December 19, 2025
Home » ଜମିପଟ୍ଟା ସଂଶୋଧନ କୁ ନେଇ ସରକାରଙ୍କ ନୂଆ ନିଷ୍ପତ୍ତି ଲୋକଙ୍କୁ ଆଶ୍ବସ୍ତ କରିଛି

ଜମିପଟ୍ଟା ସଂଶୋଧନ କୁ ନେଇ ସରକାରଙ୍କ ନୂଆ ନିଷ୍ପତ୍ତି ଲୋକଙ୍କୁ ଆଶ୍ବସ୍ତ କରିଛି

0
WhatsApp Image 2025-11-14 at 12.23.39 PM

ଓଡ଼ିଶା ରେ ଦୀର୍ଘ ବର୍ଷ ହେବ ଜମିପଟ୍ଟା ସଂଶୋଧନ କୁ ନେଇ ଲୋକମାନେ ହଇରାଣ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ଲୋକଙ୍କୁ ଆଶ୍ବସ୍ତ କରିଛି। ରାଜସ୍ବ ବିଭାଗର ନିଷ୍ପତ୍ତି ଅନୁଯାୟୀ ଏଣିକି ଲୋକମାନେ ସ୍ଥାନୀୟ ତହସିଲଦାରଙ୍କୁ ଭେଟି ନିଜର ପୈତୃକ ସମ୍ପତ୍ତିର ପଟ୍ଟା ନିଜ ନାମରେ ଏଣିକି ସଂଶୋଧନ କରାଇ ପାରିବେ। ତେବେ ଏହି ବ୍ୟବସ୍ଥା ସଠିକ୍ ଢଙ୍ଗରେ ପୁରୀ ଜିଲ୍ଲାରେ କିଭଳି କାର୍ଯ୍ୟକାରୀ ହୋଇପାରିବ ସେନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପୁରୀ ଗସ୍ତରେ ଆସି ପୁରୀ ଜିଲ୍ଲାର ସମସ୍ତ ରାଜସ୍ବ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପୁରୀ ସର୍କିଟ ହାଉସ ଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ତହସିଲଦାର ମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଜମିପଟ୍ଟା ସଂଶୋଧନ ପାଇଁ ଆସୁଥିବା ବ୍ୟକ୍ତି ମାନେ କିଭଳି ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ନିଜ ଜମିଜମା ସମସ୍ୟାର ସମାଧାନ ସହିତ ପଟ୍ଟା ସଂଶୋଧନ କରାଇପାରିବେ ସେନେଇ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ରାଜସ୍ବ ମନ୍ତ୍ରୀ ପୁରୀ ଜିଲ୍ଲାପାଳ ଏବଂ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଜମିଜମା ବନ୍ଦୋବସ୍ତ ଆଇନରେ ବ୍ୟାପକ ତ୍ରୁଟି ଥିବାରୁ ଦୀର୍ଘ ବର୍ଷ ହେବ ଲୋକମାନେ ଜମିପଟ୍ଟା ସଂଶୋଧନ କରି ନପାରି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଣୁ ଏହାର ସରଳୀକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଓଡିଶା ରାଜସ୍ବ ଆଇନରେ ସଂଶୋଧନ କରାଯାଇ ଗୋଟିଏ ରାଜସ୍ବ ଆଇନ ଓଡ଼ିଶାରେ ଲାଗୁ କରାଯିବ। ଓଡିଶା ଗଭର୍ମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଖୁବଶୀଘ୍ର ଆସିବ। ସେହିପରି ଓଡିଶା ସର୍ଭେ ସେଟେଲମେଣ୍ଟ ଆକ୍ଟ ରେ ମଧ୍ୟ ଖୁବଶୀଘ୍ର ସଂଶୋଧନ ଅଣାଯିବ। ଏହି ଆଇନ ସଂଶୋଧନ ପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜନଜାତି ବର୍ଗର ଲୋକମାନେ ମଧ୍ୟ ଜମିଜମା ସମସ୍ୟାକୁ ନେଇ ହେଉଥିବା ଅସୁବିଧା ଦୂର ହେବ। ଏନେଇ ତହସିଲଦାର ମାନଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ସେପଟେ ମନ୍ତ୍ରୀ ଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବରିଷ୍ଠ ସେବାୟତ।

ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି, ପୁରୀ ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜମିଜମା ସମସ୍ୟାର ସମାଧାନ ପାଇଁ ମଧ୍ୟ ରାଜ୍ୟ ସରକାର ଉଦ୍ୟମ କରୁଚନ୍ତି। ସ୍ବାଧୀନତା ପୂର୍ବରୁ ଇଂରେଜ ମାନେ ପୁରୀର ଅଧିକାଂଶ ଜମି ପୁରୀ ପୌରପାଳିକା ନାମରେ କରିଦେଇଛନ୍ତି। ଯାହାକି ଅର୍ବାନ ଡିପାର୍ଟମେଣ୍ଟ, ଡେଭଲପମେଣ୍ଟ ଅଥୋରିଟି ଏବଂ ରେରା ଆଇନ୍ ଦ୍ୱାରା ଏହି ସବୁ ଜମି ଗୁଡିକ ପରିଚାଳନା ହେଉଛି। ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ଦେବୋତ୍ତର ବିଭାଗ ଏବଂ ଶ୍ରୀମନ୍ଦିର ଜମି ସୁରକ୍ଷା ଆଇନ ଅଧିନରେ ପରିଚାଳନା ହେଉଛି। ରାଜସ୍ବ ବିଭାଗ ହାତରେ ଜମି ନଥିବାରୁ ପୁରୀ ସହରରେ ଲାଗି ରହିଥିବା ଜମିଜମା ସମସ୍ୟାର ସମାଧାନ ଦିଗରେ ଅସୁବିଧା ସୃଷ୍ଟି ହେଉଛି। ତେବେ ପୁରୀ ସହରରେ ଥିବା ଜମିଜମା ସମସ୍ୟାର ସମାଧାନ ପାଇଁ ସମସ୍ତ ବିଭାଗ ସହିତ ଆଲେଚନା ଜାରି ରହିଥିବା ବେଳେ ପୁରୀ ସହରର ଜମିଜମା ସଂପର୍କିତ ଏକ ସବିଶେଷ ରିପୋର୍ଟ ଡିସେମ୍ବର ମାସ ଶେଷ ସୁଦ୍ଧା ପୁରୀ ଜିଲ୍ଲାପାଳ ପ୍ରଦାନ କରିବାକୁ କୁହାଯାଇଛି। ଏହି ରିପୋର୍ଟ ଆସିବା ପରେ ବିଭିନ୍ନ ଆଇନକୁ ଅଧ୍ୟୟନ କରାଯାଇ ଏବଂ ଦରକାର ପଡ଼ିଲେ ଆଇନରେ ସଂଶୋଧନ କରାଯାଇ ପୁରୀ ସହର ଏବଂ ଜିଲ୍ଲାର ଜମିଜମା ସମସ୍ୟା ସମାଧାନ କରାଯିବ।

ସରକାରୀ ଜମି ଜବରଦଖଲ କରିଥିବା ବଡ଼ବଡ଼ିଆ ଲୋକଙ୍କୁ ତୁରନ୍ତ ଉଛେଦ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ସେହିପରି ରାଜସ୍ବ ବିଭାଗରେ ତିନିବର୍ଷ ରୁ ଅଧିକ ଗାଦି ମାଡ଼ି ବସିଥିବା ଅଧିକାରୀ ମାନଙ୍କୁ ତୁରନ୍ତ ବଦଳି କରିବାକୁ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ବ ବିଭାଗର କାର୍ଯ୍ୟକୁ ଅଧିକ ସରଳୀକରଣ କରିବା ପାଇଁ ଟେକ୍ନୋଲୋଜି ର ସାହାଯ୍ୟ ନିଆଯାଇ ମୋବାଇଲ ଆପ ମାଧ୍ୟମରେ ସମସ୍ତ କାର୍ଯ୍ୟ ଏବେ କରାଯାଉଛି। ରାଜସ୍ବ ବିଭାଗକୁ ସ୍ବଛ, ଦୁର୍ନୀତି ମୁକ୍ତ ଏବଂ ପାରଦର୍ଶିତା ରେ ପରିଣତ କରିବା ପାଇଁ ଓଡ଼ିଶା ସରକାର କାର୍ଯ୍ୟ ଆରମ୍ଭ କରିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *