July 1, 2025
Home » ଖଣି ଓ ପରିବହନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ,ବେଆଇନ ବାଲି ଚୋରାଚାଳାଣ ଉପରେ କଡା ଅଭିଯାନ, ସୂଚନା ଫଳକ ଲଗାଇବା ଉପରେ ଗୁରୁତ୍ୱ l

ଖଣି ଓ ପରିବହନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ,ବେଆଇନ ବାଲି ଚୋରାଚାଳାଣ ଉପରେ କଡା ଅଭିଯାନ, ସୂଚନା ଫଳକ ଲଗାଇବା ଉପରେ ଗୁରୁତ୍ୱ l

0
WhatsApp Image 2025-05-12 at 5.41.50 PM

ମାନ୍ୟବର ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ, ଓଡିଶା ଶ୍ରୀ ବିଭୂତି ଭୂଷଣ ଜେନା ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସର୍କିଟ୍ ହାଉସ୍‌ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଖଣି ଓ ପରିବହନ ବିଭାଗର କାର୍ଯ୍ୟ ପରିଚାଳନାର ସମୀକ୍ଷା କରିଥିଲେ।
ମନ୍ତ୍ରୀ ବେଆଇନ ବାଲି ଚୋରାଚାଳନ ବିରୋଧରେ କଡା ଅଭିଯାନ ଆରମ୍ଭ କରିବା ଓ ସମସ୍ତ ବାଲି ଘାଟ/ସୈରତରେ ସୂଚନା ଫଳକ ସ୍ଥାପନ କରିବାକୁ ସପ୍ତାହ ମଧ୍ୟରେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଥିଲେ। ଏହି ଫଳକରେ ଘାଟର ନାମ, ମାଲିକ, ଲାଇସେନ୍ସ ସଂଖ୍ୟା, ଦୈନିକ ଉଠାଣ ଲକ୍ଷ୍ୟ, ମହଜୁଦ ପରିମାଣ ଓ ଅନ୍ୟାନ୍ୟ ତଥ୍ୟକୁ ଉପଲବ୍ଧ କରିବା ଉପରେ ପରାମର୍ଶ ଦେଇଥିଲେ ।ସେ ଏହି ଅବସରରେ ଅନୁମୋଦିତ ରାସ୍ତା ମାଧ୍ୟମରେ କେବଳ ବାଲି ବୋଝାଇ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେବା ଓ ଘାଟ ଉପରେ ସିସିଟିଭି କ୍ୟାମେରା, ଗାଡ଼ିରେ ଜିପିଏସ ଲଗାଇ ଟ୍ରାକିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦ୍ଦ୍ୱାରା ବେଆଇନ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଏବଂ ସରକାରୀ ରାଜସ୍ୱ ବୃଦ୍ଧି ସୁନିଶ୍ଚିତ କରାଯାଇପାରିବ ବୋଲି ସୂଚିତ କରିଛନ୍ତି।ଏହି ବୈଠକରେ ସେ ପରିବହନ ବିଭାଗର ଗତ ବର୍ଷର ରାଜସ୍ୱ ଆଦାୟ, ଏନ୍ଫୋରସମେଣ୍ଟ କାର୍ଯ୍ୟକଳାପ, ଅମାନିଆ ଚାଳନା, ମଦୁଆ ଚାଳକ, ଓଭରଲୋଡିଂ ଓ ଶୋ-ରୁମ ଷ୍ଟକ ଯାଞ୍ଚ ଇତ୍ୟାଦି ବିଷୟରେ ଅଧିକାରୀଙ୍କ ନିକଟରୁ ବିସ୍ତୃତ ତଥ୍ୟ ଅନୁଧ୍ୟାନ କରିଥିଲେ। ସେ ଦୁର୍ଘଟଣା ପ୍ରବଣ ସ୍ଥାନ, ସ୍ବାସ୍ଥ୍ୟ ଯୋଜନା (FTTF) ରେ ଆହତଙ୍କ ସହାୟତା, ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ବିଷୟରେ ମଧ୍ୟ ବୈଠକରେ ସମୀକ୍ଷା କରିଥିଲେ ।

ବୈଠକର ଆରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ସ୍ୱାଗତ ଭାଷଣ ଦେଇଥିଲେ, ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଧନ୍ୟବାଦ ଜଣାଇଥିଲେ। ବୈଠକରେ ଉପସ୍ଥିତ ଥିବା ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ଉପଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼ା. ସୌମ୍ୟ ରୂପା ରଥ, ଵୀରମହାରାଜପୁର ଉପଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ସି, ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପଲ୍ଲବୀ ରାଣୀ ରାଜ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ପରିବହନ ବ୍ୟବସ୍ଥାପକ ଏମ. ରାଜଲକ୍ଷ୍ମୀ, ଜିଲ୍ଲା ଖଣି ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମନ୍ତ୍ରୀ ଜିଲ୍ଲାରେ ଜନସେବା ଓ ବିକାଶକୁ ଅଧିକ ଲୋକାଭିମୁଖୀ ଭାବେ ଗଢ଼ିବା ପ୍ରୟାସ ଜାରି ରଖିବା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗ ସମନ୍ୱୟ ପୂର୍ବକ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *