July 1, 2025
Home » ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ

ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ

0
WhatsApp Image 2024-11-18 at 5.10.10 PM

କଟକ : ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ । ୬୭ ବର୍ଷରେ କଟକରଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସମୀର ଦେ’ଙ୍କ ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି । ଫୁସଫୁସ, କିଡ୍‌ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ ବରିଷ୍ଠ ବିଜେପି ନେତା ସମୀର ଦେ’। ଦୀର୍ଘଦିନରୁ ଅସୁସ୍ଥ ହୋଇ ଶ୍ରୀ ଦେ ଚିକିତ୍ସିତ ଥିଲେ।

କଟକ ସହରରୁ ଲଗାତର ତିନି ଥର ନିର୍ବାଚିତ ହୋଇଥିଲେ ସମୀର। ୧୯୯୫ ମସିହାରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦ ଓ ୨୦୦୪ରେ ମଧ୍ୟ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ସେ ନଗର ଉନ୍ନୟନ ମନ୍ତ୍ରୀ ଓ ୨୦୦୪ରେ ମସିହାରେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ । ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିବା ବେଳେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିବ ବେଳେ କଟକରେ ଅନେକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ସେ ବିଜେପିର ଜଣେ ଟାଣୁଆ ସଂଗଠକ ଥିଲେ । ଛାତ୍ର ଜୀବନରୁ ସେ ବହୁ ସାମାଜିକ ଅନୁଷ୍ଠାନ ଓ ସଂଗଠନ ସହ ଜଡ଼ିତ ଥିଲେ । ବିଭିନ୍ନ କ୍ରୀଡା ସଂଗଠନର ନେତୃତ୍ୱ ନେବା ସହିତ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍‌ର ସଭାପତି ଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ସମୀର ଦେଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ପହଞ୍ଚାଇ ଆମ ଦଳ ପାଇଁ ଏକ ମଡେଲ ଭାବରେ ପ୍ରସ୍ତୁତ କରିଥିଲେ । ୧୯୯୫ ମସିହାରେ ବିଧାନସଭାରେ ପ୍ରବେଶ କରି ଓଡ଼ିଆଙ୍କ ଜନ ଆକାଂକ୍ଷାକୁ ବଡ଼ ରୂପ ଦେଇ ଦଳ ବିକାଶର ଭିତ୍ତି ପ୍ରସ୍ତର ପକାଇ ଥିଲେ । ୨୦୦୦ ଓ ୨୦୦୪ରେ ମନ୍ତ୍ରୀ ଭାବରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିଥିଲେ । ତାଙ୍କର ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି । ଏହି ଦୁଃଖକୁ ସହ୍ୟ କରିବାପାଇଁ ତାଙ୍କ ପରିବାରକୁ ମହାପ୍ରଭୁ ଅସୀମ ଶକ୍ତି ଦିଅନ୍ତୁ। ଏହା ହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା’ ବୋଲି ପ୍ରଭାତୀ ପରିଡ଼ା ଲେଖିଛନ୍ତି।

ସୂଚନାଯୋଗ୍ୟ, କଟକ ସିଡିଏ ସ୍ଥିତ ବାସ ଭବନରେ ତାଙ୍କର ମର ଶରୀର ପହଞ୍ଚିଛି। ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କର ଶେଷ ଦର୍ଶନ କରୁଥିବା ବେଳେ କିଛି ସମୟ ପରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *