December 20, 2025
Home » ଡୁଙ୍ଗୁରିପାଲି ଆରଏମସି ଆକାଉଣ୍ଟାଣ୍ଟ ଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ

ଡୁଙ୍ଗୁରିପାଲି ଆରଏମସି ଆକାଉଣ୍ଟାଣ୍ଟ ଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ

0
WhatsApp Image 2024-12-01 at 10.54.40 AM

ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଓଏସଏଏମ ବୋର୍ଡ଼ ଜିଏମ

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ନିୟନ୍ତ୍ରୀତ ବଜାର କମିଟୀରେ ଅବସ୍ଥାପିତ ହିସାବ ରକ୍ଷକ ବହୁ ଦୁର୍ନୀତିରେ ଲିପ୍ତ ରହି ଟଙ୍କା ଆତ୍ମସାତ କରିଥିବା ନେଇ କେତେକ ଚାଷୀ ଓଡ଼ିଶା କୃଷି ବିପଣନ ପରିଷଦ ଭୁବନେଶ୍ବରଙ୍କ ଠାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଓଏସଏଏମ ବୋର୍ଡ଼ ପତ୍ର ସଂଖ୍ୟା ୩୫୦୩ ତା.୧୨/୧୧/୨୦୨୪ରେ ତଦନ୍ତ ପୁର୍ବକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଜେନେରାଲ ମେନେଜର ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଭୁବନେଶ୍ବରଙ୍କୁ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ଡୁଙ୍ଗୁରିପାଲି ଆରଏମସିରେ ଅବସ୍ଥାପିତ ଆକାଉଣ୍ଟାଣ୍ଟ ବା ହିସାବ ରକ୍ଷକ ସୁଶାନ୍ତ କୁମାର ମେହେର ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ସମୟରେ ଜାଲ ପ୍ରମାଣ ପତ୍ର, ଜାଲ ଶିକ୍ଷାଗତ ଯୋଗ୍ୟତା ଓ ଜାଲିଆତି କରି ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ଦାଖଲ କରି କନିଷ୍ଠ ହିସାବ ରକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ପ୍ରକୃତରେ ଶ୍ରୀ ମେହେର ବରଗଡ଼ ଜିଲ୍ଲା ଅଧିନସ୍ଥ ଲସ୍ତଲା ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି। କିନ୍ତୁ ନିଯୁକ୍ତି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲର ଜାଲିଆତି ସାର୍ଟିଫିକେଟ ଦାଖଲ କରି ପଦବୀ ହାସଲ କରିଛନ୍ତି। ଏକ ନିର୍ଦ୍ଧିଷ୍ଟ ଘଟଣାରେ ସେ ଆରଏମସିରୁ ନିଳମ୍ବିତ ହୋଇଥିଲେ ପୁଣି କିଛିମାସ ପରେ ତାଙ୍କ ନିଳମ୍ବନ ପ୍ରତ୍ୟାହାର ହୋଇଥିଲା। ଆହୁରି ମଧ୍ୟ ଆରଏମସିର ତତ୍କାଳୀନ ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ନିୟନ୍ତ୍ରୀତ ବଜାର କମିଟୀ କୌଣସି କର୍ମଚାରୀଙ୍କୁ ୨ ଟି ରସିଦ ବହି ଇସ୍ୟୁ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରିତାପର ବିଷୟ ଉକ୍ତ ଆଦେଶକୁ ବେଖୋତିର କରି ଶ୍ରୀ ମେହେର ଅନ୍ୟ ଏକ କର୍ମଚାରୀ ରଞ୍ଜିତ ବେହେରାଙ୍କୁ ଏକକାଳୀନ ୭ ଟି ରସିଦ ବହି ଇସ୍ୟୁ କରିଥିଲେ। ଉକ୍ତ ରସିଦ ବହି ବ୍ୟବହାର କରି ଶ୍ରୀ ମେହେର ଓ ଶ୍ରୀ ବେହେରା ଉଭୟେ ମିଶି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଚଞ୍ଚକତା କରି ହଡ଼ପ କରିଛନ୍ତି। ଏ ନେଇ ପରବର୍ତ୍ତୀ ସମୟରେ ଦୁର୍ନିତୀ ବିଭାଗକୁ ମଧ୍ୟ ଅନୁସନ୍ଧାନ ପାଇଁ ଦିଆଯାଇଥିଲା। ଦୁର୍ନିତୀ ନିବାରଣ ବିଭାଗର ସମ୍ବଲପୁର ଏସପି ତାଙ୍କ ରିପୋର୍ଟରେ ଶ୍ରୀ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଓ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷ ତଥା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ସୁପାରିସ କରିଥିଲେ। ଉକ୍ତ ମାମଲାର ବିଚାର କରି ପୁର୍ବତନ ଅଧ୍ୟକ୍ଷ ଶ୍ରୀ ମେହେରଙ୍କୁ ୨ହଜାର ଟଙ୍କା ଫାଇନ କରିଥିଲେ ଯାହାକି ଆଜି ସୁଦ୍ଧା ଉକ୍ତ ଫାଇନ ଅନାଦେୟ ଥିବା ଜଣାଯାଏ। ଗତ ୨୦୦୨ ମସିହାରେ ବଲାଙ୍ଗିର ଜିଲ୍ଲା ସମବାୟ ବ୍ୟାଙ୍କ ଡୁଙ୍ଗୁରିପାଲି ଶାଖାରୁ ୫୦ ହଜାର ଟଙ୍କା ଆକାଉଣ୍ଟାଣ୍ଟ ଶ୍ରୀ ମେହେରଙ୍କ ନାମରେ ଇସ୍ୟୁ ହୋଇଥିଲା। ଉକ୍ତ ଟଙ୍କା ନିଜେ ଉଠାଇଛନ୍ତି ଏବଂ ଚେକ ରେଜିଷ୍ଟରରେ ତାଙ୍କ ନାମକୁ କାଟିଦେଇ ତା ଉପରେ ଅନ୍ୟ ଜଣଙ୍କ ନାମ ଲେଖିଛନ୍ତି। ଯାହାକି ଅତ୍ୟନ୍ତ ଗୁରୁତର ଅପରାଧ ଅଟେ। ତାଙ୍କ କାର୍ଯ୍ୟକାଳ ସମୟରେ ୧୯୯୫-୯୬ ମସିହାରେ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ତାଙ୍କ ଅଧିନରେ ଥିଲା। କିନ୍ତୁ ଅଧିକାଂଶ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଦଲିଲ ତଥା ରସିଦ ବହି ଜାଣିଶୁଣି ଶ୍ରୀ ମେହେର ନଷ୍ଟ କରିଛନ୍ତି। ଅଫିସର ଅନ୍ୟ ଜଣେ କର୍ମଚାରୀଙ୍କ ସହାୟତାରେ ତଦନ୍ତ ସମୟରେ ଆକାଉଟେଣ୍ଡ ଶ୍ରୀ ମେହେର ୨ ଟି ବିଲକୁ ନିଜେ ନଷ୍ଟ କରି ତାହାର ନକଳ ନିଜେ ପ୍ରସ୍ତୁତ କରି ତଦନ୍ତକାରୀ ଅଫିସରଙ୍କ ଠାରେ ଦାଖଳ କରିଛନ୍ତି। ଆହୁରି ମଧ୍ୟ ଶ୍ରୀ ମେହେର ଆରଏମସି ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସଗୃହରେ ରହି ପୁଣି ଅଫିସରୁ ଘରଭଡ଼ା ଭତ୍ତା ନିଜେ ହାତେଇଛନ୍ତି। କର୍ମଚାରୀ ସୁଶାନ୍ତ ମେହେର ନିଯୁକ୍ତି ପତ୍ର ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଦ୍ବାରା ଅନୁମୋଦିତ ହୋଇନାହିଁ ଯାହାକି ତଦନ୍ତ ସାପେକ୍ଷ। ଆରଏମସି ପରିସରରେ ଥିବା ମୁଲ୍ୟବାନ ଗଛକୁ କାହାକୁ ନ ପଚାରି ଶ୍ରୀ ମେହେର ଲୋକମାନଙ୍କୁ ବିକ୍ରି କରି ଟଙ୍କା ଆତ୍ମସାତ କରିଛନ୍ତି। ଆରଏମସି ଚାଷୀଙ୍କ ହିତ ପାଇଁ ଉଦ୍ଦିଷ୍ଟ। କିନ୍ତୁ କର୍ମଚାରୀମାନଙ୍କ ମନଇଚ୍ଛା କାମ ଅତ୍ୟନ୍ତ ନିନ୍ଦନୀୟ l ଏଣୁ ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଯୋଗକାରୀ ଚାଷୀମାନେ ଦାବୀ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *