ଜଗନ୍ନାଥ କ୍ରସରରୁ ୬.୫ ଟନ୍ ବିସ୍ଫୋରକ ଜବତ। ମ୍ୟାନେଜର ସମେତ ୪ଗିରଫ, ଦୁଇ ଗାଡ଼ି ଜବତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଲାଖବାହାଲି ଜଗନ୍ନାଥ କ୍ରସର ଉପରେ ଚଢ଼ାଉ କରି ପୋଲିସ ଓ ଖଣି ବିଭାଗ ଗୁରୁବାର ଦିନ ସାଢ଼େ ୬ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ବେଆଇନ ବିସ୍ଫୋରକ ସାମଗ୍ରୀ ବ୍ୟବହାର ଅଭିଯୋଗରେ କ୍ରସର ମ୍ୟାନେଜର ଜଗନ୍ନାଥ ତିୱାରୀ, ଟ୍ରକ୍ ଡ୍ରାଇଭର ରଞ୍ଜନ କ୍ଷିତି, ପିକଅପ୍ ଡ୍ରାଇଭର ଧର୍ମ ପୋଢ଼ ଓ ଅରୁଣ କୁମାରଙ୍କୁ ଗିରଫ କରାଯାଇଛି।ବର୍ଷ ବର୍ଷ ଧରି କ୍ରସରକୁ ବେଆଇନ୍ ଭାବେ ଏଭଳି ବିସ୍ଫୋରକ ସାମଗ୍ରୀ ଆସୁଥିଲା।
ବହୁ ବିଳମ୍ବରେ ଖଣି ବିଭାଗ ଏବଂ ପୁଲିସ୍ର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ କଣ୍ଟାବାଞ୍ଜିସ୍ଥିତ କଳିଙ୍ଗ ଆଣ୍ଡ କୋ କମ୍ପାନୀର ଗୋଦାମରୁ ଏକ ଟ୍ରକ୍ ( ଓଡ଼ି୦୩ଡି ୮୩୭୫) ଓ ପିକଅପ୍ ଭ୍ୟାନ (ଓଡି ୧୫-୬୩୮୮)ରେ ସାଢ଼େ ୬ ଟନ୍ ବିସ୍ଫୋରକ ଓ ଡିଟୋନେଟର ଜୟପାଟଣା ବ୍ଲକ ଲାଖବାହିଲି ସ୍ଥିତ ଜଗନ୍ନାଥ କ୍ରସରକୁ ଆସିଥିଲା।
ଗୁରୁବାର ଭୋରରେ ପୁଳିସ୍ ଚଢ଼ଉ କରି ସେସବୁ ଜବତ କରିଛି। ସମ୍ପୃକ୍ତ କ୍ରସର ପରିସରରେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ରଖିବା ନିମନ୍ତେ ସୁରକ୍ଷିତ ଗୋଦାମ ନାହିଁ। ବିସ୍ଫୋରକ ସାମଗ୍ରୀ ପରିବହନ କିମ୍ବା ଗଚ୍ଛିତ ରଖୁବା ପାଇଁ ସ୍ବତନ୍ତ୍ର ଭାବେ ମାଇନି” ପ୍ଲାନ ରହିବା ନିୟମ ରହିଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ କେମିତି ଏତେ ପରିମାଣରେ ବିପଜ୍ଜନକ ସାମଗ୍ରୀ ଆସୁଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା କନିଷ୍ଠ ଖଣିଅଧିକାରୀ ବିଦେଶୀ କାର୍ତ୍ତିଙ୍କ ସୂଚନା କ୍ରମେ ଜିଲ୍ଲା ପୁଲିସ୍ ବିସ୍ଫୋରକ ଏବଂ ଗାଡ଼ି ଜବତ କରିଛି।ଏ ନେଇ ମାମଲା ରୁଜୁ ପରେ ଘଟଣାର ତଦନ୍ତ ଚାଲିଥିବା କଳାହାଣ୍ଡି ଏସପି ନାଗରାଜ ଦେବରକଣ୍ଡା ସୂଚନା ଦେଇଛନ୍ତି।