February 8, 2026
Home » ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0
WhatsApp Image 2026-01-07 at 10.45.35 PM (1)

କେନ୍ଦୁଝର ଜିଲ୍ଲାର ୧୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର,ତା୭/୧- ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା ଏବଂ ଏହି ପରିକଳ୍ପନାରେ ଶୁଭାରମ୍ଭ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ, କାରଣ ଆଜିର ବିଦ୍ୟାର୍ଥୀ ମାନେ ହେଲେ ଆସନ୍ତା କାଲିର ନାଗରିକ ଓ ରାଷ୍ଟ୍ର ନିର୍ମାତା। ବିଦ୍ୟାର୍ଥୀ ମାନଙ୍କ ପାଠପଢ଼ାର ମୂଳଦୁଆକୁ ସଶକ୍ତ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଣପୁର ଠାରେ ରାଜ୍ୟ ସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ କେନ୍ଦୁଝର ଜିଲ୍ଲାର ୧୦ ଗୋଟି ଆଦର୍ଶ ବିଦ୍ୟାଳୟକୁ ମିଶାଇ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାପାଇଁ ୧୧୮ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଗୁମୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କେନ୍ଦୁଝର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ଛାତ୍ରଛାତ୍ରୀ, ଅଭିଭାବକ, ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂହ କେନ୍ଦୁଝର ଜିଲ୍ଲା ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ୧୦ ଗୋଟି ବିଦ୍ୟାଳୟ ନିମନ୍ତେ ସମଗ୍ର ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଏହି ସବୁ ଉନ୍ନତ ଭିତ୍ତିଭୂମି, ଶୈକ୍ଷିକ ବାତାବରଣପୂର୍ଣ୍ଣ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମୁଳଦୂଆ ସୁଦୃଢ କରି ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବାରେ ସହାୟକ ହେବ ବୋଲି କହିଥିଲେ।

ଆଜି ଭିତ୍ତିପ୍ରସ୍ତର ପ୍ରଦାନ କରାଯାଇଥିବା ବିଦ୍ୟାଳୟ ଗୁଡିକ ହେଲା ଚମ୍ପୁଆର ଜ୍ୟୋତିପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘଷିପୁରାର ମଦନପୁର ଓ ପଣ୍ଡୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହରିଚନ୍ଦନପୁରର ଜଂଘିରା ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଟଡ଼ିହିର ବାଙ୍ଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝୁମ୍ପୁରାର ଗୁମୁରା ଓ ସରକାରୀ ଉଚ୍ଚ ବିଦ୍ୟାଳୟ,ଝୁମ୍ପୁରା, ତେଲକୋଇର ଆକୁଳ ଓ ଛମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କେନ୍ଦୁଝରର ପିଏମଶ୍ରୀ ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇକଳା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଧିକାରୀ,ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୋଷ୍ଠୀ ଉନୟନ ଅଧିକାରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ଆସନ୍ତା ୪ ବର୍ଷରେ ରାଜ୍ୟର ଗ୍ରାମପଞ୍ଚାୟତ ଗୁଡିକରେ ୨୨ ଶହ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି ଯୋଜନାରେ ପିଲାମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ମିଳିବା ସହିତ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ସୁଦୃଢ ହେବ। ଚଳିତ ବର୍ଷ ବଜେଟରେ ଏହାର କାର୍ଯ୍ୟକାରିତା ପାଇଁ ୩ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ଦିଆଯିବ। ଏହାଦ୍ବାରା ଶିକ୍ଷାର ବାତାବରଣ ସୁଦୃଢ ହେବା ସହିତ ପିଲାମାନେ ସର୍ବୋତ୍ତମ ଏବଂ ଗୁଣାତ୍ମକ ମାନର ଶିକ୍ଷା ପାଇପାରିବେ।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *