ତିନି ରଥ ମୁଖ୍ୟ ମହାରଣା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କରିବେ ଅଭିଯୋଗ
ବ୍ରହ୍ମଗିରି /ପୁରୀ: ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ନିର୍ମାଣ କରୁଥିବା ଏବଂ ରଥ ନିର୍ମାଣରେ ନିୟୋଜିତ ରଥ ମହାରଣାମାନେ ନିଜର ଅସ୍ତିତ୍ବ ଓ ସମ୍ମାନ ପାଇଁ ସରକାର ଓ ପ୍ରଶାସନ ଦ୍ବାରା ଅବହେଳିତ। ଅଯୋଧ୍ୟାରେ ଶ୍ରୀରାମ ଙ୍କ ବିଗ୍ରହ ନିର୍ମାଣ କରି ସ୍ଥପତି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ ହେଉଥିବା ସମୟରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦାରୁବିଗ୍ରହ ନିର୍ମାଣ କରୁଥିବା ବିଶ୍ୱକର୍ମା ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତି ଓ ସମ୍ମାନ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ବିଶ୍ୱକର୍ମା ମାନଙ୍କ ରଥ ନିର୍ମାଣରେ ମିଳୁଥିବା ପ୍ରାପ୍ୟ ମଧ୍ୟ ଖୁବ୍ ନୈରାଶ୍ୟଜନକ।ରଥ ନିର୍ମାଣରେ ତିନି ରଥ ମହାରଣା,ଦଶ ମହାରଣା ଓ ଭାଇପୁଅମାନେ ନିଯୁକ୍ତ ହୋଇ ଶହ ଶହ ବର୍ଷ ଧରି ନିର୍ବିଘ୍ନରେ ସମର୍ପିତ ସେବା ଯୋଗାଇ ଦେଇ ଆସୁଛନ୍ତି। ରଥଯାତ୍ରା ପାଇଁ ସରକାର କୋଟିକୋଟି ଟଂକା ଖର୍ଚ କରି ଚାଲୁଥିବା ବେଳେ ରଥଯାତ୍ରାର ମୁଖ୍ୟ ସେବକ ମହାରଣାମାନଙ୍କୁ ସମ୍ମାନ ପ୍ରଦର୍ଶନ ଓ ପ୍ରାପ୍ୟ ଦେବାରେ ଶ୍ରୀମନ୍ଦିର ପ୍ରଶାସନ କୁଣ୍ଠାବୋଧ କରୁଛନ୍ତି।ରଥ ମହାରଣାମାନେ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ବହୁତ ପଛରେ ପଡି ଯାଉଛନ୍ତି। ସେମାନଙ୍କ ପରିବାର ଚଳାଇବା, ପିଲାମାନଙ୍କ ପଢା ଖର୍ଚ ଓ ସ୍ୱାସ୍ଥ୍ୟ ସେବା ପାଇଁ ସେମାନଙ୍କୁ ବହୁ କଠିନ ସମସ୍ୟା ଦେଇ ଗତି କରିବାକୁ ପଡୁଛି।ତେଣୁ ଚଳିତ ରଥନିର୍ମାଣ ସମୟରେ ମୁଖ୍ୟମହାରଣାଙ୍କ ସମେତ ସମସ୍ତ ମହାରଣା ସେବକମାନଙ୍କୁ ଉଚିତ୍ ପ୍ରାପ୍ୟ ଦେବାକୁ ମହାରଣା ମାନଙ୍କ ପାରମ୍ପରିକ ସଂଗଠନ ଜବାବ ବିଶ୍ୱକର୍ମା ନିଯୋଗ ସରକାର ଓ ପ୍ରଶାସନ ନିକଟରେ ଦାବି କରିଛି।ଆଜି ବାଲି ହରଚଣ୍ଡୀ ପୀଠରେ ନିଯୋଗର ଏକ ସ୍ୱତନ୍ତ୍ର ବୈଠକ ସଭାପତି ରତ୍ନାକର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଶଙ୍କର ମହାରଣା ବିବରଣୀ ପ୍ରଦାନ କରିଥିଲେ। ନ୍ୟାୟାଳୟ ଦ୍ୱାରା ଅଯୋଗ୍ୟ ଘୋଷିତ ରଥ ଅମିନ ଲକ୍ଷ୍ମଣ ମହାରଣାଙ୍କୁ ତୁରନ୍ତ ରଥ ଅମିନ ସେବାରୁ ନିବୃତ୍ତ ପାଇଁ ତିନି ରଥ ମହାରଣା ଓ ପ୍ରତିନିଧି ସଭାରେ ପ୍ରସ୍ତାବ ଦେଇଥିଲେ।ଏହି ବ୍ୟକ୍ତି ବଳଗଣ୍ଡିରେ ଥିବା ବିଶ୍ୱକର୍ମା ନିଯୋଗ ର ପନ୍ତିଘରକୁ ମଧ୍ୟ ଦଖଲ କରି ରହିଥିବାରୁ ସଭାରେ ଘୋର ଉଦବେଗ ପ୍ରକାଶ ପାଇଛି।ତାହାକୁ ଜବରଦଖଲ ମୁକ୍ତ କରିବା ପାଇଁ ସମସ୍ତେ ଏକାଠି ହୋଇ ଶପଥ ନେଇଛନ୍ତି। ବିଶ୍ୱକର୍ମା ନିଯୋଗ କୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତି ଦେବାକୁ ସଭାରେ ଦାବି କରାଯାଇଛି।ଏଥିପାଇଁ ତିନି ମୁଖ୍ୟ ମହାରଣା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅଭିଯୋଗ କରିବା ପାଇଁ ସଭାରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ସେବାରେ ନିଯୁକ୍ତ ବିଶ୍ୱକର୍ମା ସମାଜ ଅସ୍ତିତ୍ବ ପାଇଁ ସଂଗ୍ରାମ କରିବା ଦୁଖ ଓ ପରିତାପର ବିଷୟ ବୋଲି ସଭାପତି ରତ୍ନାକର ମହାପାତ୍ର କ୍ଷୋଭ ପ୍ରକଟ କରିଛନ୍ତି। ସରକାର ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବିଶ୍ୱକର୍ମା ନିଯୋଗ ବାର୍ସୀ- ନିହଣ- ମୁଗୁର ଛାଡ ଆନ୍ଦୋଳନ ଆପଣାଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ଧର୍ମପଦ ମହାରଣା, ନୀଳକଣ୍ଠ ମହାରଣା, ରାଜକିଶୋର ମହାରଣା,ସୁବାସ ମହାରଣା ଓ ଉପଦେଷ୍ଟା ସୁରେନ୍ଦ୍ର କୁମାର ମହାରଣା ପ୍ରମୁଖ ଜଣାଇଛନ୍ତି।ଏହି ସଭାରେ ତିନିରଥ ମୁଖ୍ୟ ମହାରଣା ନାରାୟଣ ମହାରଣା, ନୃସିଂହ ମହାପାତ୍ର ଓ ବିଜୟ ମହାପାତ୍ର ଯୋଗଦାନ କରିଥିଲେ। ସଭାକୁ ଚବିଶିକୁଦ ବାଡ଼ ଆୟୋଜନ କରିଥିଲା। ଏଥିରେ ବ୍ରାହ୍ମଣ ବାଡ଼,ବଡବାଡ, ସାକ୍ଷୀଗୋପାଳ ବାଡ଼,ରାହାଙ୍ଗବାଡ,ଓଡବାଡ ଓ ଚବିଶିକୁଦ ବାଡ଼ ସମସ୍ତ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ। କୋଷାଧ୍ୟକ୍ଷ ପଦ୍ମଚରଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
