ଜମ୍ମୁ କଟରା ରେ ରାସ୍ତା ଦୁର୍ଘଟଣା : ତରଭା କୁ ସ୍ବାମୀ ସ୍ତ୍ରୀ ଙ୍କ ଫେରିଲା ମର ଶରୀର,ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ କଲେ ଅନ୍ତିମ ଦର୍ଶନ l

ସୁବର୍ଣ୍ଣପୁର– କିଏ ଜାଣିଥିଲା ଏହି ଯାତ୍ରା ହେବ ତାଙ୍କର ଶେଷ ଯାତ୍ରା l ଜମ୍ମୁ ର କଟରା କୁ ଯାଇଥିଲେ ବୈଷ୍ଣଦେବୀ ଙ୍କ ଦର୍ଶନ ପାଇଁ l ହେଲେ ଘରକୁ ଫେରିଲେ ଶବ ହୋଇ l ଜାମ୍ମୁ ର କଟରା ଠାରେ ବୈଷ୍ଣଦେବୀ ଙ୍କ ଦର୍ଶନ ସାରି ଅଟୋରେ ଫେରୁଥିବା ବେଳେ ବସ ଧକ୍କାରେ ପ୍ରାଣ ହରାଇ ଥିବା ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ବିଚିତ୍ର ସାହୁ (୬୭ ) ଓ ସ୍ତ୍ରୀ କବିତା ସାହୁ ( ୫୮) ଙ୍କ ମରଶରୀର ଗତକାଲି ସ୍ଵତନ୍ତ୍ର ଫ୍ଲାଇଟ ଯୋଗେ ସକାଳେ ରାୟପୁର ଓ ପରେ ଅପରାହ୍ନରେ ଆମ୍ବୁଲାନ୍ସ ଯୋଗେ ତରଭା ସ୍ଥିତ ବାସଭବନ ଠାରେ ପହଞ୍ଚିଥିଲା l ଉଭୟଙ୍କ ମର ଶରୀର ପହଞ୍ଚିବା ପରେ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ତରଭା ସହର ଲୋକାରଣ୍ୟ ହୋଇ ପଡିଥିଲା l ମର ଶରୀର ପହଞ୍ଚିବା ପରେ ପରିବାର ଆତ୍ମୀୟ ସ୍ୱଜନ ଙ୍କ କାନ୍ଦ ବୋବାଳି ରେ ଫାଟି ପଡ଼ିଥିଲା ଅଞ୍ଚଳ l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ପହଞ୍ଚି ମର ଶରୀରକୁ ଅନ୍ତିମ ଦର୍ଶନ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକ ସନ୍ତପ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସମବେଦନା ଜଣାଇଥିଲେ l ଦୁଃଖରେ ମ୍ରିୟମାଣ ହୋଇଥିବା ହଜାର ହଜାର ଶୁଭେଛୁ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏଥିରୁ ସ୍ପଷ୍ଟ ବାରି ହେଉଥିଲା ଯେ ମୃତ ସାହୁ ଦମ୍ପତ୍ତି କେତେ ଲୋକ ପ୍ରିୟ କେତେ ମେଳାପି ଥିଲେ ଏବଂ ନିଜ ସହର ପାଇଁ ସମାଜ ପାଇଁ କେତେ ଉତ୍ସର୍ଗୀକୃତ ଥିଲେ l ୟୁନିଅନ ବ୍ୟାଙ୍କ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ସଂଘ, ଶିଶୁ ବିଦ୍ୟା ମନ୍ଦିର ଶିକ୍ଷକ ଶିକ୍ଷୟିତ୍ରୀ, ତରଭା ବ୍ଲକ୍ ସାମ୍ୱାଦିକ ସଂଘ, ମାହେଶ୍ୱରୀ ସ୍ବେଛାସେବୀ ସଂଗଠନ, ସୋନପୁରର ସ୍ଵଚ୍ଛ ଭାରତ ସଙ୍ଗଠନ, ଓଡ଼ିଶା ସାମ୍ୱାଦିକ ସଂଘ ଜିଲ୍ଲା ଶାଖା କର୍ମକର୍ତ୍ତା ଙ୍କ ସମେତ ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ବ୍ୟକ୍ତି ବିଶେଷ, ସ୍ଥାନୀୟ ପ୍ରଶାସନ ଓ ସହରବାସୀ ମୃତ ସାହୁ ଦମ୍ପତ୍ତି ଙ୍କ ଅନ୍ତିମ ଯାତ୍ରା ରେ ସାମିଲ ହୋଇଥିଲେ l ସୂଚନା ଯୋଗ୍ୟ ଯେ ସୁବର୍ଣ୍ଣପୁର ଜିଲ୍ଲା ତରଭାର ୨ଟି ପରିବାରର ୭ ଜଣ ମିଶି ଜାମ୍ମୁ ର କଟରା ଠାରେ ଅବସ୍ଥିତ ମା ବୈଷ୍ଣଦେବୀ ଙ୍କ ଦର୍ଶନ ପାଇଁ ଯାଇଥିଲେ। ଏଥିରେ ତରଭା ର ବିଚିତ୍ର ସାହୁ (୬୭), ତାଙ୍କ ସ୍ତ୍ରୀ କବିତା ସାହୁ (୫୮) ଯୋଗେନ୍ଦ୍ର ମଟାରୀ (୬୬) ତାଙ୍କ ପତ୍ନୀ ସ୍ନେହଲତା ମଟାରୀ ତାଙ୍କ ପୁଅ, ପୁତ୍ରବଧୂ ଓ ଝିଅ ଥିଲେ l ମଙ୍ଗଳବାର ମା’ ଙ୍କ ଦର୍ଶନ କରି ସମସ୍ତେ ହେଲିକପ୍ଟର ସାହାଯ୍ୟରେ କଟରାକୁ ଫେରିଥିଲେ l କଟରା ହେଲିପ୍ୟାଡ୍ରୁ ୪ଜଣ ବରିଷ୍ଠ ସଦସ୍ୟ ବିଚିତ୍ର ସାହୁ, କବିତା ସାହୁ, ଯୋଗେନ୍ଦ୍ର ମଟାରୀ ଏବଂ ସ୍ନେହଲତା ମଟାରୀ ଏକ ଅଟୋରେ ହୋଟେଲକୁ ଫେରୁଥିଲା ବେଳେ ଅନ୍ୟମାନେ ଚାଲିଚାଲି ଫେରୁଥିଲେ l ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ଉକ୍ତ ଅଟୋକୁ ଧକ୍କା ଦେବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…