July 1, 2025
Home » ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

0
WhatsApp Image 2025-03-25 at 3.51.44 PM (1)

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ନିୟୋଜନ ତଥା ଦକ୍ଷତା ବିକାଶ ବିଭାଗ ତରଫରୁ ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ୯ ଗୋଟି ପ୍ରକଲ୍ପ କାର୍ଯ୍ୟକାରୀଣି ସଂସ୍ଥା ଓ ୨୪ଟି ନିଯୁକ୍ତି ପ୍ରଦାନ କାରି ସଂସ୍ଥା ଯୋଗଦେଇ ନିଜ ନିଜ ସଂସ୍ଥାରେ ନିଯୁକ୍ତିର ସୁବିଧା ସୁଯୋଗ ଗୁଡିକୁ ନିଯୁକ୍ତି ଆଶାୟୀ ଥିବା ଯୁବକ ଯୁବତୀ ମାନଙ୍କୁ ବୁଝାଇ ଥିଲେ । ପ୍ରାରମ୍ଭରେ ଜିଲ୍ଲା କର୍ମ ନିୟୋଜନ ତଥା ଦକ୍ଷତା ବିକାଶ ଅଧିକାରୀ ଆନନ୍ଦ ପଳେଇ ଜିଲ୍ଲା ସ୍ତରୀୟ ମେଳା ଦ୍ଵାରା ଜିଲ୍ଲା ର ବେକାର ଯୁବକ ଯୁବତୀ ପ୍ରକଲ୍ପ କାର୍ଯ୍ୟକାରୀଣି ସଂସ୍ଥା ମାଧ୍ୟମରେ ଜିଲ୍ଲା ଓ ଜିଲ୍ଲା ବାହାରେ ତାଲିମ ନେଇ ନିଶ୍ଚିତ ନିଯୁକ୍ତିର ସୁଯୋଗ ହାସଲ କରିପାରିବେ ବୋଲି କହିଥିଲେ।ନବରଙ୍ଗପୁର ଜିଲ୍ଲାର ଜୀବିକା ସନ୍ଧାନରେ ଥିବା ୫ ମ ଶ୍ରେଣୀ ପାସ ଠାରୁ ଦଶମ ଶ୍ରେଣୀ ଫେଲ ପର୍ଯ୍ୟନ୍ତ ଏବଂ ମାଟ୍ରିକ (୧୦ ମ ଶ୍ରେଣୀ)ପାସ ଠାରୁ ସ୍ନାତକ, ଆଇ ଟି ଆଇ, ଡିପ୍ଲୋମା ପାସ କରିଥିବା ଆଗ୍ରହୀ ଯୁବକ ଯୁବତୀ ମାନେ (୧୮ ରୁ ୩୫ ବର୍ଷ ମଧ୍ୟରେ) ଏହି ମେଳା ରେ ଭାଗ ନେଇ ଶିକ୍ଷାଗତ ଯୋଗ୍ୟତା, ବାସିନ୍ଦା ପ୍ରମାଣପତ୍ର,ଜାତି ପ୍ରମାଣପତ୍ର,ଆଧାରରେ ନିଯୁକ୍ତି ପାଇପାରିବେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ନିଜର ବକ୍ତବ୍ୟରେ ଜିଲ୍ଲାର ନିଯୁକ୍ତି ମେଳାରେ ଭାଗ ନେଇ ଥିବା ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ମାନେ ଉପସ୍ଥିତ ପ୍ରକଲ୍ପ କାର୍ଯ୍ୟକାରୀଣି ସଂସ୍ଥା ଓ ନିଯୁକ୍ତି ପ୍ରଦାନ କାରି ସଂସ୍ଥା ମାନଙ୍କ ଜରିଆରେ ତାଲିମ ନେଇ ନିଶ୍ଚିତ ନିଯୁକ୍ତିର ସୁଯୋଗ ହାସଲ କରିବା ସହିତ ଆର୍ଥିକ ଦିଗରେ ସଶକ୍ତ ହେବା ପାଇଁ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନିଯୁକ୍ତି ପ୍ରଦାନ କାରି ସଂସ୍ଥା ମାନଙ୍କ ତରଫରୁ ମନୋନୀତ ମଧୁ ଯାନୀ , ଚୈତନ୍ୟ ଗୌଡ, ପିଣ୍ଟୁ ଜାନୀ ଓ ମାମିନା ମୁଦୁଲି ଙ୍କ ସମେତ ୫୨ ଜଣ ଯୁବକ ଯୁବତୀ ମାନଙ୍କୁ ଜିଲ୍ଲାପାଳ ଡଃ ମହାପାତ୍ର ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଶିବିରରେ ବିଭିନ୍ନ ବ୍ଲକ ରୁ ଆସିଥିବା ମୋଟ ୫୭୩ ଜଣ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ନିଜ ନାମ ପଞ୍ଜିକରଣ କରିଥିଲେ। ୫୭୩ ଜଣରୁ ନିଯୁକ୍ତକାରୀ ସଂସ୍ଥା ଓ ପ୍ରକଲ୍ପ କାର୍ଯ୍ୟକାରିଣୀ ସଂସ୍ଥା ଦ୍ୱାରା ମୋଟ ୩୧୦ ଜଣଙ୍କୁ ଚିହ୍ନଟ କରାଯାଇ ଆଗକୁ ନିଯୁକ୍ତି ଓ ତାଲିମ ଉପରେ ପଦକ୍ଷେପ ନେବେ।ଆକ୍ସନଏଡର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଙ୍କ ସଂଯୋଜନାରେ ହୋଇଥିବା ଏହି ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ, ଜିଲ୍ଳାପରିଷଦ ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ବିରଞ୍ଚି ନାରାୟଣ ଦରୁୱାନ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦି କହଁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଏଆରଓ ଗୋପାଳପୁର ଏମ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।
ସୈନ୍ୟ ବାହିନୀରେ ଯୋଗ ଦେବାକୁ ଚାହୁଁଥିବା ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ଉପଯୁକ୍ତ ତାଲିମ ଓ ନିଯୁକ୍ତି ନିମନ୍ତେ ଆଗକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିବିର ସ୍ଥାପନ କରିବାକୁ ଜିଲ୍ଲାପାଳ ଆଗ୍ରହ ପ୍ରକାଶ କରିଥିଲେ। ଶେଷରେ ଅତିରିକ୍ତ ଦକ୍ଷତା ବିକାଶ ଅଧିକାରୀ ଶୁଭମ୍ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *