October 22, 2025
Home » ଦୀପାବଳିରେ ପ୍ରବଳ ବର୍ଷା: ଅମଳ ପୂର୍ବରୁ ହଜାର ଏକର ଧାନ ତଳେ ପଡ଼ିବାରୁ ଚାଷୀଙ୍କ ମଧ୍ୟରେ ଭାଳେଣି

ଦୀପାବଳିରେ ପ୍ରବଳ ବର୍ଷା: ଅମଳ ପୂର୍ବରୁ ହଜାର ଏକର ଧାନ ତଳେ ପଡ଼ିବାରୁ ଚାଷୀଙ୍କ ମଧ୍ୟରେ ଭାଳେଣି

0
WhatsApp Image 2025-10-21 at 4.21.03 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଦୀପାବଳିର ଉତ୍ସବ ମଧ୍ୟରେ ବର୍ଷା ସରସରା ଗ୍ରାମ ପଞ୍ଚାୟତ ତଥା ଆଖ ପାଖ ଗାଁ ର ଧାନ ଚାଷୀଙ୍କ ପାଇଁ କାଳ ହୋଇ ଦେଖାଦେଇଛି। ପ୍ରବଳ ପବନ ସହିତ ଅପ୍ରତ୍ୟାଶିତ ବର୍ଷା ହେତୁ ଅମଳର ମାତ୍ର ଏକ ମାସ ପୂର୍ବରୁ ହଜାର ହଜାର ଏକର ଜମିରେ ପରିପକ୍ୱ ଧାନ ଫସଲ ସମ୍ପୂର୍ଣ୍ଣରୂପେ ତଳେ ପଡ଼ିଯିବାରୁ ଶହ ଶହ ଚାଷୀ ବିପୁଳ କ୍ଷତିର ସମ୍ମୁଖୀନ ହୋଇ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ବର୍ଷା ଧାନ ଚାଷ କରୁଥିବା ଚାଷୀମାନେ ଜଣାଇଛନ୍ତି ଯେ ସେମାନେ ପୁରା ବର୍ଷ କଠିନ ପରିଶ୍ରମ କରି, ବ୍ୟାଙ୍କରୁ ଋଣ ନେଇ ସାର, କୀଟନାଶକ, ମଜୁରୀ ଖର୍ଚ୍ଚ କରିଥିଲେ। ଧାନ ଅମଳ ହେବାର ମାତ୍ର ଏକ ମାସ ବାକି ଥିଲା। ଫସଲ ସମ୍ପୂର୍ଣ୍ଣ ପରିପକ୍ୱ ହୋଇ ଅମଳ ପାଇଁ ପ୍ରସ୍ତୁତ ଥିଲା। କିନ୍ତୁ ଦୀପାବଳି ଦିନ ଏହି ଅପ୍ରତ୍ୟାଶିତ ପ୍ରବଳ ବର୍ଷା ସେମାନଙ୍କର ସମସ୍ତ ସ୍ୱପ୍ନ ଓ ପରିଶ୍ରମକୁ ମାଟିରେ ମିଶାଇ ଦେଇଛି।ଜମିରେ ସ୍ଥିତି ଅତ୍ୟନ୍ତ ଭୟାବହ।

 

ପ୍ରବଳ ପବନ ଓ ବର୍ଷା କାରଣରୁ ପରିପକ୍ୱ ଧାନ ଗଛ ସମ୍ପୂର୍ଣ୍ଣରୂପେ ତଳେ ପଡ଼ିଯାଇଛି। କେତେକ ସ୍ଥାନରେ ଧାନ କାଦୁଅ ପାଣିରେ ବୁଡ଼ି ରହିଛି। ଚାଷୀମାନେ କହିଛନ୍ତି, “ବର୍ତ୍ତମାନ ଆମେ କିପରି ଋଣ ପରିଶୋଧ କରିବୁ, ପରିବାର ପ୍ରତିପାଳନ କରିବୁ, ବୁଝି ପାରୁନାହୁଁ। ଏ ଯେପରି ଅନ୍ଧକାରରେ ପହଞ୍ଚିଗଲୁଣି।”ହରଭଙ୍ଗା ବ୍ଲକର ସରସରା ଗ୍ରାମର ଚାଷୀମାନେ ଜଣାଇଛନ୍ତି ଯେ ଏହି ବର୍ଷ ଖରିଫ ଋତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ୟା ଜର୍ଜରିତ ରହିଛି। ପ୍ରଥମେ ଅସମୟ ବର୍ଷା ଯୋଗୁଁ ଧାନ ଫସଲରେ ବିପୁଳ ମାତ୍ରାରେ ରୋଗ ଓ ପୋକର ଆକ୍ରମଣ ହୋଇଥିଲା। ଚାଷୀମାନଙ୍କୁ ଅତିରିକ୍ତ ଖର୍ଚ୍ଚ କରି କୀଟନାଶକ ସ୍ପ୍ରେ କରିବାକୁ ପଡ଼ିଥିଲା।ତା’ପରେ ଲଗାତାର ୪ ରୁ ୫ ଦିନ ବର୍ଷା ହେବା ପରେ ହଠାତ୍ ପ୍ରଚଣ୍ଡ ଖରା ପଡ଼ିବାକୁ ଲାଗିଲା। ବିଳମ୍ବ ରାତିରେ କାକର ପଡ଼ିବା ସହ ଦିନ ବେଳେ ଦିନିଆ ଖରା ପରି ତୀବ୍ର ଖରା – ଏହି ଅନିୟମିତ ପାଗ ଫସଲ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରିଥିଲା। ତଥାପି ଚାଷୀମାନେ ଆଶା ରଖିଥିଲେ ଯେ କୌଣସି ପ୍ରକାରେ ଅମଳ ହୋଇଯିବ। କିନ୍ତୁ ଦୀପାବଳି ସମୟରେ ଏହି ବିନାଶକାରୀ ବର୍ଷା ସେମାନଙ୍କ ଶେଷ ଆଶା ମଧ୍ୟ ଛିନ୍ନ କରିନେଇଛି।ସରସରା ପଞ୍ଚାୟତର ଅଗ୍ରଣୀ ଚାଷୀମାନେ କହିଛନ୍ତି, “ଆମ ମଧ୍ୟରେ ଆଲୋଚନା ହେଉଛି ଯେ ଏଥର ଖରିଫ ଋତୁରେ ଧାନ ଅମଳ ଗତ ବର୍ଷ ଅପେକ୍ଷା ୪୦ରୁ ୫୦ ପ୍ରତିଶତ କମ୍ ହେବ। ପ୍ରାୟ ୨୦୦୦ ହେକ୍ଟରରୁ ଅଧିକ ଜମିରେ ଫସଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।”ସ୍ଥାନୀୟ ଚାଷୀମାନେ କହିଛନ୍ତି, “ଆମେ ଏହି ବର୍ଷ ବ୍ୟାଙ୍କରୁ ଋଣ ନେଇ ଧାନ ଚାଷ କରିଥିଲୁ। ଋଣର ସୁଧ ଓ ମୂଳଧନ ପରିଶୋଧ କରିବାକୁ ଆଉ କିଛି ବାକି ନାହିଁ। ଯଦି ସରକାର ତୁରନ୍ତ ସହାୟତା ନ କରନ୍ତି, ତେବେ ଆମକୁ କୃଷି ଛାଡ଼ି ସହରକୁ ଯିବାକୁ ପଡ଼ିବ।”

ପ୍ରତ୍ୟେକ ଚାଷୀଙ୍କ ସରକାରଙ୍କୁ ଅନୁରୋଧ ରଖିଛନ୍ତି ଯେ ,ଜମିରେ କେତେ କ୍ଷତି ହୋଇଛି ତାହାର ଗ୍ରାମ ସ୍ତରରେ ତୁରନ୍ତ ସର୍ଭେ କରାଯାଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଉ। ଯେଉଁ ଚାଷୀମାନେ କୃଷି ଋଣ ନେଇ ଚାଷ କରିଛନ୍ତି, ସେମାନଙ୍କର ଋଣ ସମ୍ପୂର୍ଣ୍ଣ ମାଫ କରାଯାଉ ଅଥବା ଅତିକମରେ ଋଣ ପରିଶୋଧ ସମୟସୀମା ୨ ବର୍ଷ ପାଇଁ ବଢ଼ାଯାଇ ସୁଧମୁକ୍ତ କରାଯାଉ।ଆଗାମୀ ରବି ଋତୁରେ ଚାଷ କରିବା ପାଇଁ ମାଗଣା କିମ୍ବା ସବସିଡି ଦରରେ ବିହନ, ସାର ପ୍ରଦାନ କରାଯାଉ ଏବଂ ସହଜ ସର୍ତ୍ତରେ ସୁଧମୁକ୍ତ ଋଣ ଯୋଗାଇ ଦିଆଯାଉ। ହରଭଙ୍ଗା ବ୍ଲକର ବୟସ୍କ ଚାଷୀମାନେ କହିଛନ୍ତି, “ଗତ ୪୦-୫୦ ବର୍ଷ ଧରି ଆମେ ଚାଷ କରୁଛୁ, କିନ୍ତୁ ଏପରି ବିପର୍ଯ୍ୟୟ କେବେ ଦେଖିନାହୁଁ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ଅପ୍ରତ୍ୟାଶିତ ବର୍ଷା ବାରମ୍ବାର ହେଉଛି। ଯଦି ଏହି ଧାରା ଜାରି ରହିଲା, ତେବେ ଆଗକୁ କୃଷି କିପରି ହେବ? ଖାଦ୍ୟ ସୁରକ୍ଷା କିପରି ରହିବ? ସରକାର ଏହି ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବା ଦରକାର।”କୃଷି ବିଶେଷଜ୍ଞମାନେ କହିଛନ୍ତି, “ଜଳବାୟୁ ପରିବର୍ତ୍ତନ କାରଣରୁ ଏପରି ଅପ୍ରତ୍ୟାଶିତ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ହେଉଛି। ଯଦି ଏହି ଧରଣର ଅନିୟମିତ ଜଳବାୟୁ ପରିସ୍ଥିତି ଆଗକୁ ଜାରି ରହେ, ତେବେ ପ୍ରଥମତଃ ଖାଦ୍ୟ ଉତ୍ପାଦନ ବ୍ୟାପକ ଭାବରେ କମିବ। ଦ୍ୱିତୀୟତଃ, ଚାଷୀମାନେ କ୍ରମାଗତ କ୍ଷତିର ସମ୍ମୁଖୀନ ହୋଇ ରୋଜଗାର ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ବାଧ୍ୟ ହେବେ ଏବଂ ଆଗକୁ ଅନ୍ନ ପାଇଁ ଜନତା ଅସୁବିଧା ଭୋଗିବା ସହ ଗ୍ରାମାଞ୍ଚଳରେ ଗରୀବୀ ଆହୁରି ବୃଦ୍ଧି ପାଇବ।”ହରଭଙ୍ଗା ବ୍ଲକର ଚାଷୀମାନେ ବର୍ତ୍ତମାନ ସରକାରଙ୍କ ପ୍ରତି ଆଶାରେ ଆଖି ପକାଇ ଅଛନ୍ତି। କେତେକ ଚାଷୀ ଯାହା କିଛି ଫସଲ ବଞ୍ଚିଛି ତାହାକୁ ଶୀଘ୍ର ଅମଳ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କାଦୁଅ ପାଣିରେ ଜମି ପରିପୂର୍ଣ୍ଣ ଥିବାରୁ ଅମଳ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି।ସ୍ଥାନୀୟ ଚାଷୀମାନେ କହିଛନ୍ତି, “ଆମେ ସରକାରଙ୍କ ନିକଟରେ ଆଶା ରଖୁଛୁ ଯେ ସେମାନେ ଆମର ଦୁଃଖ-କଷ୍ଟ ବୁଝିବେ ଏବଂ ତୁରନ୍ତ ସହାୟତା ପ୍ରଦାନ କରିବେ। ଆମେ ଚାହୁଁଛୁ କୃଷିରେ ହିଁ ରହିବା, କାରଣ ଏହା ଆମର ଜୀବିକା ଏବଂ ଆମର ପୂର୍ବପୁରୁଷଙ୍କ ବୃତ୍ତି”।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *