍ଷା ପାଇଁ ଗୁଣାତ୍ମକ ଶିକ୍ଷକ ଅତ୍ୟନ୍ତ ଆବଶ୍ୟକ। ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷକଙ୍କୁ ଦୃଷ୍ଟିରେ ରଖି କେଉଁ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବେ ତାହା ବାଛିପାରିବା ଅଧିକାର ରଖନ୍ତି।”

ସେ ବିଶ୍ୱବିଦ୍ୟାଳୟ ମାନ୍ୟତା ବଢ଼ାଇବା ପାଇଁ ଦୁଇଟି ପ୍ରଧାନ ମାନକ ଉପରେ ଜୋର ଦେଇଥିଲେ – ଗୁଣାତ୍ମକ ଶିକ୍ଷକ ଚୟନ ଓ ରାଙ୍କି/ଗ୍ରେଡିଂ ପ୍ରଣାଳୀରେ ଉନ୍ନତି।ଡ଼. କମ୍ଭମପାଟି ବିଶ୍ୱବିଦ୍ୟାଳୟରେ ନାମଲେଖା ହ୍ରାସ ପଛରେ ଥିବା ଚ୍ୟାଲେଞ୍ଜଗୁଡ଼ିକୁ ଚିହ୍ନଟ କରି ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ସେ ବସ୍ତୁନିଷ୍ଠ ଏବଂ ସ୍ଥାୟୀ ଶିକ୍ଷକ ଓ ଅଶିକ୍ଷକ କର୍ମଚାରୀ ନିଯୁକ୍ତି ଆବଶ୍ୟକ ଥିବା କଥା ଉପସ୍ଥାପନ କରିଥିଲେ।ସେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ବିଷୟରେ ଜାଣି ସନ୍ତୋଷ ପ୍ରକାଶ କରିଥିଲେ ଓ ନୂଆକରି ଆରମ୍ଭ ହୋଇଥିବା ବିଭିନ୍ନ ବିଷୟଗୁଡ଼ିକୁ ଭବିଷ୍ୟତ ମୁଖୀ ବୋଲି କହି ସେମାନଙ୍କର ରାଜ୍ୟ ଓ ରାଷ୍ଟ୍ରରର ଆବଶ୍ୟକତାକୁ ଧ୍ୟାନରେ ରଖି ଆରମ୍ଭ କରାଯାଇଥିବା ଉପରେ ଆନନ୍ଦ ପ୍ରକାଶ କଲେ।କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋଟପାଡ ବିଧାୟକ ରୁପୁ ଭତ୍ରା, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଏସପି ରୋହିତ ବର୍ମା, ପ୍ରଫେସର ରଥିକାନ୍ତ କୁମ୍ଭାର, ପ୍ରଫେସର ଭାରତ କୁମାର ପଣ୍ଡା, ବିଭିନ୍ନ ବିଭାଗ ମୁଖ୍ୟମାନେ, ବିଶ୍ୱବିଦ୍ୟାଳୟର ଉପ କୁଳସଚିବ ଡ଼.ଦିଲ୍ଲୀପ କୁମାର ପଟ୍ଟନାୟକ, ଲୋକସଂପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ, ନିର୍ବାହୀ ଇଞ୍ଜିନିୟର ଶ୍ରୀରାମ ପାଢୀ, ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ ସାମନ୍ତରାୟ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ସୁନାବେଡ଼ା ସ୍ଥିତ ସୁଖୋଇ ଇଞ୍ଜିନ ପରିଦର୍ଶନ କରିବା ସହ ହାଲ ସଭାଗୃହ ଠାରେ ଅଧିକାରୀ ମାନଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି କିପରି ପ୍ରସ୍ତୁତ କରାଯାଉଛି ଏବଂ ଏହାର ବିକ୍ରି କିପରି କରାଯାଉଛି ତାହାକୁ ନେଇ ମହିଳା ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ । ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ,କୋରାପୁଟ ବିଧାୟକ ରଘୁରାମ ମାଛ, ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବରିଆ, ଉପାଧ୍ୟକ୍ଷ ଶିବ ବାଙ୍ଗାରି , ସରପଞ୍ଚ ପି.କେ.କିରସାନିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏହାପରେ ରାଜ୍ୟପାଳ ପର୍ଯ୍ୟଟନ ସ୍ଥଳୀ ଦେଓମାଳି ପରିଦର୍ଶନ କରିଥିଲେ।

ଦେଓମାଳି ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ କଣ କଣ କାର୍ଯ୍ୟକ୍ରମ ରହିଛି ଏବଂ ଆହୁରି କଣ ଦରକାର ତାହାକୁ ନେଇ ରାଜ୍ୟପାଳ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓଙ୍କୁ ପଚାରି ବୁଝି ଥିଲେ।ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବା ପରେ ପୁଙ୍ଗାର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ଏଠାରେ ବିଭିନ୍ନ ବିଭାଗ ଦ୍ବାରା କରାଯାଇଥିବା ଉନ୍ନୟନମୂଳକ ଷ୍ଟଲ ପରିଦର୍ଶନ କରିବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ।ଏହାପରେ ମହିଳା ଗୋଷ୍ଠୀ ସଦସ୍ୟା, ଲକ୍ଷପତି ଦିଦି ଏବଂ ସୁଭଦ୍ରା ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ କୋରାପୁଟ ଫେରି ଆସିଥିଲେ।କୋରାପୁଟ ଜିଲ୍ଲାପାଳ ଓ କୋରାପୁଟ ଏସପିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ସଚିବ ରୂପା ରୋସନ ସାହୁ ମଧ୍ୟ ଉପସ୍ଥିତ ଥିଲେ।।ଆସନ୍ତାକାଲି ବୁଧୁବାର ଦିନ ରାଜ୍ୟପାଳଙ୍କ ମାଲକାନଗିରି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।୧୧ ତାରିଖ ଗୁରୁବାର ଦିନ କୋରାପୁଟ ଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
