December 27, 2025
Home » ନୟାଗଡ଼ରେ ୭୯ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼ରେ ୭୯ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

0
WhatsApp Image 2025-08-17 at 10.23.41 PM



ନୟାଗଡ଼ ସଦର ମହକୁମାରେ ଅଗଷ୍ଟ ୧୫ ତାରିଖ ଦିନ ୭୯ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ନୟାଗଡ଼ ପୋଲିସ ତାଲିମ ସ୍କୁଲ ପଡ଼ିଆ ଠାରେ ପାଳନ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାତଃ ଘ.୦୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ସଙ୍ଗୀତ ସହର ପରିକ୍ରମା କରିଥିଲା । ସକାଳ ୬ଘଟିକା ସମୟରେ ପ୍ରଭାତଫେରୀ କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେମାନଙ୍କ ଅଂଚଳରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା କରାଯାଇଥିଲା ।
ସକାଳ ଘ.୦୭.୩୦ମି. ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ ଓ କଲେଜମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।ସକାଳ ୮ଘଟିକାରେ ତ୍ରିନାଥଛକ ଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ , ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ , ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ବରିଷ୍ଠ ଅଧିକାରୀ, ଓ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସକାଳ ୯ଘଟିକା ସମୟରେ ନୟାଗଡ଼ ପୋଲିସ ତାଲିମ ସ୍କୁଲ ପଡ଼ିଆ ଠାରେ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥ୍ ସମ୍ମାନନୀୟ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ଏବଂ ପୋଲିସ ବ୍ୟାଣ୍ଡ୍ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସକାଳ ଘ.୦୯.୧୫ମି. ସମୟରେ ଫୁଲରେ ସୁସଜ୍ଜିତ ଖୋଲା ଗାଡ଼ିରେ ମୁଖ୍ୟ ଅତିଥ୍‌ ପ୍ୟାରେଡ୍ ପରିଦର୍ଶନ କରିବାପରେ ମୁଖ୍ୟ ଅତିଥି ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ ।
ପ୍ୟାରେଡ୍‌ରେ ଭାଗ ନେଇଥିବା ୪୯ଗୋଟି ଦଳ ପ୍ୟାରେଡ୍ କରିବା ସଙ୍ଗେ ସଙ୍ଗେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡ୍‌ରେ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ୫ଗୋଟି ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜସ୍ତର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୩ଟି ବିଦ୍ୟାଳୟକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥ‌ିବା ଛାତ୍ରଛାତ୍ରୀମାନେ ଯଥାକ୍ରମେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନରେ ପ୍ରିୟ ରଂଜନ ମିଶ୍ର, ରାଜ୍ୟସ୍ତରୀୟ କିଶୋରୀ-କିଶୋର ବକ୍ତୃତା ପ୍ରତିଯୋଗିତାରେ ସୁଶ୍ରୀ ବିଦ୍ୟାବିଜିତା ମହାନ୍ତି, ରାଜ୍ୟସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ୬୮ତମ ସ୍ୱନକ୍ଷତ୍ର ବକ୍ତୃତା ପ୍ରତିଯୋଗିତାରେ ସୁଶ୍ରୀ ବିଶ୍ଵବିଜିତା ମହାନ୍ତି,ରୁତଭିକା ପାଲ, ଶିଖରପୁର ଅଙ୍ଗନବାଡ଼ି କେନ୍ଦ୍ରର ଛାତ୍ରୀ ଯିଏକି ଡ.ଏ.ପି.ଜେ ଅବଦୁଲ କଲାମ ଭାରତ ରନ୍ ସମ୍ମାନ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରି ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତି । ନୟାଗଡ଼ ପୂରୁଣା ସହରର ସ୍ଵର୍ଗତ ଶିବୁନ୍ ସିଦ୍ଧାର୍ଥ ସାହୁଙ୍କର ଅଙ୍ଗ ପ୍ରଦାନ କରିଥିବାରୁ ତାଙ୍କ ମାଆ ଜୟନ୍ତୀ ସାହୁଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସୂରଜ୍ ଆୱାର୍ଡ ପ୍ରଦାନ କରାଯାଇଛି । ତାଙ୍କ ମାଆଙ୍କୁ ଆଜିର ଦିବସରେ ଏହି ମହତ୍ କାର୍ଯ୍ୟ ପାଇଁ ମୁଖ୍ୟ ଅତିଥୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରିଥିଲେ । ସେହିପରି ନୟାଗଡ଼ ରେଡକ୍ରସ ଭଲେଣ୍ଟିୟର୍ସ ଫୋରମର ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ଅନୁଷ୍ଠାନର ସଂଯୋଜିକା ସୁନୀତା ରାଣୀ ମହାପାତ୍ରଙ୍କୁ ୭୯ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଜିଲ୍ଲା କାରାଗାର ଅନ୍ତେବାସୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମିଷ୍ଟାନ୍ନ ବଣ୍ଟନ ମଣ୍ଡଳ ଉନ୍ନୟନ ଅଧିକାରୀ, ନୟାଗଡ଼ଙ୍କ ଆନୁକୂଲ୍ୟରେ କରାଯାଇଥିଲା । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଟାରୀ କ୍ଲବ ନୟାଗଡ ଓ ବ୍ଲଡ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥୁ ଉଦ୍‌ଘାଟନ କରିଥିଲେ । ପରେ ପରେ ନୟାଗଡ଼ ପୌର ପରିଷଦ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଫଳ ବଣ୍ଟନ କରାଯାଇଥିଲା ।ଏହି ଜାତୀୟ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଉପସ୍ଥିତ ଥିବାବେଳେ ଜିଲ୍ଲାର ଅଧିକାରୀଗଣ ସ୍ବାଧୀନତା ଦିବସରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼

Leave a Reply

Your email address will not be published. Required fields are marked *