July 6, 2025
Home » ଗଣିଆରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ଗଣିଆରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

0
WhatsApp Image 2024-12-02 at 12.43.04 PM

ଗଣିଆ – ଶିକ୍ଷକ ଭବନ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ଉପସଭାପତି ହୃଷିକେଶ ମହାନ୍ତି, ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଉପସ୍ଥିତ ସାମ୍ବାଦିକ ମାନେ ମତବ୍ୟକ୍ତ କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ୍, ବୟସ୍କଙ୍କୁ ପେନସନ ପ୍ରଦାନ, ସ୍ବାସ୍ଥ୍ୟ ବୀମା ଯୋଜନାକୁ ବର୍ଦ୍ଧିତ କରିବାକୁ ସରକାରଙ୍କ ପାଖରେ ଦାବି ରଖିବାକୁ ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବହୁ ବରିଷ୍ଠ ସାମ୍ବାଦିକ ସାମ୍ବାଦିକ ଏକତା ବଜାୟ ରଖିବାକୁ ସମସ୍ତେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଫେବୃୟାରୀ ମାସରେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇ ପ୍ରମୁଖ ଦାବି ଗୁଡିକ ହାସଲ କରିବାକୁ ଚେଷ୍ଟା କରିବା ବୋଲି ରାଜ୍ୟ ସଭାପତି ବିଭୂତି ଭୂଷଣ କର ମତପୋଷଣ କରିଥିଲେ । ସାମ୍ବାଦିକ ମାନଙ୍କ ନାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ନୟାଗଡ଼ ଜିଲ୍ଲାର ୮ଟି ବ୍ଳକର ବ୍ଳକ ସଂଯୋଜକ, ଅନେକ ବରିଷ୍ଠ ସାମ୍ବାଦିକ ତଥା ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ପାଠକ ହିସାବରେ ଗଣିଆ ପାଟଣାସାହିର ଭୋଳେଶ୍ବର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ଼ ଜିଲ୍ଲାର ୮ଟି ବ୍ଳକର ପ୍ରାୟ ୧୫୦ରୁ ଅଧିକ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ତଥା ଯୁବ ସାମ୍ବାଦିକା ବିଜୟଲକ୍ଷ୍ମୀ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ବ୍ରଜ କିଶୋର ସାହୁ, ଗଣିଆ

Leave a Reply

Your email address will not be published. Required fields are marked *