ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ

କୃଷି ସମୃଦ୍ଧ ସୁବର୍ଣ୍ଣପୁର ଜିଲ୍ଲାର ଅର୍ଥନୈତିକ ବିକାଶ ସରକାରଙ୍କ ଲକ୍ଷ୍ୟ, ବିଧାୟକ ଇଂ. ରଘୁନାଥ ଜଗଦଲା l
ସୁବର୍ଣ୍ଣପୁର: ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ “ବର୍ଷ ଏକ ଉପଲବ୍ଧି ଅନେକ” ଶୀର୍ଷକ ଜିଲ୍ଲାସ୍ତରୀୟ ବିକାଶ ମେଳା – ୨୦୨୫ ସୁବର୍ଣ୍ଣପୁରର ରୟାଲ ପଡ଼ିଆଠାରେ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକାଶ ମେଳାର ଉଦଘାଟନୀ ସମାରୋହକୁ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ପ୍ରଦୀପ ଜାଳି ଶୁଭାରମ୍ଭ କରିଛନ୍ତି । ବିକଶିତ ଓଡ଼ିଶାର ସଂକଳ୍ପ ସହ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଭିନ୍ନ ଯୋଜନାର ସଫଳତାକୁ ନେଇ ବିଧାୟକ ଇଂ.ରଘୁନାଥ ଜଗଦଲା ବକ୍ତବ୍ୟ ଦେଇଥିବାବେଳେ କୃଷି ସମୃଦ୍ଧ ସୁବର୍ଣ୍ଣପୁର ଜିଲ୍ଲାର ଅର୍ଥନୈତିକ ବିକାଶ ଆମ ସରକାରର ପ୍ରମୁଖ ଦାୟିତ୍ୱ ବୋଲି କହିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ବିକାଶ ମେଳା ଆସନ୍ତା ୨୧ତାରିଖ ଯାଏଁ ପାଳିତ ହେବାକୁ ଥିବାବେଳେ ଆଜି ଜିଲ୍ଲାର ୬ଟି ବ୍ଲକ ଅଞ୍ଚଳରେ ଭ୍ରାମ୍ୟମାଣ ବିକାଶ ବାହନ ଗଡ଼ିବା ଆରମ୍ଭ ହୋଇଛି । ଠିକ ସେହିପରି,ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବନକୁ ନେଇ ସୁଭଦ୍ରା ଶକ୍ତି ମେଳା କ୍ରମରେ ପାରମ୍ପରିକ ଖାଦ୍ୟମେଳା ଆୟୋଜିତ ହୋଇଛି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସାତଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା ପରିସରରେ ୬୪ ଟି ଷ୍ଟଲ ନିର୍ମାଣ ହୋଇଥିବାବେଳେ ବିଭିନ୍ନ ବିଭାଗର ଉନ୍ନୟନ ସାମଗ୍ରୀ ଓ ବିକାଶର ଚିତ୍ର ପ୍ରଦର୍ଶିତ ହୋଇଛି ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁ ଓ ଯୁବ କଳାକାରଙ୍କ ଦ୍ବାରା ପରିବେଷିତ ନୃତ୍ୟଗୀତକୁ ଲୋକେ ଉପଭୋଗ କରିଥିଲେ ।
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )