ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତ, ଜନ ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫- ୨୬ ଅନୁଷ୍ଠିତ
ନୟାଗଡ : ନୟାଗଡ ପଠାଣି ସାମନ୍ତ ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି, ଜଣ ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫ – ୨୬ ଉତ୍ସାହ ଉଦ୍ଦୀପନା ଭରା ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଆଶା କର୍ମୀଙ୍କୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର “ପ୍ରଥମ ସମ୍ପର୍କ ସୂତ୍ର” ବୋଲି ବର୍ଣ୍ଣନା କରିବା ସହିତ ପ୍ରତ୍ୟେକ ଘର ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାକୁ ଆଶାମାନଙ୍କୁ ଦିଗଦର୍ଶନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଆଶା କର୍ମୀଙ୍କ କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିଥିଲେ। ଡାକ୍ତରମାନଙ୍କୁ ସେ “ବିଭାଗର ମସ୍ତିଷ୍କ” ବୋଲି କହି, ନିଜ ଦାୟିତ୍ୱକୁ ସଠିକ୍ ଭାବରେ ପୁରଣ କରିବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପୁଷ୍ପା ନୀଳିମା ଲାକ୍ରା ନୟାଗଡରେ ୯୬୬ ଜଣ ଆଶା ୬୪ଟି ସ୍ଥିରିକୃତ କାର୍ଯ୍ୟରେ ନିୟୋଜିତ ହୋଇଥିବା କଥା ସୁଚାଇ ଦେଇଥିଲେ । ସେମାନେ ନିଜ ଜୀବନକୁ ବିପଦରେ ପକାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ ।

ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ପ୍ରକାଶ ଚନ୍ଦ୍ର ବାନାର୍ଜୀ ଆଶା କାର୍ଯ୍ୟକ୍ରମର ବିବର୍ତ୍ତନ ଉପରେ ଆଲୋକପାତ କରିବ ସହିତ ଆଶା କର୍ମୀମାନେ ବର୍ତ୍ତମାନ ମ୍ୟାଲେରିଆ ନିୟନ୍ତ୍ରଣ, ଫାଇଲେରିଆ ମୁକ୍ତି, ମାତୃ ମୃତ୍ୟୁହାର ଓ ଶିଶୁମୃତ୍ୟୁ ହ୍ରାସ ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ସମ୍ପୃକ୍ତ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟଶ୍ରୀ ପଟ୍ଟନାୟକ ଯୋଗଦେଇ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା-ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ମଜବୁତ କରିବାର ପରାମର୍ଶ ଦେଇଥିଲେ। ସେ ପିଲାମାନଙ୍କ ମଧ୍ୟରେ ମୋବାଇଲର ଅତ୍ୟଧିକ ବ୍ୟବହାର ଯୋଗୁଁ ବଢୁଥିବା ଏକାକୀପଣ ଓ ମାନସିକ ସମସ୍ୟା ଉପରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ମାତୃ ମୃତ୍ୟୁହାରକୁ ଶୂନ କରିବା ପାଇଁ ଗର୍ଭବତୀ ମହିଳାମାନଙ୍କର ନିୟମିତ ଫଲୋଅପ୍, ଭ୍ରୂଣହତ୍ୟା ବିରୋଧରେ ଗ୍ରାମ ସ୍ତରରେ ସଚେତନତା, ଟିକାକରଣ ଓ ଟିବି କ୍ୟାମ୍ପେନକୁ ସଫଳତାର ସହ କାର୍ଯ୍ୟକାରୀ କରିବା, ସ୍ୱାସ୍ଥ୍ୟ ସୂଚକାଙ୍କରେ ଜିଲ୍ଲାକୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇବା ପାଇଁ ସାମୂହିକ ପ୍ରୟାସ କରିବାର ଆହ୍ୱାନ ଦିଆଯାଇଥିଲା। ପ୍ରତି ବ୍ଲକରୁ ଗୋଟିଏ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତିକୁ ପୁରସ୍କାର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିପରି ଜିଲ୍ଲା ଓ ବ୍ଲକ ସ୍ତରୀୟ ଶ୍ରେଷ୍ଠ ଆଶା ଓ ମହିଳା ଆରୋଗ୍ୟ ସମିତିମାନଙ୍କୁ ମଧ୍ୟ ପୁରସ୍କାର ଓ ଅର୍ଥରାଶି ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧାକୁ କାୟାକଳ୍ପ ପୁରସ୍କାର ଅର୍ଥରାଶି ବିତରଣ କରାଯାଇଥିଲା। ପରିଶେଷରେ ଆଶାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀ ଭିତ୍ତିକ ସ୍ୱାସ୍ଥ୍ୟ ସଚେତନଧର୍ମୀ ବାର୍ତ୍ତା ପରିବେଷଣ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
