ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଖେଳ ଉଦ୍ଘାଟିତ

ନୟାଗଡ଼ : ନୟାଗଡ଼ ୭୮୬ ୟୁଥ୍ କ୍ଲବ ସିନ୍ଦୁରିଆ, ନୟାଗଡ଼ ଆଥେଲେଟିକ ଆସୋସିଏସନ୍, ମର୍ଣିଂ କ୍ଲବ୍ ନୟାଗଡ଼ ଓ ନୟାଗଡ଼ କ୍ଳବ ମିଳିତ ସହଯୋଗରେ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ନୟାଗଡ଼ ଖେଳ ପଡ଼ିଆରେ ଉଦ୍ଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଡ଼.ଅରୁଣ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ ଓ ପତାକା ଉତ୍ତୋଳନ ଓ ଖେଳାଳୀ ମାନଙ୍କ ସହ କରମର୍ଦ୍ଦନ କରି ଖେଳକୁ ଉଦ୍ଘାଟନ କରିଥିବାବେଳେ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂଜିନିୟର ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ,ନୟାଗଡ଼ କ୍ଲବ ସଭାପତି ଅଶୋକ କୁମାର ନାୟକ , ସଭାପତି ଏସକେ ଇସୁବ୍ ,ସମ୍ପାଦକ ଅନୱର୍ ଅଲ୍ଲୀ ,ମର୍ଣିଂ କ୍ଲବର ସଞ୍ଜୟ କୁମାର ନାୟକ ଓ ଆଲୋକ କୁମାର ଦାସ ପ୍ରଭୃତି ଯୋଗଦେଇଥିଲେ ।
ଆଜିର ପ୍ରଥମ ଖେଳ ସାଇ ହାଲ ସୁନାବେଡ଼ା ଓ ମା ମଙ୍ଗଳା କ୍ଳବ୍ କଟକ ମଧ୍ୟରେ ହୋଇଥିଲା। ଆଜିର ଖେଳରେ ମା ମଙ୍ଗଳା କ୍ଳବ୍ ୬/୨ଗୋଲରେ ସାଇ ହାଲ ସୁନାବେଡ଼ା ପରାସ୍ତ କରି ବିଜୟ ଲାଭ କରିଥିଲା ।ଆଜିର ଖେଳକୁ ଆର୍ନ୍ତଜାତୀୟ ରେଫରୀ ରାଜୁ ମହାନ୍ତି ପରିଚାଳନା କରିଥିଲେ ।ଆଜିର ଖେଳରେ ଶ୍ରେଷ୍ଠ ଖେଳାଳୀ ଭାବରେ ମା ମଙ୍ଗଳା କ୍ଳବ୍ ୧୦ ନମ୍ବର ଜର୍ସି ଖେଳାଳୀ ଦୀନବନ୍ଧୁ ଦାସଙ୍କୁ ଟ୍ରଫି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜିର ଖେଳର ଧାରା ବିବରଣୀ ଦେଉଥିଲେ ଅଧ୍ୟାପକ ଡ଼.ଆଶୁତୋଷ ମିଶ୍ର,କବି ଶେଖ୍ ଅବଦୁଲ୍ ଖାଲିକ୍ ଓ ଭାଗିରଥି ପାସା ।ଆଜିର ଖେଳରେ ଭରପୁର ଦର୍ଶକ ଖେଳର ବହୁତ ମଜା ନେଇଥିଲେ । ଆସନ୍ତା କାଲିର ଖେଳ ୟୁନାଇଟେଡ କ୍ଳବ୍ ଗଣ୍ଡରପୁର ଓ ସମ୍ବଲପୁର ଫୁଟବଲ୍ ଏକାଡେମୀ ମଧ୍ୟରେ ହେବ ଠିକ୍ ଅପରାହ୍ନ ୩ଘଟିକାରେ ।