ଟ୍ରାନ୍ସଫର୍ମର ଚୋରି ବେଳେ 5 ଚୋର କୁ ଧରିଲେ ଗ୍ରାମବାସୀ
ସୁବର୍ଣ୍ଣପୁର –ଟ୍ରାନ୍ସଫର୍ମର ଚୋରି ବେଳେ ଗ୍ରାମବାସୀ ଙ୍କ ହାତରେ ଧରାପଡ଼ିଲେ 5 ଅଭିଯୁକ୍ତ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଦ୍ୟୁତ ଉପଖଣ୍ଡ ଅଧୀନ ମହାଦେବପାଲି ସେକସନ ଜାମଛାପରରେ ଥିବା ୨୫ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର କୁ ଖୋଲି ତମ୍ବାତାର ଚୋରି କରୁଥିବା ସମୟରେ ଜାମଛାପରର କିଛି ଗ୍ରାମବାସୀ ସୂଚନା ପାଇ ବିଦ୍ୟୁତ ବିଭାଗକୁ ଖବର ଦେବାସହ ଚୋର ମାନଙ୍କୁ କାବୁ କରି ୫ ଜଣକୁ ଧରିବାରେ ସଫଳ ହୋଇଥିଲେ l ଘଟଣା ସ୍ଥଳ ରୁ ୨ ଜଣ ଫେରାର ମାରିଥିଲେ । ଏହି ଖବର ପାଇ ବିଦ୍ୟୁତ ବିଭାଗ ମହାଦେବପାଲି ସେକ୍ସନ ଅଫିସର ତପନ କୁମାର ନାୟକ, ବିଦ୍ୟୁତ ବିଭାଗ ସୁପରଭାଇଜର ବିଭୁଦତ୍ତ ମେହେର, ସମୀର ପଧାନ ସଙ୍ଗେ ସଙ୍ଗେ ଜାମଛାପରକୁ ପହଞ୍ଚି ଥିଲେ । ଜନସାଧାରଣ ଓ ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କୁ ଦେଖି ସିଜି – ୧୩ ବିଇ ୦୪୩୨ ଛୋଟ ଟାଟା ଏସିଇ ଗାଡ଼ିରେ ଟ୍ରାନ୍ସଫର୍ମର ର ତମ୍ବାତାର ଚୋର ମାନେ ନେଇ ଫେରାର ମାରୁଥିବା ସମୟରେ ତାଙ୍କୁ ପିଛା କରିଥିଲେ । ବିନିକା ଆଦର୍ଶ ବିଦ୍ୟାଳୟ ପାଖରେ ଟାଟା ଏସିଇ ଗାଡ଼ିକୁ ଅଟକାଇ ୩ ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ । ପରେ ବିନିକା ସହରରେ ୨ ଜଣଙ୍କୁ କାବୁ କରି ଗାଡ଼ି , ଚୋର ୫ଜଣ, ପାନା ପ୍ଳାସ, ଗୋଟିଏ ବାଉଁଶ ଲାଠି ବିନିକା ପୁଲିସକୁ ଜିମା ଦେଇଛନ୍ତି । ବିଦ୍ୟୁତ ବିଭାଗ ମହାଦେବପାଲି ସେକ୍ସନ ଅଫିସର ତପନ କୁମାର ନାୟକ ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବିନିକା ଥାନା କେସ ନମ୍ବର ୨୩/୨୬ ରେ ଏକ ମକଦ୍ଦମା ରୁଜୁ କରି ଚୋରି କଏଲ (ତମ୍ବାତାର) ସହ ବ୍ୟବହୃତ ଗାଡି ଜବତ କରିଛନ୍ତି । ଏଥିରେ ସଂପୃକ୍ତ ଥିବା ୫ଜଣ କୁ ପୁଲିସ ଗିରଫ କରିଛି । ପୁଲିସ ତଦନ୍ତ ସମୟରେ ମହାଦେବପାଲି ଗ୍ରାମରୁ ୨୫ କେଭି ଟ୍ରାନ୍ସଫର୍ମର ରୁ ତମ୍ବାତାର ଚୋରି କରି ଏକ ବୁଦା ଭିତରେ ପକାଇ ଥିବା ପୁଲିସ ସୂଚନା ପାଇଥିଲେ । ପୁଲିସରେ ଅଟକ ଥିବା ଚୋର ମାନଙ୍କୁ ମହାଦେବପାଲି ନେଇ ବୁଦା ଭିତରେ ଲୁଚାଇଥିବା ଟ୍ରାନ୍ସଫର୍ମର ତମ୍ବା ତାର ଉଦ୍ଧାର କରିଥିଲେ । ଏହାସହ ମହାଦେବପାଲି ସେକ୍ସନ ଅଫିସର ତରଭା, ସୁବର୍ଣ୍ଣପୁର, ବଲାଙ୍ଗିର ଓ ବରଗଡ଼ ଜିଲ୍ଲା ଅଞ୍ଚଳରୁ ବିଭିନ୍ନ ସମୟରେ ଟ୍ରାନ୍ସଫର୍ମର ଗୁଡ଼ିକରୁ ତମ୍ବାତାର ଚୋରୀ କରିଥିବା ଦୁର୍ବୁତ୍ତମାନେ ସ୍ୱୀକାର କରିଥିଲେ l ଏହାର ଦୁଇଟି ଟ୍ରାନ୍ସଫର୍ମର ତମ୍ବାତାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ମହାଦେବପାଲି ସେକ୍ସନ ଅଫିସର ତପନ କୁମାର ନାୟକ ପ୍ରକାଶ କରିଥିଲେ । ଏହି ଘଟଣା ରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ କିୟା ଓରଫ୍ କାୟା ମାଝୀ (୧୯) , ଜଗଭିର ଦେବର (୧୯) , ଗୋପାଳ ଭଟ୍ଟ (୧୯) ଓ ଧନେଶ୍ଵର ସାହୁ (୧୯) ଏହି ୪ ଜଣ ଛତିଶଗଡ଼ ରାଜ୍ୟ ର ମହାସମୁନ୍ଦ ଜିଲ୍ଲା ର ହୋଇଥିବା ବେଳେ ଜଣେ ମାତ୍ର ଅଭିଯୁକ୍ତ ଅନୀଲ ସାହୁ (୨୫) ଓଡ଼ିଶା ନୂଆପଡ଼ା ଜିଲ୍ଲା ର ଖରିଆର ରୋଡ ସହର ର ହୋଇଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
