February 28, 2026
Home » ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନ, ଦୁଷ୍କର୍ମ ହତ୍ୟା ପାଇଁ ଦାୟୀ କିଏ? : ଭକ୍ତ

ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନ, ଦୁଷ୍କର୍ମ ହତ୍ୟା ପାଇଁ ଦାୟୀ କିଏ? : ଭକ୍ତ

0
bhakt-charan

 

 

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ଛାତ୍ରୀ ଲିଟିଲ ସାହୁଙ୍କୁ ପାରାଦ୍ବୀପ ଠାରେ ଅମାନୁଷିକ ଭାବେ ଦୁଷ୍କର୍ମ ଓ ହତ୍ଯାର କଠୋର ନିନ୍ଦା କରିଛନ୍ତି । ୨୦୨୪ ରେ ବିଜେପି ସରକାର ଆସିବା ପରଠାରୁ ନାରୀ ମାନଙ୍କର ସୁରକ୍ଷା ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି ଯାହାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଓ କଂଗ୍ରେସ ବିଧାୟକ ଦଳ ବିଧାନସଭାଠାରୁ ଆରମ୍ଭ କରି ଗାଁ ପର୍ଯ୍ଯନ୍ତ ବିଭିନ୍ନ ସମୟରେ ଆନ୍ଦୋଳନ ଓ ନାରୀ ମାନଙ୍କ ସୁରକ୍ଷା ପାଇଁ ସଂଗ୍ରାମ ଜାରୀ ରଖିଛନ୍ତି କିନ୍ତୁ ସରକାର ଏପର୍ଯ୍ଯନ୍ତ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି ଯାହା ଫଳରେ ମା, ଭଉଣୀ ମାନଙ୍କର ଇଜ୍ଜତ ପ୍ରତ୍ଯେକ ଦିନ ଲୁଟ ହେଉଛି, ବିଭତ୍ସ ହତ୍ଯାର ଶିକାର ହେଉଛନ୍ତି, ମାନସିକ ନିର୍ଯାତନା ବଢିବାରେ ଲାଗିଛି ଏବଂ ନାରୀ ମାନଙ୍କର ନିଖୋଜର ସଂଖ୍ଯା ମଧ୍ୟ ବଢିବାରେ ଲାଗିଛି । ନାରୀ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ବୋଲି ପ୍ରମାଣିତ ହୋଇଛନ୍ତି । ପାରାଦ୍ବୀପରେ ଘଟିଥିବା ଘଟଣାରେ ପୀଡିତାର ଭାଇ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ତତ୍ପରତା ପ୍ରକାଶ କରି ନଥିଲେ ଓ ତଦନ୍ତ ମଧ୍ୟ କରି ନ ଥିଲେ। ଯଦି ପୋଲିସ ଓ ପ୍ରଶାସନ ସେ ଝିଅକୁ ଖୋଜିବାରେ ତତ୍ପରତା ପ୍ରକାଶ କରିଥାନ୍ତା ତେବେ ହୁଏତ ଆଜି ଏପରି ଏକ ଅଘଟଣ ଘଟି ନଥାନ୍ତା । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ପୋଲିସ ପ୍ରଶାସନ ଓ ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିଲେ ସୁଦ୍ଧା ଅପାରଗ ଏବଂ ଦାୟିତ୍ବହୀନ ଅବସ୍ଥାରେ ଚାଲିଛି l ମୁଖ୍ୟମନ୍ତ୍ରୀଙ୍କ ନିକମ୍ମାପଣ ଯୋଗୁଁ ଆଜି ଜଣେ ନୀରିହ ଯୁବତୀର ଜୀବନ ଅକାଳରେ ଚାଲିଗଲା । ଆଉ କେତେ ଦିନ ରାଜ୍ଯରେ ଏପରି ନାରୀ ଦୁଷ୍କର୍ମ ଚାଲୁ ରହିବ ? ଆଉ କେତେ ନୀରିହ ଜୀବନ ଗଲେ ସରକାରର ନିଦ୍ରାଭଙ୍ଗ ହେବ ? ଏହି ଘଟଣାରୁ ଜଣା ଯାଏ ଯେ, ପାରାଦ୍ବୀପ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ମାଫିଆଙ୍କ କବଜାରେ ରହିଛି । ଅନୁମାନ କରାଯାଏ ଯେ, ବାହାର ରାଜ୍ଯର ଲୋକ ଆସି ଏପରି ବିଭତ୍ସ କାଣ୍ଡ ଘଟାଇଛନ୍ତି କାରଣ ବାହାର ରାଜ୍ଯରୁ ଆସୁଥିବା ଲୋକ ମାନଙ୍କର କୌଣସି ବିଧିବଦ୍ଧ ଯାଞ୍ଚ ବ୍ଯବସ୍ଥା ନାହିଁ , କେଉଁମାନେ ରହୁଛନ୍ତି, କେଉଁଠି ରହୁଛନ୍ତି, କିଛି ସୂଚନା ପୁଲିସ ପାଖରେ ନାହିଁ।ଯେଉଁଥିପାଇଁ ପାରାଦ୍ବୀପ ଅଞ୍ଚଳ ଅସୁରିକ୍ଷତ ହୋଇ ପଡିଛି ।
ଝିଅ ଲିଟିଲ ସହ ଘଟିଥିବା ଘଟଣାର ସଠିକ ତଦନ୍ତ କରାଯାଉ ଏବଂ ଦୋ଼ଷୀ କୁ ମୃତ୍ଯୁ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଶ୍ରୀ ଦାସ ସରକାରଙ୍କ ଠାରେ ଦାବୀ ଜଣାଇବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୀଡିତଙ୍କ ପରିବାରକୁ ସାହସ ଓ ପୀଡ଼ିତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି I

Leave a Reply

Your email address will not be published. Required fields are marked *