July 6, 2025
Home » ଜାତୀୟସ୍ତରରେ ଦ୍ବିତୀୟ ଶ୍ରେଷ୍ଠ ଭାବେ ପୁରସ୍କୃତ ହେଲା କୋରାପୁଟ ଜିଲ୍ଲା ପଞ୍ଚାୟତ

ଜାତୀୟସ୍ତରରେ ଦ୍ବିତୀୟ ଶ୍ରେଷ୍ଠ ଭାବେ ପୁରସ୍କୃତ ହେଲା କୋରାପୁଟ ଜିଲ୍ଲା ପଞ୍ଚାୟତ

0
WhatsApp Image 2024-12-13 at 2.03.37 PM

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ନୂଆଦିଲ୍ଲୀର ଭିଗାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ‘ନାନଜୀ ଦେଶମୁଖ ଶ୍ରେଷ୍ଠ ପଞ୍ଚାୟତ ସ୍ଥାୟୀ ବିକାଶ ପୁରସ୍କାର’ ଶ୍ରେଣୀ ଅନ୍ତର୍ଗତ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି । ଦ୍ବିତୀୟ ଶ୍ରେଷ୍ଠ କୋରାପୁଟ ଜିଲ୍ଲା ପଞ୍ଚାୟତ ଭାବେ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାରକୁ କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକାଙ୍କ ସହ କୋରାପୁଟ ଜିଲ୍ଲାପାଳ କିର୍ତ୍ତୀ ଭାସନ ଭି ଗ୍ରହଣ କରିଥିଲେ। ୨୦୨୨ ମସିହାରେ ନବୀକରଣ ହୋଇଥିବା ଏହି ପୁରସ୍କାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଜାତୀୟ ପଞ୍ଚାୟତ ପୁରସ୍କାର ମାଧ୍ୟମରେ ସର୍ବୋତ୍ତlମ ପ୍ରଦର୍ଶନ କରୁଥିବା ପଞ୍ଚାୟତକୁ ପ୍ରୋତ୍ସାହିତ କରେ। ସେଥିରୁ ନଅ ଗୋଟି ସ୍ଥାନୀୟ ସ୍ଥାୟୀ ବିକାଶ ଲକ୍ଷ୍ୟର ଥିମ୍ ସହିତ ସମାନ ଯାହା ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଏକତ୍ରିତ କରିଥାଏ ।
ସ୍ୱୀକୃତି କୋରାପୁଟର ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ବିକାଶ ପାଇଁ ଆଦର୍ଶ ଅବଦାନକୁ ଆଲୋକିତ କରେ । ପଞ୍ଚାୟତ ମନ୍ତ୍ରଣାଳୟ ୧୭ ଟି ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଦାରିଦ୍ର୍ୟ ମୁକ୍ତ ତଥା ବର୍ଦ୍ଧିତ ଜୀବିକା ପଞ୍ଚାୟତ, ସୁସ୍ଥ ପଞ୍ଚାୟତ, ଶିଶୁ ଅନୁକୁଳ ପଞ୍ଚାୟତ, ଜଳ ପର୍ଯ୍ୟାପ୍ତ ପଞ୍ଚାୟତ, ସ୍ୱଚ୍ଛ ଏବଂ ସବୁଜ ପଞ୍ଚାୟତ, ପଞ୍ଚାୟତରେ ଆତ୍ମନିର୍ଭରଶୀଳ ଭିତ୍ତିଭୂମି, ସାମାଜିକ ନ୍ୟାୟ ଏବଂ ସାମାଜିକ ସୁରକ୍ଷିତ ପଞ୍ଚାୟତ, ଉତ୍ତମ ଶାସନ ସହ ପଞ୍ଚାୟତ ଏବଂ ମହିଳା ଅନ୍ତର୍ଭୁକ୍ତ ଥିବା ଭଳି ଏହି ନଅଟି ଲୋକାଲ ଥିମରେ ବିଭକ୍ତ କରିଛି, ଯାହାକୁ ସ୍ଥାନୀୟ ସ୍ଥାୟୀ ବିକାଶ ଲକ୍ଷ୍ୟ କୁହାଯାଏ ।
ଜିଲ୍ଲାର କର୍ମଚାରୀ ତଥା ନିର୍ବାଚିତ ପଞ୍ଚାୟତ ପ୍ରତିନିଧୀଙ୍କ ସାମୂହିକ ପ୍ରୟାସର ଫଳ ଏବଂ ଏହାର ୨୪୦ ଟି ପଞ୍ଚାୟତ ଦ୍ଵାରା ସମସ୍ତ ଏଲ୍ଏସଡିଜି ଥିମ୍ ଗୁଡିକରେ ଜିଲ୍ଲାର ଅତୁଳନୀୟ ପ୍ରଦର୍ଶନ ଯୋଗୁଁ ହିଁ କେବଳ ଏହି ପୁରସ୍କାର ସମ୍ଭବ ହୋଇପାରିଛି ବୋଲି ଜିଲ୍ଲାପାଳ କହିଥିଲେ । ଏଥିସହ ଏହି ସ୍ୱୀକୃତି ଆମକୁ ପ୍ରଶାସନ ପାଇଁ ସର୍ବୋତ୍ତମ ପ୍ରଦାନ କରିବାକୁ ତଥା ଆମର ନିରନ୍ତର ବିକାଶର ଯାତ୍ରା ଜାରି ରଖିବାକୁ ପ୍ରେରଣା ଯୋଗାଇଥାଏ ବୋଲି ଜିଲ୍ଲାପାଳ ଶ୍ରୀ କିର୍ତ୍ତୀ କହିଛନ୍ତି। ସେହିପରି କୋରାପୁଟ ଜିଲ୍ଲା ତଥା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା କହିଛନ୍ତି।ଏହି ପୁରସ୍କାର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ଉତ୍ସର୍ଗୀକୃତ ଏବଂ ଏହି ସଫଳତା ପାଇଁ ଜିଲ୍ଲାର ସମସ୍ତ ପଂଚାୟତରାଜ ଜନ ପ୍ରତିନିଧି ମାନଙ୍କ ଭୂମିକା ପ୍ରଶଂସୀୟ ବୋଲି ଜିଲ୍ଲାପାଳ କହିଛନ୍ତି।
ବିଜ୍ଞାନ ଭବନରେ ପୁରସ୍କାର ପ୍ରଦାନ ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ।ଏହି ବାବଦରେ କୋରାପୁଟ ଜିଲ୍ଲା ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି। ଜାତୀୟ ସ୍ତରରେ ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *