October 23, 2025
Home » ଘରୋଇକରଣ ବନ୍ଦ କରିବା ଦାବିରେ ଏଆଇଡିଏସଓ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ।

ଘରୋଇକରଣ ବନ୍ଦ କରିବା ଦାବିରେ ଏଆଇଡିଏସଓ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ।

0
WhatsApp Image 2025-09-19 at 5.47.51 PM

 

ଭୁବନେଶ୍ୱର: ଗତ ୧୩ ସେପ୍ଟେମ୍ବର ଦିନ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଓ ଡିଗ୍ରୀ ମହାବିଦ୍ୟାଳୟ ମାନଙ୍କୁ ଜାରି କରାଯାଇଥିବା ନୋଟିସ ଅନୁଯାୟୀ ଯେଉଁ ଶିକ୍ଷାନୁଷ୍ଠାନମାନେ ୪ ବର୍ଷିଆ ଆଇ.ଟି.ଇ.ପି. (ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ) ପାଇଁ ଆବେଦନ କରୁଛନ୍ତି ସେମାନେ ଚୁକ୍ତିଭିତ୍ତିକ ଅତିଥି ଅଧ୍ୟାପକ ନିଯୁକ୍ତି କରିବେ ଏବଂ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହୋଇଥିବା କୋର୍ସ ଫିରୁ ହିଁ ସେମାନଙ୍କୁ ଦରମା ଦେବେ। ସେଥିପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ବାର୍ଷିକ ମୁଣ୍ଡପିଛା କୋର୍ସ ଫି ୪୫,୦୦୦.୦୦ ଟଙ୍କା ଆଦାୟ କରିବେ। ଏହି ନୋଟିସକୁ ତୀବ୍ର ନିନ୍ଦା କରି ଏଆଇଡିଏସଓ ଓଡିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଏହା ଦ୍ବାରା ଶିକ୍ଷକ ଶିକ୍ଷାର ସମ୍ପୂର୍ଣ୍ଣ ଘରୋଇକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବ, ଛାତ୍ରଛାତ୍ରୀମାନେ ତୀବ୍ର ଆର୍ଥିକ ଶୋଷଣର ଶିକାର ହେବେ, ଶିକ୍ଷାନୁଷ୍ଠାନଗୁଡିକ ଡିଗ୍ରୀ ବିକ୍ରୟ କେନ୍ଦ୍ରରେ ପରିଣତ ହେବେ, ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ବ୍ୟାପକ ରୂପ ନେବ ଏବଂ ଚୁକ୍ତିଭିତ୍ତିକ ଅତିଥି ଅଧ୍ୟାପକମାନେ ନ୍ୟାଯ୍ୟ ପ୍ରାପ୍ୟ ତଥା ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହେବେ। ସଂଗଠନ ପକ୍ଷରୁ ଆହୁରି କୁହାଯାଇଛି ଯେ, ସରକାରଙ୍କ ଏହି ପଦକ୍ଷେପ ହେଉଛି ଜାତୀୟ ଶିକ୍ଷାନୀତି ୨୦୨୦ର ଅନ୍ୟତମ କାର୍ଯ୍ୟକାରୀ ରୂପ। ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ଶିକ୍ଷାନୀତି- ୨୦୨୦ ପ୍ରଣୟନର ପ୍ରଥମ ଦିନରୁ ହିଁ ଏଆଇଡିଏସଓ ଏହାକୁ ବିରୋଧ କରି କହିଥିଲା ଯେ, ଏହି ଶିକ୍ଷାନୀତି ଦେଶର ସମସ୍ତ ସ୍ତରର ଶିକ୍ଷାର ଘରୋଇକରଣ – ବ୍ୟବସାୟୀକରଣ ପାଇଁ ଉଦ୍ଦିଷ୍ଟ ଯାହାକି ଦିବାଲୋକ ଭଳି ସ୍ପଷ୍ଟ ପ୍ରମାଣିତ ହେବାରେ ଲାଗିଛି। ଏଣୁ ଶିକ୍ଷକ ଶିକ୍ଷାର ଘରୋଇକରଣ – ବ୍ୟବସାୟୀକରଣ ବନ୍ଦ, ଛାତ୍ରଛାତ୍ରୀଙ୍କ ଠାରୁ ୪୫,୦୦୦ ଟଙ୍କା କୋର୍ସ ଫି ଆଦାୟ ସମ୍ପୂର୍ଣ୍ଣ ଭାବେ ବନ୍ଦ, ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦେବା, ଶିକ୍ଷକ ଶିକ୍ଷାର ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ କୁ ସମ୍ପୂର୍ଣ୍ଣ ବାତିଲ କରିବା ଦାବିରେ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ତଥା ସମସ୍ତ ସ୍ତରର ଜନସାଧାରଣ ଆଗେଇ ଆସିବାକୁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ଏହି ମର୍ମରେ ଆଜି ସାରା ଓଡ଼ିଶା ପ୍ରତିବାଦ ଦିବସ ପାଳନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଛି। ଭୁବନେଶ୍ବରରେ ମାନନୀୟ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏଥିରେ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଅଫିସ ସମ୍ପାଦକ ନସିମ ସରକାର, କୋଷାଧ୍ୟକ୍ଷା ସପ୍ତର୍ଷିନୀ ରାଉଳ, ସମ୍ପାଦିକା ମଣ୍ଡଳୀ ସଦସ୍ୟ ବିନୋଦ ସେଠୀ, ରାଜ୍ୟ ପରିଷଦ ସଭ୍ୟା ରୂପାଲି ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *