February 7, 2026
Home » ଖାଦ୍ୟ ନପାଇ ପଲିଥିନ୍ ଢଙ୍କା କୁଡ଼ିଆରେ ମାଙ୍କିଡ଼ିଆଙ୍କ ମୃତ

ଖାଦ୍ୟ ନପାଇ ପଲିଥିନ୍ ଢଙ୍କା କୁଡ଼ିଆରେ ମାଙ୍କିଡ଼ିଆଙ୍କ ମୃତ

0
WhatsApp Image 2025-11-02 at 7.08.19 PM

ଯାଜପୁର:(ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ)ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ମହ୍ଲାରସାହି ମାଙ୍କିଡ଼ିଆ ବସ୍ତିର ବୃଦ୍ଧ ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ ହୋଇଛି। ଗତବର୍ଷ ଜୁଲାଇ ମାସରେ ତାଙ୍କୁ ଅନ୍ତ୍ୟୋଦୟ ରାସନ କାର୍ଡ(୧୩୧୦୨୧୧୫୯୯) ମିଳିଥିଲେ ହେଁ ଇ-କେୱାଇସି ଅପଡେଟ୍‌ ଆଳରେ ଗତ ଜୁନ ମାସରୁ ତାଙ୍କୁ ଆଉ ଚାଉଳ ମିଳିନଥିଲା। ସେ ଭିକ ମାଗି ଚଳୁଥିଲେ। ଜୁନ ଓ ଅଗଷ୍ଟ ମାସରେ ଡିଲର ତାଙ୍କୁ ଚାଉଳ ନଦେଇ ୨ ଥରଯାକ ଫେରାଇ ଦେଇଥିଲେ ବୋଲି ସଂପର୍କୀୟ ପୁତୁରା ଓ ପୁତୁରାବୋହୂ ଅଭିଯୋଗ କରନ୍ତି। ରିସା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଦୁର୍ବଳ ହୋଇ କତରା ଧରିଲେ। ଭିକ ମାଗିବାକୁ ଯାଇପାରିଲେନି। ଗତ ୨୨ ତାରିଖ ପଲିଥିନ୍ ଢଙ୍କା କୁଡ଼ିଆରେ ତାଙ୍କୁ ମୃତ ଅବସ୍ଥାରେ ଦେଖାଯାଇଥିଲା। ମୃତ୍ୟୁର ୨ ଦିନ ପୂର୍ବରୁ ରିସା କିଛି ଖାଇନଥିବା କହନ୍ତି ପୁତୁରାବୋହୂ ମେଞ୍ଜାରି ମାଙ୍କଡ଼ିଆ। ପ୍ରସଙ୍ଗକୁ କଂଗ୍ରେସ ଗୁରୁତ୍ବର ସହ ଗ୍ରହଣ କରିଛି।

ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସଙ୍କ ନେତୃତ୍ବରେ ପିସିସି ତଥ୍ୟ ଅନୁସନ୍ଧାନକାରୀ ଦଳ ଗତ ୨୭ ତାରିଖ ମାଙ୍କିଡ଼ିଆ ବସ୍ତିରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଗତ ୨୯ ତାରିଖରେ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଦଳ ପକ୍ଷରୁ ଅନୁଷ୍ଠିତ ‌ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଦାସ ରିସାଙ୍କ ମୃତ୍ୟୁକୁ ଅନାହାରର କାରଣ ଦର୍ଶାଇ ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲେ। ୩୦ ତାରିଖରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ନେତୃତ୍ବରେ ୧୫ ଜଣିଆ କଂଗ୍ରେସ ପ୍ରତିନିଧି ଦଳ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ତାଙ୍କ ଅଫିସରେ ଭେଟି ମାଙ୍କିଡ଼ିଆ ଓ ଆଦିମ ଜନଜାତିଙ୍କ ମୌଳିକ ଅଧିକାର ଓ ସମସ୍ୟା ସମାଧାନ ଦାବି କରିଥିଲେ।

ପୂର୍ବତନ ମନ୍ତ୍ରୀ ଶରତ ରାଉତ ଓ ଦେବାଶିଷ ନାୟକଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କଂଗ୍ରେସ ପ୍ରତିନିଧି ଦଳ ଶନିବାର ଦିନ ରାଜଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଭେଟି ରାଁସୋଳ ପଞ୍ଚାୟତର ମାଙ୍କିଡ଼ିଆ ବସ୍ତିରେ ରହୁଥିବା ମାଙ୍କିଡ଼ିଆମାନଙ୍କ ଦୟନୀୟ ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ସୁଧାଂଶୁ ଶେଖର ଦେଓ, ମାଗୁଣି ଜେନା, ମନୋଜ ରାଉତ, ହିମାଂଶୁ ଲେଙ୍କା, ଇଂ ବିଭୂ ଭୂଷଣ ରାଉତ, ମହେନ୍ଦ୍ର କୁମାର ଦାଶ, ଉମାକାନ୍ତ ଜେନାମଣି, ଦୟାନିଧି ପଲେଇ, ଜନ୍ମେଜୟ ବଳସାମନ୍ତ, ସ୍ବର୍ଣ୍ଣଲତା ବାନରା, ଝରଣା ମହାନ୍ତ ପ୍ରମୁଖ ମାଙ୍କିଡ଼ିଆମାନେ ବିପର୍ଯ୍ୟସ୍ତ ପରିବେଶରେ ରହୁଥିବା ସହ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ସମସ୍ୟାରେ ସନ୍ତୁଳି ହେଉଥିବା ଅଭିଯୋଗ କରିଥିଲେ। ସେଠାରେ ଆଦିମ ଜନଜାତିଙ୍କ ମାନବାଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇଥିଲେ।

ସେହିପରି ସକାଳ ରାଇଟ୍‌ ଟୁ ଫୁଡ କ୍ୟାମ୍ପେନ୍ ରାଜ୍ୟ ଆବାହକ ସମିତ ପଣ୍ଡା, ଜନସ୍ବାସ୍ଥ୍ୟ ଅଭିଯାନ ଆବାହକ ଗୌରାଙ୍ଗ ମହାପାତ୍ର, ସିଭିଲ ସୋସାଇଟି ଫୋରମର ମାନବାଧିକାର ଆବାହକ ରଞ୍ଜିତ ସୂତାର, ଖାଦ୍ୟ ଅଧିକାର ପ୍ରକଳ୍ପ ନିର୍ଦ୍ଦେଶକ ସାଗର ରାଜ ଓ ସାମାଜିକ କର୍ମୀ ମଣ୍ଟୁ ଦାସ ମାଙ୍କିଡ଼ିଆ ଚଳଣି ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଅପରାହ୍ଣରେ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି, ଯୋଗାଣ ଅଧିକାରୀ ଶୁଭାଙ୍ଗୀ ରାୟ ଓ ସରପଞ୍ଚ କନକଲତା ସର୍ଦ୍ଦାର ଏବଂ ସଂଧ୍ୟାରେ ଜିଲ୍ଲା ମୁଖ୍ୟ ‌‌ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ ମୃତ ରିସା ମାଙ୍କିଡ଼ିଆଙ୍କ କୁଡ଼ିଆରେ ତଦନ୍ତ କରିଥିଲେ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *