ଦୁଇ ମୃତ ଯୁବକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଲା କ୍ରେଡିଟ କୋ-ଅପରେଟିଭ ସୋସାଇଟି

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମର ଦୁଇ ଯୁବକ ଅନିଲ କୁମାର ସାହୁ ଓ ଧନେଶ୍ୱର ନାୟକଙ୍କ ଅକାଳ ମୃତ୍ୟୁ ଖବର ପାଇ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ବାଲିଚନ୍ଦ୍ରପୁର ଶାଖା ପକ୍ଷରୁ ଉଭୟଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସୋସାଇଟର ପ୍ରତିଷ୍ଠାତା ସଭାପତି ପ୍ରମୋଦ କୁମାର ସାହୁ ଆଜି ଉଭୟଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ଉଭୟଙ୍କ ପରିବାରକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଉଭୟଙ୍କ ପରିବାରକୁ ସମବେଦନା ଜଣାଇ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ଏଭଳି ମହନୀୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ନବଦ୍ବୀପ ନାୟକ, ସୋସାଇଟିର ବାଲିଚନ୍ଦ୍ରପୁର ଶାଖା ପରିଚାଲିକା ସନ୍ତୋଷୀ ସାମଲ ଓ ସୋସାଇଟିର ଦୁଇ ଏଜେଣ୍ଟ ଚିନ୍ମୟ ଜେନା ଓ ଭୂପେଶ କୁମାର ମହାନ୍ତିଙ୍କ ସମେତ ଗ୍ରାମବାସୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।