ପର୍ଯ୍ୟଟନ ଋତୁ ଆରମ୍ଭ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ

ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ତେବେ ସମୁଦ୍ର ସ୍ନାନ ବେଳେ ଅନେକ ପର୍ଯ୍ୟଟକ ଉଚ୍ଚ ଢେଉ ମାଡ଼ ସାଙ୍ଗକୁ ରିପ୍ କରେଣ୍ଟରେ ଶିକାର ହୋଇ ସମୁଦ୍ର ଭିତରେ ବୁଡ଼ି ଯାଉଛନ୍ତି। ସମୁଦ୍ର ଭିତରୁ ଗୁରୁତର ଅବସ୍ଥାରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବା ସମ୍ଭବ ହେଉ ନାହିଁ। ଆହତ ପର୍ଯ୍ୟଟକଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ରେ ଚିକିତ୍ସା ନିମନ୍ତେ ନେବା ପାଇଁ ସମୁଦ୍ର କୂଳରେ ଗୋଟିଏ ହେଲେ ବି ଆମ୍ବୁଲାନ୍ସ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇନାହିଁ। ଫଳରେ ସମୁଦ୍ର ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଉଥିବା ପର୍ଯ୍ୟଟକଙ୍କୁ ଅଟୋ ରିକ୍ସା ସାହାଯ୍ୟରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପଡୁଛି। ଅକ୍ସିଜେନ୍ ର ଅଭାବ ଏବଂ ସଙ୍ଗେ ସଙ୍ଗେ ମେଡିକାଲ ନେବାରେ ବିଳମ୍ବ ହେଉଥିବାରୁ ଅନେକ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟୁଥିବା ଅଭିଯୋଗ କରିଛି ପୁରୀ ଜିଲ୍ଲା ଘରୋଇ ଲାଇଫ ଗାର୍ଡ ମହାସଂଘ। ପୁରୀ ଭଳି ଏକ ବିଶ୍ବସ୍ତରୀୟ ବେଳାଭୂମିରେ ପର୍ଯ୍ୟଟକଙ୍କ ଜୀବନର ସୁରକ୍ଷା ପାଇଁ କୌଣସି ଆମ୍ବୁଲାନ୍ସର ବ୍ୟବସ୍ଥା ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ହୋଟେଲିୟର ଶ୍ରୀମନ୍ତ ଦାଶ। ପୁରୀର ଜନଗହଳିପୂର୍ଣ୍ଣ ବେଳାଭୂମି ଅଞ୍ଚଳ ରେ ସ୍ଥାୟୀ ଆମ୍ବୁଲାନ୍ସ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି।ହୋଟେଲିୟର ଶ୍ରୀମନ୍ତ କୁମାର ଦାଶ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ରେ ହେଉଚି ଚାରି ଧାମ ଭିତରେ ଅନ୍ୟତମ ଧାମ। ଏଠାକୁ ଦେଶ ବିଦେଶ ର ବହୁତ୍ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି। ଆଗକୁ ନୁଆ ବର୍ଷ ଆସୁଚି ଏଣୁ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବ। ତେବେ ସମୁଦ୍ର ରେ ଆମେ ଦେଖୁଛୁ ପ୍ରତିଦିନ ପର୍ଯ୍ୟଟକ ମାନେ ବୁଡି ଗୁରୁତର ଆହତ ହେଉଥିବା ବେଳେ ଅନେକ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି। ତେବେ ତାଙ୍କୁ ସମୁଦ୍ର ରୁ ଉଦ୍ଧାର କରୁଥିବା ସତ୍ତ୍ବେ ଆମେ ବଞ୍ଚାଇ ପାରୁନାହୁଁ। କାରଣ ବେଳାଭୂମିରେ ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ। ଫଳରେ ଗୁରୁତର ଲୋକ ଙ୍କୁ ସଙ୍ଗେ ସଙ୍ଗେ ତ୍ୱରିତ ଚିକିତ୍ସା ପାଇଁ ମେଡିକାଲ କୁ ନିଆଯାଇପାରୁନାହିଁ। ଅଟୋ ରେ ନେଲା ବେଳେ ଅନେକ ବିଳମ୍ବ ହେଉଚି। ଫଳରେ ମେଡିକାଲ ରେ ପହଞ୍ଚିବା ବେଳକୁ ଅନେକ ପର୍ଯ୍ୟଟକ ଙ୍କ ମୃତ୍ୟୁ ହେଉଚି। ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ପାଇଁ ଆମ୍ବୁଲାନ୍ସ ୨୪ ଘଣ୍ଟା ରହୁଛି। ହେଲେ ହଜାର ହଜାର ଲୋକ ପ୍ରତିଦିନ ସମୁଦ୍ର ରେ ସ୍ନାନ କରୁଥିବା ବେଳେ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବେଳାଭୂମି ରେ ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ। ଯଦି ବେଳାଭୂମି ରେ ସ୍ଥାୟୀ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇପାରନ୍ତା ତେବେ କିଛି ଅଘଟଣ ଘଟଲେ ଲୋକ ଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ମେଡିକାଲ ନେବାରେ ସମ୍ଭବ ହୋଇପାରନ୍ତା। ଏହା ଦ୍ଵାରା ଅନେକ ଲୋକ ଙ୍କ ଜୀବନ ରକ୍ଷା ହୋଇ ପାରନ୍ତା। ମୋର ଜିଲା ପ୍ରଶାସନ କୁ ଅନୁରୋଧ ସମୁଦ୍ର ରେ ସ୍ନାନ କରୁଥିବା ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା ହେଉ।ପୁରୀ ଆସିଥିବା ପଶ୍ଚିମବଙ୍ଗ ର ଜଣେ ପର୍ଯ୍ୟଟକ ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସମୁଦ୍ର ରେ ହଜାର ହଜାର ପର୍ଯ୍ୟଟକ ପ୍ରତ୍ୟେକ ଦିନ ସ୍ନାନ କରୁଛନ୍ତି। ତେବେ ଅନେକ ସମୟ ସମୁଦ୍ର ରେ ବିଭିନ୍ନ ଅଘଟଣ ଘଟି ପର୍ଯ୍ୟଟକ ଆହତ ହେଉଥିବା ବେଳେ ଅନେକ ମୃତ୍ୟୁ ବରଣ ମଧ୍ୟ କରୁଚନ୍ତି। ତେବେ ଗୁରୁତର ଆହତ ପର୍ଯ୍ୟଟକ ଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେଇ ଚିକିତ୍ସା ଯୋଗାଇ ଦେବାରେ ଆମ୍ବୁଲାନ୍ସ ର ବହୁତ୍ ଗୁରୁତ୍ଵ ରହିଚି। ପୁରୀ ବେଳାଭୂମି ରେ କିନ୍ତୁ ଗୋଟିଏ ବି ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ। ତେବେ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ବ୍ୟବସ୍ଥା ରହିବା ଉଚିତ୍। ଏହା ଦ୍ଵାରା ଅନେକ ଲୋକ ଙ୍କୁ ତ୍ୱରିତ ଚିକିତ୍ସା ସେବା ମିଳି ପାରିବ। ଅନେକ ଲୋକ ଙ୍କ ଜୀବନ ରକ୍ଷା ହୋଇପାରିବ। ସ୍ଥାନୀୟ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଜରୁରୀ।ଅନେକ ସମୟରେ ପର୍ଯ୍ୟଟକମାନେ ଲାଇଫ ଗାର୍ଡ ଙ୍କ କଥା ନମାନି ଗଭୀର ସମୁଦ୍ର ଭିତରକୁ ସ୍ନାନ ପାଇଁ ଯାଉଥିବାରୁ ଉଚ୍ଚ ଢେଉ ସାଙ୍ଗକୁ ରିପ୍ କରେଣ୍ଟରେ ପଡି ଯାଇ ପ୍ରାଣ ହରାଉଛନ୍ତି। ଅନେକ ପର୍ଯ୍ୟଟକ ମଧ୍ୟ ଗୁରୁତର ଭାବେ ଆହତ ହେଉଛନ୍ତି। ସମୁଦ୍ରରେ କିଭଳି ସ୍ନାନ କରିବା ଉଚିତ ଏବଂ କଣ ସବୁ ନିୟମ ପାଳନ କରିବା ଉଚିତ ସେନେଇ କୌଣସି ସଚେତନତା ବାର୍ତ୍ତା ଥିବା ସାଇନେଜ୍ ସମୁଦ୍ର କୂଳରେ ଲଗାଯାଇନାହିଁ। ଫଳରେ ଅନେକ ପର୍ଯ୍ୟଟକ ସଚେତନତା ଅଭାବରୁ ମଧ୍ୟ ସମୁଦ୍ର ଭିତରକୁ ଯାଇ ଅନେକ ସମୟରେ ମୃତ୍ୟୁବରଣ କରୁଛନ୍ତି। ଏଣୁ ସମୁଦ୍ର କୂଳର ବିଭିନ୍ନ ସ୍ଥାନରେ ବିଭିନ୍ନ ସଚେତନତା ବାର୍ତ୍ତା ସାଇନେଜ୍ ଲଗାଯିବା ଆବଶ୍ୟକ ଥିବା ଘରୋଇ ଲାଇଫ ଗାର୍ଡ ସଂଘ ଓ ହୋଟେଲିୟର ଅନୁରୋଧ କରିଛନ୍ତି।ପୁରୀ ବିଚ୍ ଘରୋଇ ଲାଇଫ ଗାର୍ଡ ସଂଘ ର ସମ୍ପାଦକ ହାରି ରାଓ ନିଜ ପ୍ରତିକ୍ରିୟାରେ କୁହନ୍ତି, ଆମେ ଅନେକ ସମୟ ରେ ସମୁଦ୍ର ଭିତରୁ ଗୁରୁତର ରୂପରେ ପର୍ଯ୍ୟଟକ ଙ୍କୁ ଉଦ୍ଧାର କରିଥାଉ। ହେଲେ ଆମେ ଅଟୋ ହେଉକି ଅଗ୍ନିଶମ ବାହିନୀ ର ଗାଡ଼ି ରେ ଗୁରୁତର ଲୋକ ଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ନେଇଥାଉ। ହେଲେ ଏଥି ପାଇଁ ବହୁତ୍ ବିଳମ୍ବ ହୋଇଯାଇଥାଏ। ଏଣୁ ତ୍ୱରିତ ଚିକିତ୍ସା ସେବା ମିଳିବାରେ ସୁବିଧା ନଥିବାରୁ ଅନେକ ଲୋକ ଙ୍କ ମୃତ୍ୟୁ ହୁଏ। ତେବେ ପୁରୀ ବେଳାଭୂମିରେ ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ। ଦିନକୁ ଦିନ ଯେଭଳି ପର୍ଯ୍ୟଟକ ଙ୍କ ସଂଖ୍ୟା ବଢ଼ି ଚାଲିଚି ବେଳାଭୂମିରେ ଅତିକମ ରେ ୩ ଟି ଆମ୍ବୁଲାନ୍ସ ରହିବା ଦରକାର। ଏହା ଦ୍ଵାରା ସମୁଦ୍ର ରେ ବୁଡିଯାଇ ଗୁରୁତର ହେଉଥିବା ପର୍ଯ୍ୟଟକ ଙ୍କୁ ତ୍ୱରିତ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଦ୍ଵାରା ଆମେ ମେଡିକାଲ ନେବାରେ ସୁବିଧା ହୁଅନ୍ତା । ଏହା ଦ୍ଵାରା ଅନେକ ଲୋକ ଙ୍କ ଜୀବନ ରକ୍ଷା ହୋଇ ପାରନ୍ତା। ଅନେକ ଲୋକ ଲାଇଫ ଗାର୍ଡ ଙ୍କୁ ନ ମାନି ଗଭୀର ସମୁଦ୍ର କୁ ଯାଉଥିବାରୁ ଉଚ୍ଚ ଢେଉ ଓ କରେଣ୍ଟ ଯୋଗୁ ମୃତ୍ୟୁ ମୁଖରେ ପଡୁଚନ୍ତି। ଏଣୁ ସମୁଦ୍ର ସ୍ନାନ ବେଳେ କଣ କରିବା ଉଚିତ୍ ଓ କଣ ନ କରିବା ଉଚିତ୍ ଏ ନେଇ ବେଳାଭୂମିରେ ସୂଚନା ଫଳକ ଲାଗିବା ଉଚିତ୍। ଏହା ଦ୍ଵାରା ଲୋକ ସଚେତନ ହେଲେ ଅନେକ ଅଘଟଣ ରୋକାଯାଇପାରିବ।ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କୁହନ୍ତି, ବେଳାଭୂମି ଆସୁଥିବା ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ। ଲୋକ ଙ୍କୁ ସଚେତନ କରାଇବା ପାଇଁ ଅଡିଇ ଭିଜୁଆଲ ବ୍ୟବସ୍ଥା ହେବ। ସମୁଦ୍ର ଅଶାନ୍ତ ଥିବା ବେଳେ ସମୁଦ୍ର ରେ ସ୍ନାନ ନ କରିବା, ବେଳାଭୂମିରେ କଣ କରିବା ଉଚିତ୍ କଣ ନ କରିବା ଉଚିତ୍ ତାହା ଲୋକ ଙ୍କୁ ଏହା ଦ୍ଵାରା ସୂଚନା ଦିଆଯାଇପାରିବ। ସମୁଦ୍ର ସ୍ନାନ ବେଳେ ଯଦି କେହି ପର୍ଯ୍ୟଟକ ବୁଡି ଯିବେ ତାଙ୍କ ଉଦ୍ଧାର ପରେ ସଙ୍ଗେ ସଙ୍ଗେ କିଭଳି ଚିକିତ୍ସା ସେବା ଯୋଗାଇ ଦିଆଯିବ ସେ ନେଇ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବେଳାଭୂମି ର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକ ରେ ଅଧିକ ଲାଇଫ ଗାର୍ଡ ମଧ୍ୟ ମୁତୟନ କରାଯିବ। ଏ ନେଇ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।