ପଡା ଗ୍ରାମରେ ହେବ ୫୭ତମ ଜାତୀୟ ସମ୍ବଲପୁରୀ ଭେଟଘାଟ
ବରଗଡ/ବିଜେପୁର : ସମ୍ବଲପୁରୀ ଭାଷାକୁ ଭାଷାର ମାନ୍ୟତା ପାପ୍ତି ଦିଗରେ ପଶ୍ଚିମ ଓଡ଼ିଶାର କବି, ଲେଖକ, ଔପନ୍ୟାସିକ, ନାଟ୍ୟକାର, ସ୍ତମ୍ଭକାର ଆଦି ସ୍ରଷ୍ଟାଗଣ ତଥା ଭାଷାବିତ୍ ମାନେ ଅନବରତ ସମ୍ବଲପୁରୀ ଭାଷା ଆନ୍ଦୋଳନରେ ସାମିଲ ହୋଇ ନିଜ ନିଜର କର୍ମପଥରେ ଆଗେଇ ଚାଲିଥିବା ଦେଖିବାକୁ ମିଳେ । ଏପରିକି ସାହିତ୍ୟ ଅନୁଷ୍ଠାନମାନ ସମ୍ବଲପୁରୀ କବି ସମ୍ମିଳନୀ, ଆଲୋଚନା ଚକ୍ର ଆଦି ସାମୁହିକ କାର୍ଯ୍ୟକ୍ରମ ଗୁଡିକ କରି ଆସୁଛନ୍ତି । ଏହି ପରିପ୍ରେକ୍ଷିରେ ଆସନ୍ତା ୨୦୨୬ ଜାନୁୟାରୀ ୨୩ ତାରିଖ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ମନୋହର ସାଂସ୍କୃତିକ ସଂସଦ, ଭେଡେନ ଓ ପ୍ରକାଶ ସାଂସ୍କୃତିକ ସଂସଦ, ପଡା ର ମିଳିତ ଆନୁକୂଲ୍ୟରେ ପଡା ଠାରେ ହେବାକୁ ଥିବା ୫୭ ତମ ଜାତୀୟ ସମ୍ବଲପୁରୀ ଭେଟଘାଟ କାର୍ଯ୍ୟକ୍ରମର ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ପଡା ପ୍ରକାଶ ସାଂସ୍କୃତିକ ସଂସଦର ସଭାପତି ପ୍ରଦୀପ ପଧାନଙ୍କ ସଭାପତିତ୍ବ ତଥା ସମ୍ପାଦକ ଦିଲ୍ଲିପ କୁମାର ଦେବତାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମନୋହର ସାଂସ୍କୃତିକ ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇ, ନାଟ୍ୟକାର ମୋହନ ସିଂ କହ୍ନେଇ, କ୍ରାନ୍ତିକବି ହରିଲାଲ ସାହୁ, ବିଶିକେଶନ ମେହେର, ଲଲିତ କୁମାର ସାହୁ, ନରେନ୍ଦ୍ର ମହାନ୍ତି, ତେଜରୁ ବାରିକ, ସୁରେଶ ଚନ୍ଦ୍ର ଭୋଇ, ସୁଭାସ ଚନ୍ଦ୍ର ଭୁଏ, ଉମେଶ ପଧାନ, ଜଗନ୍ନାଥ କୁମ୍ଭାର ସମେତ ସାହିତ୍ୟ ପ୍ରେମୀମାନେ ଉପସ୍ଥିତ ରହି ମତ ମନ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ପ୍ର୍ରକାଶ ସାଂସ୍କୃତିକ ସଂସଦର ବରିଷ୍ଠ ସଦସ୍ୟ ସଦାନନ୍ଦ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଉତ୍ସବ ପାଳନ ଅବସରରେ ଜାତୀୟ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହେବା ସହ ସମ୍ବଲପୁରୀ ଭାଷା ସାହିତ୍ୟ ଚର୍ଚ୍ଚା ଓ କବି ସମ୍ମିଳନୀ ଅନୁଷ୍ଠିତ ହେବ । ତତ୍ ସହିତ ସମ୍ବଲପୁରୀ ଭାଷା ପାଇଁ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତି ଛତିଶଗଡ ସରାଇପାଲି ବିଧାୟିକା ଶ୍ରୀମତୀ ଚାତୁରୀ ନନ୍ଦ, ସମ୍ବଲପୁରୀ ସଂସ୍କୃତି ବିଶାରଦ ଜଗନ୍ନାଥ କୁମ୍ଭାର, ଦିବ୍ୟାଙ୍ଗ କବି ଗୋବିନ୍ଦ ମେହେର, ବ୍ୟଙ୍ଗକବି କିଶୋର ପାତ୍ର ଏବଂ ସୋନପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ତନୁଶାନ ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯିବ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପଦ୍ମପୁର ‘ଲୁ’ ଅନୁଷ୍ଠାନର ପୁରସ୍କୃତ ଏବଂ ଚର୍ଚ୍ଚିତ ନାଟକ “ଅନ୍ଧାର୍ ନୁଁ ଉକିଆ କେ” ପରିବେଷିତ ହେବ । ଏହି ସମ୍ବଲପୁରୀ ଭେଟଘାଟ୍ ଉତ୍ସବ ଆଗାମୀ ୨୩ ତାରିଖ ଦିନ ୨ ଘଣ୍ଟା ସମୟରୁ ଆରମ୍ଭ ହେବାକୁ ସ୍ଥିରିକୃତ ହୋଇଥିବା ବେଳେ, କାର୍ଯ୍ୟକ୍ରମ ପାଇଁ ଉଦ୍ଧିଷ୍ଟ ସମୟରେ ସମ୍ବଲପୁରୀ ସାହିତ୍ୟ ପ୍ରେମୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିବା ହେବେ ବୋଲି ଆୟୋଜକ ମଣ୍ଡଳୀ ଅନୁରୋଧ କରିଛନ୍ତି ।
