ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷର ଉଦଯାପନୀ ଉତ୍ସବ
କେନ୍ଦ୍ରାପଡା: ଜିଲ୍ଲା ଜଳସେଚନ ବିଭାଗ ପକ୍ଷରୁ ଜଣ୍ଟିଲୋ ଜଳସେଚନ, ଡାକବଙ୍ଗଳାଠାରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ-୨୦୨୬ର ଉଦଯାପନୀ ଉତ୍ସବରେ ଜଳସେଚନର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରଘୁରାମ ର. ଆୟର ଯୋଗ ଦେଇଥିବା ବେଳେ ସଂମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦର ଉପସଭାପତି ଭୀଷ୍ମ ମହାନ୍ତି, ଜିଲ୍ଲାପରିଷଦର ସଦଶ୍ୟ ରଶ୍ମିରଂଜନ ରାଉତ, ନିର୍ମଳା ମହାନ୍ତି, ଜିଲ୍ଲା ମୁଖ୍ୟ ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକ, ଉଠା ଜଳସେଚନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଡ୍ରେନେଜ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଜୟ ସେଠି, ମୃତ୍ତିକା ସରଂକ୍ଷଣ ଅଧିକାରୀ ନିର୍ମଳ କୁମାର ଜେନା, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସୋମ୍ୟରଞ୍ଜନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଣି ପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘ ସ୍ଥାୟୀ ନିମନ୍ତେ ଆପ୍ରାଣ ଉଦ୍ୟମ କରିବା, ଜଳ ବଣ୍ଟନ ଜନିତ ବିବାଦର ଗଣତାନ୍ତ୍ରିକ ପଦ୍ଧତିରେ ଆପୋଷ ସମାଧାନ କରିବା ସମ୍ପର୍କରେ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ଫସଲ ବିବିଧକରଣ, ଅର୍ଥକରୀ ଫସଲ ଯଥା ଡାଲି ଜାତୀୟ ଫସଲ ଉତ୍ପାଦନ, ଜଳବାୟୁ ଅନୁକୂଳ, ଚାଷ ପଦ୍ଧତି ଏବଂ ସମନ୍ୱିତ ଚାଷ ପଦ୍ଧତି ଉପଯୋଗ କରିପାରିଲେ କୃଷକମାନେ ନିଜ ଜୀବିକାର ମାନ ବୃଦ୍ଧି କରିପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବ୍ରାଜିଲ ଭଳି ଦେଶର କୃଷକମାନେ ଚଣା ବା ଡାଲି ଜାତୀୟ ଫସଲ ଉତ୍ପାଦନ କରି ବିଦେଶକୁ ରପ୍ତାନି କରନ୍ତି ଓ ନିଜର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିପାରିଛନ୍ତି ବୋଲି ତାଙ୍କ ଅଭିଭାଷରେ କହିଥିଲେ । ସହାଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ସମସ୍ତ ପାଣି ପଞ୍ଚାୟତର ସଦଶ୍ୟମାନେ ମିଳିମିଶି ସେଚ ଅଞ୍ଚଳରେ ସୁଷମ ତଥା ସମାନୁପାତିକ ଜଳବଣ୍ଟନକୁ ଗୁରୁତ୍ୱ ଦେବା, ସେଚ ଅଞ୍ଚଳରେ ଥିବା କ୍ଷେତ୍ର ନଳୀ ଓ ନିଷ୍କାସନ ନଳୀ ଇତ୍ୟାଦିର ରକ୍ଷଣବେକ୍ଷଣ, ଖରିଫ ଋତୁର ବଳକା ଜଳକୁ ସଞ୍ଚୟ କରି ରବି ଋତୁରେ ଉପଯୋଗ ନିମନ୍ତେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ମୃତ୍ତିକା ସରଂକ୍ଷଣ ଓ ଏହାର ଉର୍ବରତା ତଦାରଖ ନିମନ୍ତେ ଚାଷୀମାନେ ପ୍ରାକୃତିକ ସାରର ବ୍ୟବହାରକୁ ଗୁରୁତ୍ୱ ଦେବା ଆବଶ୍ୟକ ।
ଆୟୋଜିତ ଏହି ଦିବସ ଉପଲକ୍ଷେ ଜଳସେଚନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ରଚନା, କୁଇଜ, ଚିତ୍ରକଳା, ବକୃତା ଓ ମଡେଲ ପ୍ରତିଯୋଗିତାର ୧୪ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥା କ୍ରମେ ୩୦୦୦, ୨୫୦୦, ୨୦୦୦ ଟଙ୍କାର ଆର୍ଥିକ ରାଶି ସହ ପ୍ରମାଣ ପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ପାଣି ପଞ୍ଚାୟତ ପକ୍ଷ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଭାବଗ୍ରାହୀ କଳା ନିକେତନର ସମ୍ପାଦକ କମଳ ପ୍ରସାଦ ପରିଡା ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କଳାକାର ମାନେ ସ୍ୱାଗତ ସଂଗୀତ, ବନ୍ଦେ ମାତରଂ ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଡେରାବିଶ ବ୍ଲକ ଅନ୍ତର୍ଗତ ମଣିପୁରା ଗ୍ରାମର ମହିଳା କୃଷକ କେତକୀ ପ୍ରଭା ସାହୁ ଶ୍ରେଷ୍ଠ କୃଷକ ଭାବେ ମନୋନିତ ହୋଇଛନ୍ତି ଓ ସେ ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ ହେବେ ।
