ନୟାଗଡ ବ୍ଲକସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ ଅନୁଷ୍ଠିତ
ନୟାଗଡ଼:ନୟାଗଡ ବ୍ଲକସ୍ତରୀୟ ‘ ସୁରଭି ‘ କାର୍ଯ୍ୟକ୍ରମ ପଣ୍ଡୁସର ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବାନଲତା ବେହେରାଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଉଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବିଷୟରେ ପ୍ରାଥମିକ ସ୍ତରରୁ ହାଇସ୍କୁଲସ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗିତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ ସ୍ତରୀୟ ‘ସୁରଭି’ ପ୍ରତିଯୋଗିତା ନୟାଗଡ଼ ବ୍ଳକ ଅନ୍ତର୍ଗତ ବଡ଼ ପଣ୍ଡୁସର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରୁ ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ।ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ତଥା ସ୍ଥାନୀୟ ସରପଞ୍ଚ ଏବଂ ସମିତିସଭ୍ୟ ଯୋଗଦାନ କରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦଯାପନୀ ସଭାରେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସଂଜୟ ମଲ୍ଲିକ ଏବଂ ଧନେଶ୍ୱର ସେଠି ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଶେଖ ଅବଦୁଲ ଖାଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଅଶୋକ ମଲ୍ଲ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
