ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ(ଏମ.ଏଲ) ଲିବରେସନର ଗଣ ପ୍ରତିବାଦ
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ(ଏମ.ଏଲ) ଲିବରେସନ ତରଫରୁ ଗଣ ପ୍ରତିବାଦ କରାଯାଇଥିଲା । ସିପିଆଇ(ଏମ.ଏଲ) ଲିବରସେନର ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ପୁରୁଣା ବସଷ୍ଟାଣ୍ଡ୍ ଠାରୁ ବହୁସଂଖ୍ୟକ ଦଳୀୟ କର୍ମୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ରାଜ୍ୟ ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସମ୍ପାଦକ ତ୍ରିପତି ଗମାଙ୍ଗ,ରାଜ୍ୟ କମିଟି ସଦସ୍ୟ ଅଶୋକ ପ୍ରଧାନଙ୍କ ସମେତ ଅନ୍ୟ ନେତା ମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପ ବିରୋଧରେ ବର୍ଷିଥିଲେ ।

ଏହାପରେ ସେମାନେ ୧୭ଦଫା ସମ୍ବଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗଜପତି ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମୁନୀନ୍ଦ୍ର ହୋନାଗା ଦାବୀପତ୍ରଟି ଗ୍ରହଣ କରିଥିଲେ । ଉକ୍ତ ଦାବୀପତ୍ରରେ ଅକ୍ଟୋବର ମାସରେ ସାମୁଦ୍ରିକ ଝଡ ମୋନ୍ଥା ଓ ଲଘୁଚାପ ଜନିତ ବର୍ଷାରେ ଗଜପତି ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ଧାନ,ମକା ଓ କପାଚାଷୀଙ୍କୁ ଯଥାକ୍ରମେ ଏକର ପିଚ୍ଛା୬୦ହଜାର ୮୦ହଜାର ଓ ୯୦ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ପ୍ରଦାନ କରିବା, ି ଜିଲ୍ଲାରେ କୃଷିକ୍ଷେତ୍ରକୁ ଜଳସେଚନ ପ୍ରକଳ୍ପ ନିର୍ମାଣ କରି ଜଳ ଯୋଗାଇବ,

ଚାଷୀଙ୍କ ଫସଲକୁ ସଂରକ୍ଷଣ କରି ରଖିବା ସକାଶେ ଶୀତଳ ଭଣ୍ଡାର ନିର୍ମାଣ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହାୟତା ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ସମସ୍ତ ଗରିବ ଓ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପରିବାରକୁ ୩ଶହ ୟୁନିଟ୍ ବିଦ୍ୟୁତ ଯୋଗାଇବା, କେନ୍ଦ୍ର ସରକାରଙ୍କ ଦ୍ୱାରା ଜଙ୍ଗଲ ଅଧିକାର ଆଇନ-୨୦୦୬ ଓ ଗ୍ରାମସାଭାକୁ ଅକାମୀ କରିବା ଚକ୍ରାନ୍ତକୁ ବନ୍ଦ କରିବା, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୈନିକ ମଜୁରୀ ୬ଶହ ଟଙ୍କାକୁ ବୃଦ୍ଧି ଓ ରାସନ କାର୍ଡଧାରୀଙ୍କୁ ମାସିକ ୫୦କିଲୋ ଚାଉଳ ପ୍ରଦାନ କରିବା, ଜିଲ୍ଲାରେ ଆଦିବାସୀଙ୍କ ଦ୍ୱାରା ଆଦାୟ ହେଉଥିବା ମହୁଲ, ଝୁଣା, ଝାଡୁ,ହଳଦୀ, ଟୋଲ ବଳି ଜଙ୍ଗଲଜାତ ଦ୍ରବକୁ ଟିଡିସିସି ଦ୍ୱାରା କ୍ରୟବିକ୍ରୟ ବ୍ୟବସ୍ଥା କରିବା , ପାରଳାଖେମୁଣ୍ଡି ଠାରେ ଥିବା ନୂତନ ବସଷ୍ଟାଣ୍ଡ୍ ଠାରେ ରହିଥିବା ଶୌଚାଳୟକୁ କାର୍ଯ୍ୟକ୍ଷମ କରିବା, ଓ ଜିଲ୍ଲାର ଥିବା ଶିକ୍ଷାନୁଷ୍ଠାନ ଗୁଡିକ ପ୍ରତିଦନ ବନ୍ଦ ହେଲାପରେ ସେଗୁଡିକର ହତା ପରିସରରେ ମଦ୍ୟପ ଆଡ୍ଡାସ୍ଥଳୀ ପାଲଟୁଛି ତାହାର ବନ୍ଦ କରିବା ବ୍ୟବସ୍ଥା କରିବା ଆଦି ଉଲ୍ଲେଖ ରହିଛି ।
ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
