ଧର୍ମଗଡ ଉପଖଣ୍ଡକୁ ନୂତନ ଜିଲ୍ଲା ଗଠନ ନେଇ ଆଶା ଉଦ୍ଜୀବିତ
ଧର୍ମଗଡ: ଓଡିଶାର ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଝାରୀ ଆଜି ବିଧାନସଭାରେ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ନୂତନ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ଆମନ୍ତ୍ରଣ କରିଛନ୍ତି। ସରକାରଙ୍କ ନିକଟରେ ଏପର୍ଯ୍ୟନ୍ତ ୩୧ଟି ଜିଲ୍ଲା ଗଠନ ଦାବି ପତ୍ର ପ୍ରାପ୍ତ ହୋଇଥିବା ସହିତ ସେଗୁଡ଼ିକୁ ବିବେଚନା କରାଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ମୁଦ୍ଦା ଉପରେ ସଠିକ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଏହି ଘୋଷଣା ପରେ ଧର୍ମଗଡ ଉପଖଣ୍ଡକୁ ନୂତନ ଜିଲ୍ଲା ରୂପେ ଗଠନ କରିବା ଦାବି ପୁନର୍ବାର ଜୋର ଧରିଛି। ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ଦାବୀ କରି ଆସୁଥିବା ସ୍ଥାନୀୟ ନାଗରିକ, ବିଭିନ୍ନ ସଂଗଠନ ଓ ବ୍ୟବସାୟୀ ମହଲ ମଧ୍ୟରେ ଏନେଇ ଆଶା ଉଦ୍ଜୀବିତ ହୋଇଛି। ଧର୍ମଗଡ ଉପଖଣ୍ଡ ଭୌଗୋଳିକ ଭାବେ ବିସ୍ତୃତ ଓ ପ୍ରଶାସନିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହେବାରୁ ଏଠାରେ ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲା ଗଠନ ଦାବି ଉଠୁଥିଲା। ଯଦି ଧର୍ମଗଡକୁ ନୂତନ ଜିଲ୍ଲା ଘୋଷଣା କରାଯାଏ, ତେବେ ପ୍ରଶାସନିକ ସୁବିଧା ବଢ଼ିବ, ଲୋକସେବା କାର୍ଯ୍ୟ ତ୍ୱରାନ୍ୱିତ ହେବ ଏବଂ ଅଞ୍ଚଳର ସାମଗ୍ରିକ ଉନ୍ନତି ସମ୍ଭବ ହେବ। ନୂତନ ଜିଲ୍ଲା ଗଠନ ସମୟରେ ଜନସଂଖ୍ୟା, ଭୌଗୋଳିକ ଦୂରତା, ପ୍ରଶାସନିକ ସୁବିଧା ଓ ଆର୍ଥିକ ସାମର୍ଥ୍ୟ ଭଳି ପ୍ରମୁଖ ମାନଦଣ୍ଡକୁ ଗୁରୁତ୍ୱ ଦିଆଯାଏ। ଏହି ପରିପ୍ରେକ୍ଷିତରେ ଧର୍ମଗଡ ଉପଖଣ୍ଡ ସମସ୍ତ ମାନଦଣ୍ଡ ପୂରଣ କରୁଛି ।

ଧର୍ମଗଡ ଉପଖଣ୍ଡ ର ଭୌଗଳିକ ସ୍ଥିତି , ଜନସଂଖ୍ୟା ଏଵଂ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଥିବା ଭିତ୍ତି ଭୂମୀ କୁ ଦେଖିଲେ ଏହା ବିଗତ ଦିନରେ ଗଠିତ ନୂଆପଡା ଜିଲ୍ଳା, ଦେବଗଡ ଜିଲ୍ଲା, ବୌଦ୍ଧ ଜିଲ୍ଳା,ଝାରସୁଗୁଡ଼ା ଜିଲ୍ଲା ଠାରୁ ଅଧିକା । ଧର୍ମଗଡ, କୋକସରା, ଗୋଲାମୁଣ୍ଡା, କଲମପୁର, ଜୟପାଟଣା ଓ ଜୁନାଗଡ ପ୍ରଭୃତି ଛଅ ଟି ବ୍ଲକ ର ମୋଟ ୧୪୧ ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ ଏହି ଉପଖଣ୍ଡ ର ମୋଟ ଜନସଂଖ୍ୟା ହେଉଛି ୭ଲକ୍ଷ ୭୨ ହଜାର ୨୭୭ ଏଥି ମଧ୍ୟରୁ ୩,୮୨,୭୬୮ ପୁରୁଷ ଓ ୩,୮୯,୫୦୯ ମହିଳା ଅଟନ୍ତି । ଜନସଂଖ୍ୟା କୁ ହିସାବ କଲେ ଦେବଗଡ ଜିଲ୍ଲା ର ଜନସଂଖ୍ୟା ୩,୧୨,୫୨୦ ର ଏହା ଦୁଇ ଗୁଣ ରୁ ଅଧିକା । ପୁନଶ୍ଚ ଏହା ଛତିଶଗଡ଼ ସୀମା କୁ ଲାଗି ରହିଥିବା ବେଳେ ପ୍ରଶାସନ କୁ ଲୋକଙ୍କ ନିକଟତର କରିବା ପାଇଁ ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ନିହାତି ଆବଶ୍ୟକ ରହିଛି ।ସରକାର ଯଦି ଆସନ୍ତା ଆର୍ଥିକ ବର୍ଷରେ ନୂତନ ଜିଲ୍ଲା ଗଠନ ନେଇ ସକାରାତ୍ମକ ପଦକ୍ଷେପ ନିଅନ୍ତି, ତେବେ ଧର୍ମଗଡ ଜନତାଙ୍କର ଦୀର୍ଘଦିନର ଆକାଙ୍କ୍ଷା ପୂରଣ ହେବ ବୋଲି ଆଶା କରାଯାଉଛି। ଏବେ ସମସ୍ତଙ୍କ ଦୃଷ୍ଟି ସରକାରଙ୍କ ଅନ୍ତିମ ନିଷ୍ପତ୍ତି ଉପରେ ନଜର ରହିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
