ଗଣିଆ ଲଙ୍କା ପୋଡ଼ି ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳା ଉଦଘାଟିତ

ଗଣିଆ – ଗଣିଆ ଲଙ୍କା ପୋଡ଼ି ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳା ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ ବୋଲି ଯାତ୍ରା କମିଟି ତରଫରୁ ଜଣାପଡିଛି । ଉଦଘାଟନ ଉତ୍ସବରେ ଅତିଥି ମାନେ ପ୍ରଥମେ ଗଣିଆ ରାମ ମନ୍ଦିରରେ ଦର୍ଶନ କରିବା ପରେ ବାଜା,ବାଣ ରୋଷଣୀରେ ଏକ ବିଶାଳ ପଟୁଆରରେ ତାଙ୍କୁ ମହୋତ୍ସବ ପଡିଆକୁ ଅଣାଯାଇଥିଲା ।
ଅୟନ ଫାଉଣ୍ଡେସନ ଏବଂ ପ୍ରେସ କ୍ଳବ୍ ଗଣିଆ ତରଫରୁ ଆୟୋଜନ କରାଯାଇଥିବା ଜଳସେବା କାର୍ଯ୍ୟକ୍ରମକୁ କନ୍ଧମାଳ ସାଂସଦଙ୍କ ସମେତ ନୟାଗଡ଼ ବିଧାୟକ ଏବଂ ଦଶପଲ୍ଲା ବିଧାୟକ,ବ୍ଳକ ଅଧ୍ୟକ୍ଷା,ପ୍ରମୁଖ ଉପସ୍ଥିତ ରହି ଫିତାକାଟି ଉଦଘାଟନ କରିଥିଲେ । ଅୟନ ଫାଉଣ୍ଡେସନର ମୁଖ୍ୟ ଟ୍ରଷ୍ଟି ପଙ୍କଜ କୁମାର ସାହୁ,ପ୍ରେସ କ୍ଳବର ସଭାପତି ଦେବୀ ପ୍ରସାଦ ଦାଶଙ୍କ ସମେତ ପ୍ରେସ କ୍ଳବର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ । ଯାତ୍ରା କମିଟିର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଳକ ଅଧ୍ୟକ୍ଷା ଝୁନା ଜେନା,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଯାତ୍ରା କମିଟିର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ବେହେରା, ବିଭୂତି ଭୂଷଣ ପଣ୍ଡା, ସମ୍ପାଦକ ଉମାକାନ୍ତ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ।
ମଞ୍ଚାସୀନ ଅତିଥି ମାନେ ଧୁପପୁଷ୍ପ ଅର୍ପଣ କରି ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦଘାଟନ କରିଥିଲେ । ୪ ଦିନ ଧରି ଏହି ଯାତ୍ରା ମହୋତ୍ସବ ଏବଂ ପଲିଶ୍ରୀ ମେଳାକୁ ଉପଭୋଗ କରିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅତିଥି ମାନେ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ସନ୍ଧ୍ୟା ସମୟରେ ସ୍ଥାନୀୟ କଳା ପରିଷଦର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ମଣିଭଦ୍ରା ଖବର ପ୍ରାୟୋଜିତ “ମୋ ଗଣିଆ”ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା । କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢୀଙ୍କ ସଙ୍ଗୀତର ତାଳେ ତାଳେ ଝୁମି ଯାଇଥିଲେ ଉପସ୍ଥିତ ଦର୍ଶକ । ରାମ ମନ୍ଦିର ମୁଖ୍ୟ ମଞ୍ଚରେ ସନ୍ଧ୍ୟା ସମୟରେ ଭଜନ ସମାରୋହ ହେବା ସହିତ ରାତ୍ରରେ ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଥିଲା । ମଞ୍ଚ ଉପରେ ରାମ ରାବଣ ଯୁଦ୍ଧ କରିବା ପରେ ରାମ ସେନା ଏକ ସୁସଜ୍ଜିତ ରଥରେ ଏବଂ ରାବଣ ସେନା ଏକ ୩୫ ଫୁଟ ଉଚ୍ଚତା ବିଶିଷ୍ଟ କାଷ୍ଠ୍ୟ ରାବଣ ରଥରେ ଉପବେସନ କରି ବିରାଟ ଶୋଭାଯାତ୍ରାରେ ବ୍ଳକ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ରାମଙ୍କ ବ୍ରହ୍ମ ଶରରେ ରାବଣ ମୃତ୍ୟୁ ବରଣ କରିଥିଲା ।
ରାମଙ୍କ ବ୍ରହ୍ମ ଶର ରାବଣକୁ ମାରି ପୁଣି ଫେରିବା ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା । ପରେ ପରେ ମାନସିକ ବାଣ ବା ଆତସବାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରା ଦେଖିବାକୁ ହଜାର ହଜାର ଜନସମାଗମ ହୋଇଥିଲା । ସୀତାଙ୍କ ଅଗ୍ନି ପରୀକ୍ଷା ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଥିଲା । ରାମ ରାବଣକୁ ବଧ କରି ସୀତାଙ୍କୁ ରଥରେ ଧରି ପ୍ରତ୍ୟାଗମନ କରିଥିଲେ । ବୁଧବାର ମୁଖ୍ୟ ମଞ୍ଚରେ ଶ୍ରୀରାମ ଅଭିଷେକ ନାଟକ ମଞ୍ଚସ୍ଥ ହେବା ସହିତ ପଲ୍ଲୀଶ୍ରୀ ମେଳାର ଦ୍ବିତୀୟ ଦିବସରେ ମେଲୋଡି ଗୀତ ଆଞ୍ଚଲର କଣ୍ଠଶିଳ୍ପୀ ସୁଜ୍ଞାନୀ ମହାପାତ୍ର ଧମାଲ କରିବେ ବୋଲି ଜଣାପଡିଛି । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପ୍ରଥମ ଦିନର ଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପ୍ତ ହୋଇଥିଲା ।