ଝାରବନ୍ଧ ଏବଂ ଆମ୍ଭଭୋନା ତହସିଲରେ ପ୍ରତିଷ୍ଠା ହେଲା ନୂଆ ସବ୍-ରେଜିଷ୍ଟ୍ରେସନ୍ ଅଫିସ୍
ବରଗଡ଼: ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏଥି ମଧ୍ୟରେ ବରଗଡ଼ ଜିଲ୍ଲାର ଝାରବନ୍ଧ ଏବଂ ଆମ୍ଭଭୋନା ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ୍ ଅଫିସ୍ ପ୍ରତିଷ୍ଠା କରାଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ସେବା ସୁବିଧାରେ ପାଇବା ହେଉଛି ଲୋକଙ୍କ ଅଧିକାର। ସମସ୍ତ ତହସିଲରେ ସବ୍ରେଜିଷ୍ଟ୍ରେସନ ଅଫିସ ଖୋଲିବା ଦ୍ବାରା ଜନସାଧାରଣଙ୍କୁ ଅନେକ ସୁବିଧା ମିଳିପାରିବ। ଦୂରଦୂରାନ୍ତକୁ ଯାଇ ଜମି ପଞ୍ଜୀକରଣ କରିବାର ଅସୁବିଧା ଓ ଖର୍ଚ୍ଚରୁ ମୁକ୍ତି, ସମୟଉପଯୁକ୍ତ ପଞ୍ଜୀକରଣ, ସହଜରେ ମ୍ୟୁଟେସନ ପଟ୍ଟା ଉପଲବ୍ଧ , ରାଜସ୍ୱ ସଂଗ୍ରହରେ ଉନ୍ନତି ଏବଂ ସର୍ବୋପରି ଜମି ପଞ୍ଜୀକରଣରେ ପାରଦର୍ଶିତା ବୃଦ୍ଧି ହୋଇପାରିବ । ତହସିଲ ଅଫିସ ଓ ସବ୍-ରେଜିଷ୍ଟ୍ରେସନ ଅଫିସକୁ କୋ-ଟର୍ମିନସ୍ କରିବା ଦ୍ବାରା ତହସିଲର ସମସ୍ତ ସେବା ଲୋକମାନେ ଗୋଟିଏ ଯାଗାରେ ସୁବିଧାରେ ପାଇପାରିବେ। ଅନେକ ଦିନ ଧରି ପାର୍ଟ ପ୍ଲଟ ବିକିବା ବ୍ୟବସ୍ଥା ବନ୍ଦ ଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ, ଏହାକୁ ଅନୁମୋଦନ ଦିଆଯାଇଛି।

ଏହାଦ୍ବାରା ଜନସାଧାରଣ ସୁବିଧାରେ ଜମି କିଣାବିକା କରିପାରୁଛନ୍ତି।କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି ଅନ୍ବେଷା ରେଡୀଙ୍କ ସହିତ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଏବଂ ଆଭାସୀ ଜରିଆରେ ଜିଲ୍ଲା ଓସ୍ୱାନ ହାଲରୁ ଜିଲ୍ଲାପାଳଙ୍କ ସହ ରାଜସ୍ବ ବିଭାଗୀୟ ଅଧିକାରୀ, କର୍ମଚାରୀ ଯୋଗ ଦେଇଥିବା ବେଳେ ଅମ୍ବାଭୋନା ଏବଂ ଝାରବନ୍ଧ ବ୍ଳକ ଓସ୍ୱାନ ହଲରୁ ତହସିଲଦାର ଓ ସବ୍-ରେଜିଷ୍ଟ୍ରାର୍ ମାନେ ଯୋଗଦେଇଥିଲେ।
ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
