February 23, 2025
Home » ତଳ କାଦକଳାରେ “ଚକ୍ଷୁ ସଚେତନତା ଅଭିଯାନ”

ତଳ କାଦକଳାରେ “ଚକ୍ଷୁ ସଚେତନତା ଅଭିଯାନ”

0

କେନ୍ଦୁଝର,ତା୨୧/୨- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ କାଦକଳା ଗ୍ରାମପଞ୍ଚାୟତ ପରିସରରେ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ,ଏଫ.ଇ.ଏସ(ସ୍ୱେଚ୍ଛାସେବୀ ସଂଗଠନ)ଓ ଭୂମିକା ଚକ୍ଷୁ ହସ୍ପିଟାଲ,କେନ୍ଦୁଝର ପକ୍ଷରୁ “ଚକ୍ଷୁ ସଚେତନତା ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ଦେହୁରୀ କେନ୍ଦୁଝରର ଦେବୀ କରୁଣାମୟୀ ମା’ ତାରିଣୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିରକୁ ଉଦଘାଟନ କରିଥିଲେ। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ଭକ୍ତ ବତ୍ସଳ ମହାନ୍ତି,ଭୂମିକା ହସ୍ପିଟାଲ ଉତ୍ତର ଓଡିଶା ଜୋନର ଜୋନାଲ ମ୍ୟାନେଜର କର୍ଣ୍ଣାଟ କିଶୋର ଜେନା,ହସ୍ପିଟାଲ ସହ ପରିଚାଳକ ରୁଦ୍ର ନାରାୟଣ ଲୋହାର ,ସି.ଏଚ.ଓ ହିମାଂଶୁ ପାତ୍ର,ଏଫ.ଇ.ଏସର କ୍ଷେତ୍ର ଅଧିକାରିଣୀ ସୁଶ୍ରୀ ବର୍ଷାରାଣୀ ବାରିକ ଉପସ୍ଥିତ ଥିଲେ।
ତଳ କାଦକଳା ପଞ୍ଚାୟତର ବିଭିନ୍ନ ଗ୍ରାମ ଯଥା -ତଳକାଦକଳା,ତୀରବ,ରାକମ,ନରସିଂହପୁର,ମୁରୁସୁଆଁ,ସୁନ୍ଦର,ଲୁହାକଳା,ଗ୍ରାମରୁ ମୋଟ ୭୨ ଜଣ ଆଦିବାସୀ ବରିଷ୍ଠ ନାଗରିକ ନିଜନିଜର ଚକ୍ଷୁ ପରୀକ୍ଷା କରାଇଥିଲେ। ଭୂମିକା ହସ୍ପିଟାଲର ବରିଷ୍ଠ ଚକ୍ଷୁ ସହାୟିକା ଲିଲିମା ଜେନା ଓ ଲକ୍ଷ୍ମୀ ମହାନ୍ତ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ସହିତ ଆଖିର କେମିତି ଯତ୍ନ ନେବେ ସେ ବିଷୟରେ ସଚେତନ କରାଇଥିଲେ। ସେଥି ମଧ୍ୟରୁ ୧୮ ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ଏବଂ କେନ୍ଦୁଝର ସ୍ଥିତ ଭୂମିକା ଚକ୍ଷୁ ହସ୍ପିଟାଲକୁ ଅସ୍ତ୍ରୋପଚାର ପାଇଁ ସ୍ଥାନାନ୍ତରଣ କରାଗଲା। ରୋଗୀମାନଙ୍କର ଯାତାୟାତ,ଖାଦ୍ୟପେୟ ,ଔଷଧ ଓ ଚଷମା ହସ୍ପିଟାଲ ତରଫରୁ ଯୋଗାଇ ଦିଆଯିବ ବୋଲି ହସ୍ପିଟାଲର ଜୋନାଲ ମ୍ୟାନେଜର କର୍ଣ୍ଣାଟ କିଶୋର ଜେନା ସୂଚନା ଦେଇଛନ୍ତି। ବାଂଶପାଳ ବ୍ଲକ ର ବିଭିନ୍ନ ଗ୍ରାମରେ ବସବାସ କରୁଥିବା,ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଥିବା ସହିତ ସଚେତନତା ଅଭାବରୁ ବରିଷ୍ଠ ନାଗରିକ ମାନେ ବିଭିନ୍ନ ଚକ୍ଷୁ ରୋଗରେ ପୀଡିତ ହୋଇ ନିଜର ଦୃଷ୍ଟିଶକ୍ତି ହେଉଥିବାର ଜଣାପଡୁଛି। ତେଣୁ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ,ଏଫ.ଇ.ଏସ ଓ ଭୂମିକା ଚକ୍ଷୁ ହସ୍ପିଟାଲର ମିଳିତ ସହଯୋଗରେ “ଚକ୍ଷୁ ସଚେତନତା ଅଭିଯାନ” ନିରନ୍ତର ଚାଲୁ ରହିବ ବୋଲି ଟ୍ରଷ୍ଟର ଉପାଧ୍ୟକ୍ଷା ସୁଶ୍ରୀ ଜଗତଜିତା ଦାସ ସୂଚନା ଦେଇଛନ୍ତି। ଶିବିର ପରିଚାଳନାରେ ସ୍ଥାନୀୟ ଆଶା ଦିଦି,ଅଙ୍ଗନବାଡ଼ି ଦିଦି , ୱାର୍ଡମେମ୍ବର ,ଏଫ.ଇ.ଏସ.ର କର୍ମଚାରୀ ହେମଲତା ପ୍ରଧାନ,ପୂଣ୍ଣିମା ଡାଙ୍ଗୁଆ ଇତ୍ୟାଦି ସହଯୋଗ କରି ଶିବିରକୁ ସଫଳ କରାଇଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ )

Leave a Reply

Your email address will not be published. Required fields are marked *