ନୟାଗଡ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଭୁବନେଶ୍ୱର ପିଏମଜିର ରାଜରାସ୍ତାରେ ।
ନୟାଗଡ଼ :ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ସଂଘ ଡାକରାରେ ନୟାଗଡ଼ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଜିଲ୍ଲା ସଭାପତି ଜ୍ୟୋସ୍ନାମୟୀ ପଣ୍ଡାଙ୍କ ନେତୃତ୍ୱରେ ସୋମବାର ଭୁବନେଶ୍ୱର ପିଏମଜିରେ ବିକ୍ଷୋଭ ଓ ଧାରଣାରେ ବସିଥିବା ଜଣାପଡ଼ିଛି। ସରକାରୀ କର୍ମଚାରୀର ମାନ୍ୟତା ସହ ଦରମା ବୃଦ୍ଧି ଓ ବିଭିନ୍ନ ପ୍ରସଙ୍ଗ ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଧୁଆଁ ବାଣରେ ପରିଣତ ହେବା ଛଡ଼ା ଆଉ କିଛି ନୁହେଁ ବୋଲି ଅଭିଯୋଗ ହୋଇଛି ।ସରକାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଯାବତୀୟ କାର୍ଯ୍ୟରେ ,ଏପରିକି ଶିଶୁ ତଥା ଗର୍ଭବତୀ ଓ ମହିଳାମାନଙ୍କ ବିକାଶ କ୍ଷେତ୍ରରେ ସରକାର ପ୍ରତି ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି କରି ଶିଶୁମାନଙ୍କୁ ପାଠପଢା ସହିତ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବା ଓ ମା’ମାନଙ୍କ ଯାବତୀୟ ସ୍ୱାସ୍ଥ୍ୟ ପରୀକ୍ଷାର ଦାୟିତ୍ଵ, ଗାଁ କଲ୍ୟାଣ ସମିତି,ରୋଗି କଲ୍ୟାଣ ସମିତି, ଭୋଟର ପଂଜିକରଣ ଓ ସଂଶୋଧନ , ସୁଭଦ୍ରା ଯୋଜନା ଓ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସେମାନଙ୍କୁ ନିୟୋଜିତ କରାଯାଉଛି ।

ଏତେସବୁ କାମର ଚାପ ପଡି ସେମାନେ ଦିନରାତି ଏକାକାର କରି ଖଟୁଥିବା ସେମାନଙ୍କ ପାଇଁ ଅସହ୍ୟ ହୋଇପଡୁଛି।ସେମାନଙ୍କ ଉପରେ ଏତେସବୁ ସମସ୍ୟାର ବୋଝ ଲଦି ହୋଇ ପଡ଼ିଥିବା ବେଳେ ଏବଂ ସେମାନେ ଏସବୁ ସମସ୍ୟା ନେଇ ସରକାରଙ୍କୁ ଅବଗତ କରୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ସରକାରଙ୍କ ବିଭିନ୍ନ ଯୋଜନାକୁ କାମର ଚାପରେ ସହିନପାରି କେତେକ କର୍ମୀ ଚାକିରି ପ୍ରତି ବିମୁଖ ହୋଇ ପଦବୀ ଛାଡ଼ିଥିବା ଓ ସଂସାର ଉଜୁଡୁଥିବାବେଳେ ,ପେଟପାଟଣା ସକାଶେ କେବଳ ବାଧ୍ୟ ବାଧକତାରେ ଏସବୁ କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି କର୍ମୀମାନେ କହିଛନ୍ତି ।ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ।ଯଥାଶୀଘ୍ର ଅଙ୍ଗନାବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହ ପରିଶ୍ରମକୁ ଚାହିଁ ପାରିଶ୍ରମିକ ଦେବାକୁ ସେମାନେ ଦାବି କରିଛନ୍ତି ।ଯଦି ଦାବୀ ପୂରଣ ନହୁଏ , ଆଗାମୀ ଦିନରେ ଜୋରଦାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
