March 12, 2025
Home » ନାରୀ ନିର୍ଯ୍ୟାତନା ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।

ନାରୀ ନିର୍ଯ୍ୟାତନା ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।

0

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳା କଂଗ୍ରେସ ,ଯୁବ ଛାତ୍ର କଂଗ୍ରେସ କର୍ମୀମାନେ ଏଥିରେ ଯୋଗ ଦେଇ ପ୍ରତିବାଦ କରିଥିଲେ। ଦିନ ୧୧ଟା ବେଳେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୋହନ ଚରଣ ପରିଡ଼ାଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ କେନ୍ଦୁଝର କଂଗ୍ରେସ ଭବନରୁ ବାହାରି ବଜାର ପରିକ୍ରମା କରିଥିଲେ। ସେମାନେ ମୋହନ ସରକାର ବିଜେପି ଡବଲ ଇଞ୍ଜିନ ସରକାର ବିରୋଧରେ ନାରା ଦେଇଥିଲେ। ପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ ଉପସଭାପତି ଅଧିବକ୍ତା ଶିବାନନ୍ଦ ରାୟ ପର୍ଯ୍ୟବେକ୍ଷକ ଭାବେ ଏଥିରେ ଯୋଗ ଦେଇଥିଲେ। ବଜାର ପରିକ୍ରମା ପରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ପ୍ରତିବାଦ ସଭା ହୋଇଥିଲା। ବକ୍ତା ମାନେ ଜିଲ୍ଲାରୁ ଅଧିବାସୀ ନେତା ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ହେଲା ପରେ କେନ୍ଦୁଝର ଜିଲ୍ଲାର ବିକାଶ ହେବା ବଦଳରେ ବିନାଶ ଆରମ୍ଭ ହୋଇଛି ବୋଲି ଅଭିଯୋଗ କରିଥିଲେ। ବିକାଶ ନାମରେ ଖଣି ଖଦାନ ଲୁଟ ଚାଷ ଜମି ହଡ଼ପ ଉଦ୍ଦେଶ୍ୟରେ ପୋଲିସ ଦ୍ବାରା ଜନଶୁଣାଣୀ କରାଯାଉଛି। ଷ୍ଟିଲ ପ୍ଲାଣ୍ଟ ହେବ କହି ଲୋକଙ୍କୁ ଲଲିପପ୍ ଲୋଭ ଦିଆ ଯାଉଛି ହେଲେ ସ୍ଥାନ ଘୋଷଣା ହେଉନି। ବେକାର ପିଲା ବାହାର ରାଜ୍ୟରେ ଶୋଷଣର ଶିକାର ହୋଇ ଅଭିଯୋଗ କରୁଛନ୍ତି। ବିଜେପି ନେତା ମାଆକୁ ସମ୍ମାନ କହି ସମାଜସେବୀ ରୋଜାଲିନ ସାହୁକୁ ହତ୍ୟା କରିଛି ,୩୦୨ ନରହତ୍ୟା ଦଫା ଲାଗିଥିବା ଅପରାଧୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁରକ୍ଷା ଦେଇଛନ୍ତି। ସେହିପରି ଚମ୍ପୁଆ ୬ଷ୍ଠ ଶ୍ରେଣୀ ଝିଅ ଗର୍ଭବତୀ ବୋଲି ରିପୋର୍ଟ ଆସିଲା ହେଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ରାତାରାତି ରିପୋର୍ଟକୁ ନେଗେଟିଭ କରିଦିଆଗଲା। ଏଥିରୁ ଆମର ଝିଅମାନେ କେତେ ସୁରକ୍ଷିତ ସମସ୍ତେ ଜାଣି ସାରିଲେଣି। ମୋହନ ସରକାର ଖଣି ଦୁର୍ନୀତି ଲାଗି ଶାହା କମିଶନ ରିପୋର୍ଟ ସର୍ବସାଧାରଣ କରି କାର୍ଯ୍ୟନୁଷ୍ଠାନ କରିବାକୁ ଦାବି କରାଯାଇଥିଲା।

ବିଜେପି ବିଜେଡ଼ି ମେଣ୍ଟ ସରକାର ବେଳେ ଶୁଆକାଟି ଲୋଡିଂ ଏଜେନ୍ସି ହୋଇ ଥିଲା ଏହାର ପଞ୍ଜିକରଣ କିପରି ହେଲା ଯାଞ୍ଚ ହେଉ। ଏବେ ବିଜେପି ଜିଲ୍ଲା ସଭାପତିଙ୍କ ସ୍ତ୍ରୀ ଏହାର ସଭାପତି ଅଛନ୍ତି ପୁରୁଣା କର୍ମକର୍ତ୍ତା ହେରଫେର ଲାଗି ଦାୟୀ ତେଣୁ ଏହି ସଂସ୍ଥାକୁ ସରକାର ସମ୍ପୂର୍ଣ୍ଣ ତଦନ୍ତ ପରିସରକୁ ଆଣି କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ। କେନ୍ଦୁଝରର କଳିଙ୍ଗ ଆଇରନ ୱାର୍କ୍ସ ପରି ସଂସ୍ଥା ପଡ଼ି ରହିଥିଲା ବେଳେ ସେଠାରେ ଷ୍ଟିଲ ପ୍ରକଳ୍ପ ହେଉ। ରାଜ୍ୟରେ ଏବେ ୮ ମାସର ବିଜେପି ସରକାର ହେବା ପରେ ୧୬ ଶହ ନାରୀ ନିର୍ଯ୍ୟାତନା ମାମଲା ଆସିଲାଣି। ନାରୀ ହତ୍ୟା ବଳାତ୍କାର ଦୁଷ୍କର୍ମ ଅତ୍ୟାଚାର ସଂଖ୍ୟା ବଢ଼ି ଯାଇଛି। କେନ୍ଦୁଝର ସହର ଦେଇ ଦିନ ବେଳେ ଗୋ ଚାଲାଣ ହେଉଛି ମୋହନ ବାବୁ ନିଜେ ସବୁ ଜାଣି ଚୁପ୍ ଅଛନ୍ତି। ତେଣୁ ଅପାରଗ ସରକାରକୁ ସଦବୁଦ୍ଧି ଦେବାକୁ କଂଗ୍ରେସ ଅହରହ ଆନ୍ଦୋଳନ କରିବ ବୋଲି ବକ୍ତା ମାନେ କହିଥିଲେ। ଦରକାର ହେଲେ ମହିଳା ମାନେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧସେଇ ପଡ଼ିବେ ବୋଲି ରାଜ୍ୟ ମହିଳା କଂଗ୍ରେସ ଉପ ସଭାନେତ୍ରୀ ସୁଶ୍ରୀ ସଙ୍ଗୀତା ସିଂହ କହିଥିଲେ। ଏହି ସଭାକୁ ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ପରିଚାଳନା କରିଥିଲେ। ଜିଲ୍ଲା ସଭାପତି ମୋହନ ଚରଣ ପରିଡା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର,ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂହ ଲାଗୁରି,ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ, ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରି, ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରତିଭା ମଞ୍ଜରି ନାୟକ,ବରିଷ୍ଠ କଂଗ୍ରେସ ନେତା ଲିଟୁ ଚକ୍ର,ହାଡିବନ୍ଧୁ ଖୁଣ୍ଟିଆ,ଶ୍ରୀନିବାସ ପାଇକରାୟ,ନିର୍ମଳ ନାୟକ,ବୀରଭଦ୍ର ମହାନ୍ତ,ଶୁଭମ୍ ରାଜ ପ୍ରମୁଖ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜିଲ୍ଲା ଉପଭାପତି ବସନ୍ତ ଦାସ,ସୁଢ଼ଳ କୁମାର ସେଠି,ରତ୍ନାକର ଜେନା,ବିଜୟ କୁମାର ରଣା,ଦେବେନ୍ଦ୍ର କୁମାର ନାୟକ ଆଦି ନେତା ଓ ବହୁ କର୍ମୀ ଯୋଗ ଦେଇଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *