ଗୋବିନ୍ଦପୁର ଉ.ପ୍ରା. ବିଦ୍ୟାଳୟରେ ବସ୍ତାନି ବିହୀନ ଦିବସ ପାଳିତ
କେନ୍ଦୁଝର,ତା୭/୮- କେନ୍ଦୁଝର ସହର ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରରେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ବସ୍ତାନି ବିହୀନ ଦିବସ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ନାୟକଙ୍କ ନେତୃତ୍ୱରେ ୧୫୦ ରୁ ଉର୍ଦ୍ଧ୍ଵ ରାକ୍ଷୀ ପ୍ରସ୍ତୁତ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ ଓ ଇକୋ କ୍ଲବ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ମାର୍ଗଦର୍ଶନରେ ପ୍ଲାଷ୍ଟିକର ବ୍ୟବହାର ନକରି ବିଭିନ୍ନ ରାକ୍ଷୀ ଗୁଡିକୁ ପ୍ରସ୍ତୁତ କରାଯାଇଥିଲା।ଏହି ରାକ୍ଷୀ ପ୍ରସ୍ତୁତିରେ ବିଭିନ୍ନ ଶିକ୍ଷଣୀୟ ଉପାଦାନ ଗୁଡିକୁ ଯୋଡିବା ସହ ଭବିଷ୍ୟତରେ ପିଲାମାନେ ଏହାକୁ କିପରି ନିଜର ଜୀବନ ଜୀବିକାରେ ଗ୍ରହଣ କରିପାରିବେ ତାଙ୍କୁ ଅବଗତ କରାଯାଇଥିଲା।ଏହି ପ୍ରସ୍ତୁତି ଶିବିରରେ ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ, ଶୁଭଶ୍ରୀ ମହାନ୍ତ, ରଞ୍ଜିତା ରାଣୀ ମଲ୍ଲିକ ଓ ବିଦ୍ୟାଳୟ ପରିଚାଳନା କମିଟି ତଥା ପଞ୍ଚସଖା ଶିକ୍ଷା ସେତୁର କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏହି ପ୍ରକାର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।ମୁଖ୍ୟ ବକ୍ତା ଭାବେ ସଦର ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ରୂପେ ଶିରୀଶପାଳ ସି.ଆର.ସି.ସି. ରଶ୍ମିତା ଦାଶ, ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରନ୍ଦର ମହାନ୍ତ ଯୋଗ ଦେଇ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରାକ୍ଷୀ ଖୁବ ଆକର୍ଷଣୀୟ ଓ ପରିବେଶ ଅନୁକୂଳ ପଦାର୍ଥରେ ପ୍ରସ୍ତୁତ ହୋଇଥିବାରୁ ପ୍ରଶଂସା କରିଥିଲେ।ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ଅତିଥିଗଣ ଛାତ୍ରଛାତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ ଏବଂ ସମସ୍ତ ଅତିଥି ଛାତ୍ରଛାତ୍ରୀ ତଥା ବିଦ୍ୟାଳୟରେ ଥିବା ବିଭିନ୍ନ ବୃକ୍ଷ ଦେହରେ ରାକ୍ଷୀ ବାନ୍ଧି ବୃକ୍ଷର ମାହାତ୍ମ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଗାଁ ରେ ପହଞ୍ଚାଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ଲାଷ୍ଟିକର ବ୍ୟବହାର କମାଇବା ତଥା ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଦ୍ୟାଳୟ ତରଫରୁ ପ୍ରୟାସ ଜାରି ରହିବ ବୋଲି ଶିକ୍ଷକ ବିଜୟ କୁମାର ମିଶ୍ର କହିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ