ପଥ ପାଲଟିଛି ଉତ୍ସବମୟ…ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ପଥଉତ୍ସବ,ଝଲସିଉଠୁଛି ଲୋକ କଳା ଓ ପରମ୍ପରା.
ଭବାନୀପାଟଣା: ରାସ୍ତାରେ ଜମିଛି ଭିଡ଼। ଭଳି କି ଭଳି ମନମୋହକ କଳା ପ୍ରଦର୍ଶନ କରୁଛନ୍ତି ପ୍ରତିଭାଗୀମାନେ। ରାସ୍ତାରେ ବୁଲି ବୁଲି ଉପଭୋଗ କରୁଛନ୍ତି ହଜାର ହଜାର ଦର୍ଶକ ଓ ଦେଖଣାହାରୀ ଲୋକେ। ଦଣ୍ଡେ ଦେଖିଲେ ଘଡିଏ ଦେଖିବାକୁ ଇଚ୍ଛା ହେଉଛି। ଲୋକ କଳା, ସଂସ୍କୃତି, ପରମ୍ପରା ଓ ଯାବତୀୟ ବିଭବ ଅବଲୋକନ କରି ମୋହିତ ହେଉଛନ୍ତି ଆବାଳ ବୃଦ୍ଧ ବନୀତା। ଭବାନୀପାଟଣା ଠାରେ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ଅବ୍ୟବହିତ ପୂର୍ବରୁ ୬ଷ୍ଠତମ ପଥ ଉତ୍ସବର ଏଭଳି ଦୃଶ୍ୟ ଜନମାନସକୁ ଉତ୍ସବମୁହାଁ କରିବାର ଖୋରାକ ଯୋଗାଇଛି।

କଳାହାଣ୍ଡି ଉତ୍ସବ ରାହଗିରି ଉପକମିଟି ତରଫରୁ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମ ଆଜି ସକାଳୁ ଯୋଗ ପ୍ରାଣାୟାମରୁ ଶୁଭାରମ୍ଭ ହୋଇଛି। ଦୁଇହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୁହିକ ବନ୍ଦେ ମାତରଂ ଗାନ ଉପସ୍ଥିତ ଦର୍ଶକ ଓ ଅତିଥିବୃନ୍ଦଙ୍କୁ ଦେଶପ୍ରେମର ଗାଥା ଶୁଣାଇଥିବାବେଳେ ଭାରତୀୟ ଗଣତନ୍ତ୍ରର ଅବଧାରଣା ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ଆହୁରି ଉଦବୁଦ୍ଧ କରିଥିଲା। ମଞ୍ଚ ଉପରେ ମହାରାଜ କଂସଙ୍କ ଦରବାରକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି ମାର୍ଶାଲ ଆର୍ଟ, ରାଇଫଲ ସୁଟିଂ, ରଙ୍ଗୋଲି, ଖାଦ୍ୟମେଳାକୁ ନେଇ ଦିନତମାମ ଦର୍ଶକଙ୍କ ଗହଳି ଲାଗିରହିଥିଲା। ରାହଗିରି କମିଟିର ଉପଦେଷ୍ଟା ଡ. ଅଜୟ କୁମାର ମିଶ୍ର, ଅଧ୍ୟକ୍ଷ ସଞ୍ଜୟ କୁମାର ତଥା ନୋଡାଲ ଅଧିକାରୀ ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇଙ୍କ ତତ୍ୱାବଧାନରେ ଆୟୋଜିତ ରାହାଗିରି ଉଦଘାଟନୀ କାର୍ଯ୍ୟକ୍ରମରେ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, କଳାହାଣ୍ଡି ତହସିଲଦାର ଦାୟିତ୍ୱରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କ ସହିତ ଅନ୍ୟମାନେ ଅତିଥି ଭାବେ ଯୋଗଦେଇ କଳାକାର ଓ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
