ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟକୁ ୟୁଜିସି ଧାରା ୨(ଏଫ୍) ଅନୁଯାୟୀ ସ୍ୱୀକୃତି ପ୍ରଦାନ

କୋରାପୁଟ ଜିଲ୍ଲାରେ ସ୍ଥିତ ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟକୁ ୟୁଜିସି ଧାରା ୨(ଏଫ୍) ଅନୁଯାୟୀ ସ୍ୱୀକୃତି ପ୍ରଦାନ ପାଇଛି । ଏହି ସ୍ୱୀକୃତି ଜୁନ୍ ୨୦୨୩ରେ ଏହାର କାର୍ଯ୍ୟ ଆରମ୍ଭ ହେବା ଏବଂ ସଂଶୋଧିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ଅନୁଯାୟୀ ପୁନଃ ଆବେଦନ ହେବାଠାରୁ କାର୍ଯ୍ୟକାରୀ ହେବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟକୁ ସ୍ୱୀକୃତି ଦେଇଛି ଏବଂ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟର ସରକାରୀ ତାଲିକାରେ ଏହାର ନାମ ଯୋଡିଛି। କୁଳପତି ଏହି ସ୍ୱୀକୃତି ଅବସରରେ କହିଥିଲେ ଯେ ଏହା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଆଇନ, ୧୯୫୬ ର ଧାରା ୨(ଏଫ୍) ଅନୁଯାୟୀ ଅନ୍ତର୍ଭୁକ୍ତ ଯାହା କି ବିଶ୍ୱବିଦ୍ୟାଳୟ ଏବଂ ଏହାର ୭୫ ଟି ଅନୁବନ୍ଧିତ କଲେଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।ଇନଷ୍ଟାଗ୍ରାମ ପୋଷ୍ଟ ଅନୁଯାୟୀ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯ (ସଂଶୋଧିତ ୨୦୨୪) ଅନୁଯାୟୀ ପୁନଃ ଆବେଦନ କରିବା ପରେ ଏହାକୁ ସ୍ୱୀକୃତି ମିଳିଥିଲା।
ୟୁଜିସି ଧାରା ୨(ଏଫ୍) ସ୍ୱୀକୃତି ପ୍ରାପ୍ତ ପରେ ବିଶ୍ୱବିଦ୍ୟାଳୟ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ଭିତ୍ତିଭୂମି, ଶିକ୍ଷାଗତ କର୍ମଚାରୀ, ପ୍ରଶାସନ ଏବଂ ଗୁଣାତ୍ମକ ମାନର ବାଧ୍ୟତାମୂଳକ ଆବଶ୍ୟକତା ପୂରଣ କରିଛି। ଏଥି ସହ ବିଶ୍ୱବିଦ୍ୟାଳୟର ସ୍ନାତକମାନେ ଉଚ୍ଚଶିକ୍ଷା ହାସଲ କରିବାକୁ ଯୋଗ୍ୟ ଏବଂ ଦେଶ ଏବଂ ଆନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ନିଶ୍ଚିତ କରେ ଯେହେତୁ କିଁ ସେମାନଙ୍କର ଡିଗ୍ରୀ ଓ ପ୍ରମାଣପତ୍ର ଭାରତ ଏବଂ ବିଦେଶରେ ନିଯୁକ୍ତି ପାଇଁ ସମ୍ପୂର୍ଣ୍ଣ ବୈଧ ଅଟେ। ଏଥିସହ ବିଦ୍ୟାର୍ଥୀଙ୍କ ସକାଶେ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ଦିଆଯିବ ବୋଲି କୁଳପତି ସୂଚନା ଦେଇଥିଲେ। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟକୁ ୟୁଜିସି ଧାରା ୨(ଏଫ୍) ଅନୁଯାୟୀ ସ୍ୱୀକୃତି ପାଇବା ପରେ କର୍ମଚାରୀ,ଅଧ୍ୟାପକ ଅଧ୍ୟାପିକା, ବିଦ୍ୟାର୍ଥିମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ୟୁଜିସି ଧାରା ୨(ଏଫ୍) ଅନୁଯାୟୀ ସ୍ୱୀକୃତି ପାଇବାକୁ ନେଇ ଅଧ୍ୟାପକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଆଗକୁ ବିଶ୍ୱବିଦ୍ୟାଳୟର ପ୍ରଗତିକୁ ବୃଦ୍ଧି କରିବ ଓ ଭାରତ ଏବଂ ବିଦେଶର ବିଦ୍ୟାର୍ଥୀମାନଙ୍କୁ ଆକର୍ଷିତ କରିବ ବୋଲି ଦୃଢ଼ ବିଶ୍ୱାସ କରିଛନ୍ତି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ