ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ସମାରୋହ ପାଳିତ

କଟକ : ସ୍ଵାଧୀନତା କେବଳ ୧୯୪୭ ମସିହାର ଗୋଟିଏ ଦିନର କାହାଣୀ ନୁହେଁ- ଏହା ହେଉଛି ଆମ ଉପରେ ନ୍ୟସ୍ତ ହୋଇଥିବା ପ୍ରତ୍ୟେକ ଦିନର ଦାୟିତ୍ଵ । ଏହାକୁ ସୁରକ୍ଷିତ ରଖିବା ହେଉଛି ଆମ୍ଭମାନଙ୍କର କର୍ତ୍ତବ୍ୟ । ନ୍ୟାୟ, ଶିକ୍ଷା, ସମାନତା ଓ ବିକାଶ କ୍ଷେତ୍ରରେ ଓଡିଶାକୁ ଆଗକୁ ନେବାକୁ ହେବ ଏବଂ ଉତ୍ତର ପିଢୀଙ୍କୁ କଷ୍ଟଲବ୍ଧ ସ୍ଵାଧୀନତାର ପ୍ରକୃତ ଅର୍ଥ ବୁଝାଇବାକୁ ହେବ । ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତୀକ କଟକ ସହର ବିକାଶ ପଥରେ ଅଗ୍ରସର ହେଉ । ଏହି ବିକାଶ ଯାତ୍ରାକୁ ଆହୁରି ବଳିଷ୍ଠ କରି କଟକକୁ ଦେଶରେ ତଥା ବିଶ୍ୱରେ ଏକ ଆଦର୍ଶ ସହର ରୂପେ ଗଢି ତୋଳିବା ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ୭୯ ତମ ସ୍ୱାଧୀନତା ଦିବସ ଅବସରରେ କଟକ ବାରବାଟୀ ଷ୍ଟାଡିଅମଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଉଦ୍ବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି କଟକ ଜିଲ୍ଲାରେ ସୁଭଦ୍ରା ପ୍ଲସ ନାମରେ ଯୋଜନା ଖୁବ ଶୀଘ୍ର ଲାଗୁ ହେବା ପାଇଁ ଯାଉଛି । ସମଗ୍ର ରାଜ୍ୟରେ ପ୍ରଥମ ଥର ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଯୋଜନା ଲାଗୁ କରାଯିବ । ଉଦ୍ୟୋଗୀ ମହିଳାମାନଙ୍କ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି, ସରଞ୍ଜାମ କ୍ରୟ ପାଇଁ ସୁଭଦ୍ରା ପ୍ଲସ ବେଶ ସହାୟକ ହୋଇପାରିବ । ମହିଳା ସମୂହଙ୍କୁ ଶକ୍ତିଶାଳୀ କରିବା, କୁଟୀର ଶିଳ୍ପକୁ ଅଗ୍ରାଧିକାର ଦେବା, ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ ବୃଦ୍ଧି ସହ ବଜାର ଉପଲବ୍ଧ କରି ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ସେ ଜୋର୍ ଦେଇଥିଲେ ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଙ୍କ ଅଭିଭାଷଣରେ କହିଛନ୍ତି, କଟକ ସହରର ମାତା ମଠ ସ୍ଥିତ ସିଲଭର ସିଟି ବୋଟ କ୍ଲବର ବିକାଶ ଓ ଉନ୍ନତିକରଣ ପାଇଁ ୫ କୋଟି ଟଙ୍କା ଓ ଭିତ୍ତିଭୂମି ବିକାଶ ନିମନ୍ତେ ୧୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେଗୁଡ଼ିକର ବିକାଶ ନିମନ୍ତେ ସରକାର ଯଥୋଚିତ ପଦକ୍ଷେପ ନେଉଛନ୍ତି । ସେହିଭଳି ମା ଘଟଗାଁ ତାରିଣୀ, ମା ବିରଜାଙ୍କ ପୀଠ ଓ ପର୍ୟ୍ୟଟନ ସ୍ଥାନର ଉନ୍ନତିକରଣ, ତଲସରୀ ଓ ଚାନ୍ଦିପୁର ବେଳାଭୂମିର ବିକାଶ, ମା ମଙ୍ଗଳା ପୀଠ, ଅଷ୍ଟଶମ୍ଭୁ କରିଡର, ଦାସିଆ ପୀଠର ଉନ୍ନତିକରଣ, ସତ୍ୟବାଦୀ ବକୁଳବନର ଉନ୍ନତିକରଣ, ବୌଦ୍ଧ କରିଡର ଓ ଖଣ୍ଡଗିରିଠାରେ ଐର ଖାରବେଳଙ୍କ ଯଶକୀର୍ତ୍ତିକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରାଯାଉଛି । ରୌପ୍ୟ ନଗରୀ କଟକର ଅନ୍ୟତମ ଐତିହ୍ୟ ତାରକସିକୁ ବିଶ୍ଵ ଦରବାରରେ ପହଞ୍ଚାଇବା ନିମନ୍ତେ ରୌପ୍ୟ ତାରକସି ସୁବିଧା କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।
କଟକ ସହର ଶିକ୍ଷା, ସଂସ୍କୃତି ଓ ବିକାଶ କ୍ଷେତ୍ରରେ ସମଗ୍ର ଓଡିଶା ରାଜ୍ୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି କ୍ଷ ଖଦି ଆନ୍ଦୋଳନରେ ସମଗ୍ର ଭାରତ ବର୍ଷରେ କଟକ ସହର ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଆସୁଅଛି କ୍ଷ ବହୁ ସ୍ୱାଧୀନତା ସଂଗ୍ରାମୀ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରି ହେଉ ଅଥବା କଟକକୁ ନିଜର କର୍ମଭୂମି ଭାବରେ କିମ୍ବା ସାଧନାର ପୀଠ ଭାବରେ ଗ୍ରହଣ କରି ନିଜକୁ ଜାତୀୟ ସଂଗ୍ରାମରେ ସାମିଲ କରିଥିଲେ। ଗୋପବନ୍ଧୁ ଚୌଧୁରୀ, କର୍ମବୀର ଗୌରିଶଙ୍କର, ନବକୃଷ୍ଣ ଚୌଧୁରୀ,ମା’ ରମାଦେବୀ, ବିଶ୍ୱନାଥ ଦାସ, ହରେକୃଷ୍ଣ ମହତାବ, ମନମୋହନ ଚୌଧୁରୀ,ମାଳତୀ ଚୌଧୁରୀ,ବିଶ୍ୱନାଥ ପଣ୍ଡିତ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ରାଜକୃଷ୍ଣ ବୋଷଙ୍କ ଭଳି ବହୁ ସ୍ୱାଧୀନତା ସଂଗ୍ରାମୀ ଓ ଜନସେବକ ଅବିଭକ୍ତ କଟକ ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମକୁ ଚଳାଇ ରଖିବାରେ ବହୁ କଷ୍ଟ ସ୍ୱୀକାର କରିଥିଲେ । ଖାଲି ଏତିକି ନୁହେଁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ବିଗୁଲ ବାଜିଥିଲା ଏହି କଟକର ଐତିହାସିକ ଇଦ୍ଗା ପଡ଼ିଆରେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ ଓ ତାରକସୀ କାର୍ୟ୍ୟ ମହାତ୍ମାଗାନ୍ଧୀଙ୍କୁ କେବଳ ଆକୃଷ୍ଟ କରିନଥିଲା, ତାଙ୍କୁ ବିଶେଷ ଭାବରେ ପ୍ରଭାବିତ ମଧ୍ୟ କରିଥିଲା।
ସେ ଆହୁରି ମଧ୍ୟ କହିଥିଲେ କଟକ ବିନା ଓଡ଼ିଶାର ସାଂସ୍କୃତିକ ବୈଭବକୁ ଆଲୋଚନା କରିହେବ ନାହିଁ । କଳା, ସାହିତ୍ୟ, ବିଜ୍ଞାନ, ଖେଳକୁଦ,କ୍ରିକେଟ, ଯାନିଯାତରା, ରାଜନୀତି ଆଦି ପ୍ରାୟ ସବୁକ୍ଷେତ୍ରରେ କଟକ ସର୍ବଦା ନେତୃତ୍ୱ ପ୍ରଦାନ କରିଆସିଛି । ଐତିହାସିକ ନୌବାଣିଜ୍ୟର ସଂସ୍କୃତିର ବାର୍ତ୍ତା ବହନ କରୁଥିବା କଟକ-ବାଲିଯାତ୍ରା ଆଜି ବିଶ୍ଵ ସଂସ୍କୃତି ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। କଟକ ବାଲିଯାତ୍ରା ଓଡ଼ିଶାର ସାଧବପୁଅମାନଙ୍କର ପ୍ରାଚୀନ ନୌବାଣିଜ୍ୟ ଓ ଓଡ଼ିଶାର ବୈଭବର ସ୍ମରଣ କରାଇଥାଏ । ଏହା ପୂର୍ବଭାରତର ଏକ ପ୍ରସିଦ୍ଧ ମେଳା ଭାବରେ ମଧ୍ୟ ଖ୍ୟାତିଲାଭ କରିଛି। କଟକର ଦୁର୍ଗାପୂଜା ଓ ଭସାଣୀ ଉତ୍ସବର ପଟାନ୍ତର ନାହିଁ ।
ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ତଥା ମୁଖ୍ୟଅତିଥି ବାରବାଟୀ ଷ୍ଟାଡିଅମରେ ପହଂଚିବା ପରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ ସ୍ୱାଗତ ଜଣାଇବା ସହ ଅଭିବାଦନ ମଂଚକୁ ପାଛୋଟି ନେଇଥିଲେ । ପରେ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଜାତୀୟ ପତାକା ଉତ୍ତୋଳନ କରିବା ସହ ୭୯ତମ ଜିଲ୍ଲାସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଚଳିତଥର ପରେଡରେ ୫୨ଟି ଟ୍ରୁପ୍ ଅଂଶଗ୍ରହଣ କରିଥିଲେ । ପରେଡ କମାଣ୍ଡର ଭାବରେ ସହକାରୀ ପୋଲିସ୍ କମିଶନର ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ପରେଡ ପରିଚାଳନା କରିଥିଲେ ।
ଏହାବ୍ୟତୀତ ଉଲ୍ଲେଖନୀୟ ସେବା ନିମନ୍ତେ ଜିଲ୍ଲାର ଶ୍ରେଷ୍ଠ ଛାତ୍ର, ଛାତ୍ରୀ, ଶିକ୍ଷକ, ପୋଲିସ୍, ଅଗ୍ନିଶମ ସେବା, ବନ ବିଭାଗ, ସ୍ୱଚ୍ଛତା କର୍ମଚାରୀ ଓ ଜନସେବାରେ ନିୟୋଜିତ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ସେହପରି ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ୟ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର ୧୮ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ଶ୍ରେଣୀ ବିଭାଗରେ ପୁରସ୍କୃତ କରାଯାଇଥିଲା ।
ପରେ ପରେ ବାରବାଟୀ ପ୍ୟାଲେସଠାରେ ଆୟୋଜିତ ବିଶାଳ ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଶ୍ରୀମତୀ ପରିଡା ଉଦ୍ଘାଟନ କରିବା ସହ ରକ୍ତଦାତାମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ କଟକ ମହାନଗର ନିଗମର ମିଳିତ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ପରେ ମୁଖ୍ୟ ଅତିଥି ସର୍କିଟ ହାଉସଠାରେ ବୃକ୍ଷ ରୋପଣ କରିଥିଲେ ।
ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମାନ୍ୟବର ବିଧାୟିକା ବାରବାଟୀ-କଟକ ଇଂ ସୋଫିଆ ଫିର୍ଦ୍ଦୋସଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଡକ୍ଟର ଦିବ୍ୟଲୋଚନ ମହନ୍ତ, ଡଃ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ସ୍ମୃତିରଞ୍ଜନ ଦେଓ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ୟ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ପରିଚାଳନା କରିଥିବାବେଳେ କାର୍ୟ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ୟ୍ୟ ସମ୍ପାଦନ କରିଥିଲେ । ପ୍ରତ୍ୟୁଷରୁ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ସହରରେ ରାମଧୂନ୍ ପରିବେଷଣ କରାଯାଇଥିଲା ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ