March 11, 2025
Home » ଦିଲ୍ଲୀରେ କାହିଁକି ଫୁଟିପାରୁନି ପଦ୍ମ ?

ଦିଲ୍ଲୀରେ କାହିଁକି ଫୁଟିପାରୁନି ପଦ୍ମ ?

0

ନୂଆଦିଲ୍ଲୀ: 1998ରୁ ଏପର୍ଯ୍ୟନ୍ତ ଦିଲ୍ଲୀରେ ଫୁଟିପାରିନି ପଦ୍ମ। କାହିଁକି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦିଲ୍ଲୀ ନିର୍ବାଚନ ଲଢିବ ବିଜେପି ? 2014ରୁ କେନ୍ଦ୍ରରେ କ୍ଷମତାରେ ରହିଛି ବିଜେପି। ଦେଶର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତା କବଜା କରିଛି। ହେଲେ ଦିଲ୍ଲୀ ଦୁର୍ଗ ଭେଦିବାରେ ଅସଫଳ ରହିଛି ଦଳ। ଦିଲ୍ଲୀ ଦଖଲ କରିବାକୁ ଗୋଟେ ପରେ ଗୋଟେ ବିଭିନ୍ନ ଫର୍ମୁଲା ଲଗାଇଛି ବିଜେପି। ହେଲେ ବିଜେପିଠୁ ଦିଲ୍ଲୀ ଦୂରରେ ହିଁ ରହିଛି।

ଆସନ୍ତା ନିର୍ବାଚନରେ 2020 ଫର୍ମୁଲା ଦୋହରାଇବାକୁ ଯାଉଛି ବିଜେପି। ତେବେ ଏଥର ପୂର୍ବ ଭୁଲ ସୁଧାରିବାକୁ ଉଦ୍ୟମ କରିବ ଦଳ। ବିଜେପିକୁ ଲାଗୁଛି, ଦୁର୍ନୀତି ଅଭିଯୋଗ ଆସିବା ପରେ କେଜ୍ରିଓ୍ବାଲଙ୍କ ଛବି ଖରାପ ହୋଇଛି। ମୁଖ୍ୟମନ୍ତ୍ରୀ ଚେହେରା ବିନା ନିର୍ବାଚନ ଲଢିଲେ ବି ମଇଦାନକୁ ପ୍ରବେଶ ବର୍ମା, ରମେଶ ବିଧୁଡି, ମୀନାକ୍ଷୀ ଲେଖିଙ୍କ ପରି ବରିଷ୍ଠ ନେତାଙ୍କୁ ଓହ୍ଲାଇପାର ବିଜେପି। ସେହିପରି ଆପରୁ ଆସିଥିବା ଅରବିନ୍ଦର ସିଂ ଲଭଲି, ରାଜକୁମାର ଚୌହାନ, କୈଳାସ ଗେହଲଟଙ୍କ ଭଳି ନେତା ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ଟ୍ରମ୍ପ କାର୍ଡ ହୋଇପାରନ୍ତି ବୋଲି ଆଶା ରଖିଛି ଦଳ।
ଆସନ୍ତାବର୍ଷ ପୁଣି ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି। ଏଥର ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବାକୁ ସଜବାଜ ହେଉଛି ବିଜେପି।
ଆପ ମୁଖ୍ୟ କେଜ୍ରିଓ୍ବାଲଙ୍କୁ ଚ୍ୟାଲେଞ୍ଜ ଦେବା ଭଳି ଚେହେରା ଦିଲ୍ଲୀ ବିଜେପିରେ ନାହାନ୍ତି। ତେଣୁ ଅନ୍ଯ କୌଣସି ଚେହେରାକୁ ପ୍ରୋଜେକ୍ଟ କରିବା ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗରେ ରଖି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ବିଜେପି। ଅନ୍ୟ ରାଜ୍ୟ ନେତାଙ୍କୁ ଆଣି ଦିଲ୍ଲୀରେ ସିଏମ୍ ଚେହେରା ଭାବେ ପ୍ରୋଜେକ୍ଟ କରିବା ନେଇ ବି ଦଳ ଭିତରେ ମନ୍ଥନ ହୋଇଛି। ତେବେ ଦିଲ୍ଲୀ ବିଜେପି ନେତା ଓ କର୍ମୀଙ୍କ ସହ ସେହି ନେତାଙ୍କ ତାଳମେଳ ଠିକ୍ ରହିବ କି ନାହିଁ ସେନେଇ ଦ୍ବନ୍ଦ୍ବ ରହିଛି।
1998 ନିର୍ବାଚନରେ ସୁଷମା ସ୍ବରାଜଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। କଂଗ୍ରେସ ଶିଲା ଦୀକ୍ଷିତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା। ଶିଲାଙ୍କୁ ଟକ୍କର ଦେବାକୁ ସୁଷମାଙ୍କୁ ବାଛିଥିଲା ବିଜେପି। ହେଲେ ପିଆଜ ଦରବୃଦ୍ଧି ଯୋଗୁଁ ଜନଅସନ୍ତୋଷ ବିଜେପି ରଣନୀତି ଉପରେ ଭାରି ପଡିଲା। 2003ରେ ମଦନ ଲାଲ ଖୁରାନା ଓ 2008ରେ ବିଜୟ କୁମାର ମାଲହୋତ୍ରାଙ୍କୁ ସିଏମ୍ ଫେସ୍ କରିଥିଲା ବିଜେପି। ହେଲେ କଂଗ୍ରେସ ପୁଣି କ୍ଷମତାକୁ ଆସିଲା। 2013ରେ ଡାକ୍ତର ହର୍ଷବର୍ଦ୍ଧନ ଓ 2015ରେ କିରଣ ବେଦୀଙ୍କୁ ଚେହେରା କଲା ବିଜେପି, ହେଲେ କିଛି ଲାଭ ହେଲାନି। 2020 ନିର୍ବାଚନ ବିନା ସିଏମ୍ ଫେସରେ ଲଢି ବି ହାରିଲା ବିଜେପି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *