ଜିଲ୍ଲା ଉନ୍ନୟନ ସମନ୍ୱୟ ପର୍ଯ୍ୟାଲୋଚନା କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ
ନୟାଗଡ଼ :ନୟାଗଡ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ପର୍ଯ୍ୟାଲୋଚନା କମିଟି ସମୀକ୍ଷା ବୈଠକ (ଦିଶା)ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କଟକ ଲୋକସଭା ମଣ୍ଡଳୀର ସାଂସଦ ଡ. ଭର୍ତ୍ତୃହରି ମହତାବ । ଆଜି ଏଜେଣ୍ଡା ଅନୁସାରେ ୫ଟି ବିଷୟରେ ସମୀକ୍ଷା ପାଇଁ ସ୍ଥିର କରାଯାଇଥିଲା । ଯଥା – ମୁର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଗ୍ରାମୀଣ ଜୀବିକା ମିଶନ, ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା, ପିଏମ୍ କୌଶଳ ବିକାଶ ଯୋଜନା, ଏବଂ ପ୍ରଧାନ ମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ । ପ୍ରଥମେ ଗତ ବୈଠକର ନିଷ୍ପତି ଉପରେ କିପରି କାର୍ଯ୍ୟ ହୋଇଛି ସମୀକ୍ଷାକୁ ଯାଇ ପାନୀୟଜଳ ଉପରେ ଆଲୋଚନାରେ ଅଧିକାରୀ ନିର୍ବାହୀ ଯନ୍ତ୍ରୀ ଆଲୋକ ପଣ୍ଡା ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିବାରୁ ଅଧ୍ୟକ୍ଷ ବିରକ୍ତ ହୋଇ ବୈଠକକୁ ପ୍ରସ୍ତୁତ ହୋଇ ଆସିବାକୁ ତାଗିଦ କରିଥିଲେ । ପାଇପ ବିଛାଇବା ଓ ପାଣି କେବେ ଯୋଗାଣ ହେବ ତାହାର ମଧ୍ୟ ସଠିକ ଉତ୍ତର ମିଳିନଥିଲା । ଆର ଡବ୍ଲ୍ୟୁ ଏସ ଏସ, ଓ ଓଡ଼ିଶା ବାହାର ଠିକା ସଂସ୍ଥା ହୋଇଥିବାରୁ ତାଳ ମେଳ ରହୁନଥିବାର ଜଣାପଡିଥିଲା । ଦୀର୍ଘ ସମୟ ଧରି ଆଲୋଚନା କରିଥିବା ବେଳେ କାର୍ଯ୍ୟକ୍ରମ ଠିକ୍ ଭାବରେ ଚାଲିନଥିବାର ଜାଣିବାକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଉପରେ ସମୀକ୍ଷା ବେଳେ ସ୍କୁଲଗୁଡ଼ିକରେ ସୂର୍ଯ୍ୟଘର ଯୋଜନାକୁ ବିଧାୟକ ଓ ସାଂସଦ ଅନୁଦାନ ପାଣ୍ଠିରୁ ଆର୍ଥିକ ସହାୟତାରେ କରାଯିବାପାଇଁ ପ୍ରସ୍ତାବ ଦେଇଥିଲେ । ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିଷୟରେ ସମୀକ୍ଷା ବେଳେ କାମ କଲାବେଳେ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପଞ୍ଚାୟତ ଗୁଡିକରେ ବ୍ୟାଟେରୀ ଚାଳିତ ଗାଡି ପରିଚାଳନା ଉପରେ ସମୀକ୍ଷା ସମୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ବର ଶତପଥୀ ଓ ଧର୍ମେନ୍ଦ୍ର କୁମାର ଧଳ ଗାଡ଼ି କିଣାରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଟେଣ୍ଡର ଡକାଯିବା, କ୍ରୟ କରାଯିବା ଉପରେ ସଂପୂର୍ଣ୍ଣ ହିସାବର ତଥ୍ୟ ଦେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମିଣ ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ଶିକ୍ଷା ଯୋଜନା, ଜିଲ୍ଲା ଶିଳ୍ପ କେନ୍ଦ୍ର, ନୟାଗଡ ଵନ ବିଭାଗ ର କାମ୍ପା ଯୋଜନା ଉପରେ ବିସ୍ତୃତ ଆଲୋଚନା ବେଳେ ଅଧିକାରୀ ମାନଙ୍କ ଠାରୁ ସଠିକ୍ ଉତ୍ତର ମିଳିନଥିଲା । ନୟାଗଡର ବହୁଦିନରୁ ଆଶା ବୃତଙ୍ଗ ଯୋଜନା ବିଷୟରେ ଜଣାପଡିଥିଲା, ନଭେମ୍ବର ମାସରେ ପ୍ରାରମ୍ଭିକ କାର୍ଯ୍ୟର ଟେଣ୍ଡର ଆହ୍ବାନ କରାଯିବ । କିନ୍ତୁ ବୃତଙ୍ଗ ଯୋଜନାର ରୁପରେଖ ବିଷୟରେ ସଠିକ୍ ଉତ୍ତର ବୈଠକକୁ ଆସିଥିବା ଅଧିକାରୀ ଦେଇପାରିନଥିଲେ । ଆଜିର ଦିଶା ବୈଠକ ନୈରାଶ୍ୟଜନକ ଥିଲା । ଯେତେ ବିଷୟରେ ଆଲୋଚନା ହେଲା କୌଣସି ବିଭାଗ ଠିକ୍ ଭାବରେ କାର୍ଯ୍ୟ କରୁଥିବା ଉତ୍ତରରୁ ମନେହେଉନଥିଲା । ଆଜିର ମହତ୍ତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାପାଳ ଛୁଟିରେ ଥିବା ଜଣାପଡିଥିଲା ବେଳେ, ୮ଟି ଯାକ ବ୍ଲକର ବି ଡି ଓ ମଧ୍ୟ ଉପସ୍ଥିତ ନଥିଲେ । ଏହି ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଉପାଧ୍ୟକ୍ଷା ବିଷ୍ଣୁ ପ୍ରିୟା ବେହେରା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ମଞ୍ଚାସିନ ଥିବା ବେଳେ ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଅଳ୍ପ ଦିନ ମଧ୍ୟରେ ଆଉ ଏକ ବୈଠକ କରାଯାଇ ସମୀକ୍ଷା କରାଯିବା ସହିତ ପ୍ରତ୍ୟେକ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ସାଂସଦ ପ୍ରକାଶ କରିଥିଲେ । ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ ଧନ୍ୟବାଦ ଅର୍ପଣ କରିବା ପରେ ଆଜିର ବୈଠକ ସମାପ୍ତି ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
