February 14, 2026
Home » ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା।

ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା।

0
WhatsApp Image 2026-02-14 at 2.10.56 PM

 

ସ୍ୱାମୀ ସହ ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଭବାନୀପାଟଣା :କଳାହାଣ୍ଡି ଜିଲା ଭବାନୀପାଟଣା ସହର ଉପକଣ୍ଠ ଶ୍ରୀପୁର ସ୍ଥିତ ଏକ ଫାର୍ମ ହାଉସ ଅଞ୍ଚଳରୁ ଗତ ସୋମବାର ଜଣେ ଗର୍ଭବତୀ ମହିଳାଙ୍କ ମାଟି ତଳେ ପୋତା ହୋଇଥିବା ଗଳିତ ଶବକୁ ପୋଲିସ ଜବତ କରିଥିଲା। ମୃତା ମହିଳାଙ୍କ ନାମ ବର୍ଷା ପଟେଲ (୨୫) ଓ ସେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସରଲାଞ୍ଜିର ବୋଲି ଜଣାପଡିଥିଲା। ତେବେ ଏହି ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀ ନୀଳାମ୍ବର ଓରଫ ଲଳିତ ପଟେଲ ଫେରାର ହୋଇଯାଇଥିବାରୁ ପୋଲିସ ସନ୍ଦେହ କରିଥିଲା। ପରେ ପୋଲିସ ଲଳିତକୁ ଧରିବା ପାଇଁ ଜାଲ ବିଛାଇଥିଲା। ଶେଷରେ ଲଳିତକୁ ପୋଲିସ ଆନ୍ଦ୍ରପ୍ରଦେଶ ରାଜ୍ୟର ତିରୁପତି ନିକଟିସ୍ଥ ଏକ ଇଟା ଭାଟିରୁ ଧରିବାରେ ସକ୍ଷମ ହୋଇଥିଲା। ପୋଲିସ ତଦନ୍ତ ବେଳେ ଏହି ହତ୍ୟା ଘଟଣାରେ ଲଳିତକୁ ସହଯୋଗ କରିଥିବା ଚକ୍ରଧର ନଗରର ଦୁଷ୍ମନ୍ତ ଗଉଡ଼, ଲଳିତଙ୍କ ମାଁ ସୁମିତ୍ରା ପଟେଲ (୫୦) ଓ ମାଉସୀ ଗୀତାଞ୍ଜଳୀ ପଟେଲ (୪୦) ଙ୍କୁ ମଧ୍ୟ ପୋଲିସ ଗିରଫ କରି ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ପର କ୍ରିୟା ପ୍ରୀତି ଓ ପାରିବାରିକ କଲହରୁ ସ୍ୱାମୀ ଲଳିତ ଆଠ ମାସର ଗର୍ଭବତୀ ଥିବା ସ୍ତ୍ରୀ ବର୍ଷାକୁ ଗତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ସମ୍ବଲପୁର ମେଡ଼ିକାଲ ଯିବାକୁ କହି ଏକ କାରରେ ଉକ୍ତ ଫାର୍ମ ହାଉସକୁ ନେଇଥିଲେ।

ସେଠାରେ ଆଉ ଏକ ଗାଡି ଧରି ଯିବା ବୋଲି ସ୍ତ୍ରୀ ବର୍ଷାକୁ ଲଳିତ କହିଥିଲା। ହେଲେ ସେଠାରେ ପହଞ୍ଚିବା ପରେ ବର୍ଷାକୁ ସ୍ୱାମୀ ଲଳିତ ଓ ତାଙ୍କ ସହଯୋଗୀ (ଫାର୍ମ ହାଉସରେ କାମ କରୁଥିବା) ଦୁଷ୍ମନ୍ତ ଗଉଡ଼ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଲଳିତ ତାଙ୍କ ମାଁ ସୁମିତ୍ରା ଓ ମାଉସୀ ଗୀତାଞ୍ଜଳୀଙ୍କୁ ମଧ୍ୟ ଘଟଣା ସ୍ଥଳକୁ ଡାକିକି ଆଣିଥିଲେ। ପରେ ସମସ୍ତେ ମିଶି ବର୍ଷାର ମୃତ ଦେହକୁ ପୋତିଥିଲେ। ଏହି କାମ ପାଇଁ ଅଭିଯୁକ୍ତ ଲଳିତଙ୍କ ମାଉସୀ ଗୀତାଞ୍ଜଳୀ ତାଙ୍କ ଗ୍ରାମର ଦୁଷନ୍ତଙ୍କୁ ପ୍ରଥମେ ୫୦ ହଜାର ଓ ପରେ କିସ୍ତି ଅନୁଯାୟୀ ୪୦ ହଜାର ସମୁଦାୟ ୯୦ ହଜାର ଟଙ୍କା ଦେଇଥିଲେ। ଗୁରୁବାର ପୋଲିସ ଘଟଣା ସ୍ଥଳରେ ସିନ ରିକ୍ରିଏସନ କରିବା ବେଳେ ସତ କଥା ଓଗାଳି ଥିଲା ଅଭିଯୁକ୍ତ ଲଳିତ । କେମିତି ସ୍ତ୍ରୀ ବର୍ଷାଙ୍କୁ ହତ୍ୟା କଲା ତାହା ପୋଲିସ ଆଗରେ ବଖାଣିଥିଲା। ତେବେ ବର୍ଷାକୁ ହତ୍ୟା କରିବା ପାଇଁ ଗତ କିଛି ମାସ ହେଲା ସ୍ୱାମୀ ଲଳିତ ଓ ତାଙ୍କ ମା ମାଉସୀ ଯୋଜନା କରୁଥିଲେ ବୋଲି ପୋଲିସ ଠାରୁ ଜଣାପଡିଛି। ଲଳିତ ଓ ବର୍ଷା ବଂଶୀୟ ଭାଇ ଭଉଣୀ ହୋଇଥିବାବେଳେ ପରିବାର ତଥା ସମାଜର ସହମତି ନ ଥିବା ସତ୍ତ୍ଵେ ମଧ୍ୟ ୨୦୨୩ରେ ଉଭୟେ ପ୍ରେମ ବିବାହ କରିଥିଲେ। ତେବେ ଗାଁ ପରିବାର ଓ ସମାଜ ଲୋକେ ଉଭୟଙ୍କୁ ଗ୍ରହଣ ନ କରିବାରୁ ସେମାନେ ବିଭିନ୍ନ ସ୍ଥାନରେ ରହୁଥିଲେ। ଏହାରି ଭିତରେ ଲଳିତ ତୁର୍କେଲ ଅଞ୍ଚଳର ଏକ ଝିଅ ସହ ସମ୍ପର୍କ ରଖିବା ଓ ପରିବାରର ଚାପ ଯୋଗୁଁ ସ୍ତ୍ରୀ ବର୍ଷା ସହ ବିଭିନ୍ନ ସମୟରେ ମନମାଲିନ୍ୟ ହେବା ସହ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା। ଶେଷରେ ସ୍ତ୍ରୀ ବର୍ଷାକୁ ମାରିବାକୁ ବାଟ ଆପଣାଇଥିଲା। ଏ ନେଇଁ ସଦର ଥାନା ପୋଲିସ ଏକ ମାମଲା ନଂ (୪୮/୨୬) ଦଫା ୧୦୩/୧ ବିଏନ ଏସ ରୁଜୁ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *