November 12, 2025
Home » ଗୋପାଳପୁର ବେଳାଭୂମିଠାରେ ବୁଧବାର ଠାରୁ ତିନିଦିନିଆ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ !

ଗୋପାଳପୁର ବେଳାଭୂମିଠାରେ ବୁଧବାର ଠାରୁ ତିନିଦିନିଆ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ !

0
WhatsApp Image 2025-11-05 at 6.25.42 AM

 

ଛତ୍ରପୁର: ଗୋପାଳପୁର ବେଳାଭୂମିଠାରେ ବୁଧବାର ରାସ ପୂର୍ଣ୍ଣିମା ଠାରୁ ତିନିଦିନିଆ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ମଙ୍ଗଳବାର ଗୋପାଳପୁର ପୁରୁଣା ସର୍କିଟ ହାଉସ୍ ଠାରେ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ଙ୍କ ଅଧ୍ୟକ୍ଷତାରେ ବୋଇତ ବନ୍ଦାଣ ଉତ୍ସବ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଆମ ଓଡିଆର ପରମ୍ପରା ଓ ଧର୍ମିୟ ଭାବନା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ । ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ । ସେହି ସ୍ମୃତି ସ୍ବରୂପ ଓଡିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ବୋଇତ ବନ୍ଦାଣ ଉତ୍ସବ ନଭେମ୍ବର ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ଠାରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଭଜନ ସମାରୋହ, ବୋଇତ ବନ୍ଦାଣ, ତଅପୋଇ ନାଟକ ପରିବେଷଣ, ରଙ୍ଗୋଲୀ, ଆଲୋଚନା ଚକ୍ର, ହୁଳହୁଳି, ଓଡିଆଣି ବେଶ, ଓଡିଆ ଘରର ପାରମ୍ପରିକ ପିଠାପଣା, ପୁଚିଖେଳ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ । ଭଜନ ସମାରୋହ ପ୍ରାତଃ ୩ ଘଟିକା ସମୟ ଠାରୁ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଗଞ୍ଜାମ ଜିଲ୍ଲା ଏବଂ ଓଡିଶାର ପ୍ରତିଷ୍ଠିତ କଳାକାରଗଣ ଭଜନ ସଙ୍ଗୀତ ପରିବେଷଣ କରିବେ । ଗୋପାଳପୁର ବେଳାଭୂମିର ସ୍ଥିର ଜଳରେ ୫ ତାରିଖ ଦିନ ସକାଳ ୫ଘଟିକା ଠାରୁ ୭ ଘଟିକା ମଧ୍ୟରେ ସମବେତ ଆକାରରେ ବୋଇତ ବନ୍ଦାଣ କରି ବୋଇତ ଭସାଣୀ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେବ ଏବଂ ତଅପୋଇ ନାଟିକା ପରିବେଷଣ ହେବ । ପ୍ରତିଦିନ ଅପରାହ୍ନ ସମୟରେ ଗଞ୍ଜାମ ଜିଲ୍ଲାର ଲୋକକଳା, ସ୍ଥାନୀୟ ଲୋକକଳା ଓ ନୃତ୍ୟ ପ୍ରଦର୍ଶିତ ହେବା ସହିତ ଓଡିଶାର ସୁନାମଧନ୍ୟ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଗୋପାଳପୁର ବେଳାଭୂମିରେ ପଲ୍ଲିଶ୍ରୀ ଓ ଖାଦ୍ୟମେଳାର ଆୟୋଜନ କରାଯାଇଛି । ଏହି ଉତ୍ସବଟିକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୀର୍ତ୍ତିଓ୍ବାସନ୍ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଜିଲ୍ଲା ସୂଚାନ ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ଓ ସମସ୍ତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *