October 24, 2025
Home » ପଲିଥିନ ନିଷିଦ୍ଧ ଏକ ଭେଳିକି ! : ଗାଈ ପେଟରେ ୫୦ କିଲୋ ଜରି

ପଲିଥିନ ନିଷିଦ୍ଧ ଏକ ଭେଳିକି ! : ଗାଈ ପେଟରେ ୫୦ କିଲୋ ଜରି

0
WhatsApp Image 2025-09-09 at 7.19.47 AM (1)

 

ବ୍ରହ୍ମପୁର:  ରାଜ୍ୟରେ ପଲିଥିନ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ ତାହା କେବଳ କାଗଜକଲମରେ ସୀମିତ ରହିଛି। କିଛିଦିନ ଧରପଗଡ ପରେ ସରକାରୀ କଳ ଶୋଇପଡ଼ିଛି। ଯେଉଁଥିପାଇଁ ଆଜି ଛୋଟରୁ ବଡବଡ ଦୋକାନରେ କିଣାକିଣି ବେଳେ ପଲିଥିନ ବ୍ୟବହାର ହେଉଛି। କେବଳ ଦୋକାନ ବଜାରରେ ନୁହଁ ଆବର୍ଜନା ଗଦାରେ କୁଢ କୁଢ ପଲିଥିନ ଜମା ହେଉଛି। ସହରକୁ ଆବର୍ଜନା ମୁକ୍ତ କରିବା ତଥା ସଠିକ ପରିଚାଳନା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆବର୍ଜନା ହଟୁନଥିବା ଦେଖିବାକୁ ମିଳୁଛି। ଆଉ ଯାହାର ଭୟଙ୍କର ପରିଣାମ ଭୋଗୁଛନ୍ତି ନିରୀହ ପଶୁ। ସୂଚନା ମୁତାବକ ଗତ ତିନି ଦିନ ତଳେ ଏକ ଗାଈ ହିଲପାଟଣା ବଡ଼ ସାହି ମୁଖ୍ୟ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଲୋକେ ପଶୁ ସହାୟତା ନମ୍ବର ୧୯୬୨କୁ ଯୋଗାଯୋଗ କରିଥିଲେ।

 

ଫଳରେ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ଜାରି ରଖିଥିଲେ ମଧ୍ୟ କୌଣସି ସୁଧାର ଆସିନଥିଲା। ବର୍ଷା କାକରରେ ଛଟପଟ ହେଉଥିବା ଉକ୍ତ ଗାଈକୁ ଦେଖି ପ୍ରଥମେ ସ୍ଥାନୀୟ କର୍ପୋରେଟର ସଂଜିତ ପାଣିଗ୍ରାହୀ ଓ ପରେ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଜଣାଇଥିଲେ। ଶ୍ରୀ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ତାର ଉତ୍ତମ ଚିକିତ୍ସା ପାଇଁ ଚିକିତ୍ସା ଅଧିକାରୀ ଅଞ୍ଜନ ଦାସଙ୍କୁ ଅନୁରୋଧ କରିଥିଲେ । ଉକ୍ତ ଗାଈକୁ ଘଟଣା ସ୍ଥଳରୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତାର ପେଟରେ ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପ୍ରଥମେ ପେଟର ଏକ ଛୋଟ ଅସ୍ତ୍ରୋପଚାର କରିବା ପରେ ଗାଈଟି ସୁସ୍ଥ ଅନୁଭବ କରୁଥିବା ଡାକ୍ତର ସତ୍ୟ ନାରାୟଣ କର ଦେଖି ଆଜି ଅସ୍ତ୍ରୋପଚାର କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି ୫୦ କିଲୋ ଓଜନର ପଲିଥିନ ଜରିର ଗୁଳା ବାହାରିଥିଲା। ଯାହାକୁ ଦେଖି ପଶୁ ଚିକିତ୍ସାଳୟର କର୍ମଚାରୀ ହରି ଚନ୍ଦ୍ର ନାୟକ, ରାମ ଚନ୍ଦ୍ର ସାହୁଙ୍କ ସମେତ ବହୁ ପଶୁପ୍ରେମୀ ତାଜୁବ୍ ହୋଇଯାଇଥିଲେ। ଡାକ୍ତର ସତ୍ୟନାରାୟଣ କରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ପରେ ଉକ୍ତ ଗାଈର ଅସ୍ତ୍ରୋପଚାର ହୋଇପାରିଥିଲା। ଫଳରେ ଗାଈଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ରାଜ୍ୟ ସରକାର ଏପରି ଦୁର୍ଘଟଣାକୁ ଏଡାଇବା ପାଇଁ ପୂର୍ବରୁ ପଲିଥିନ ନିଷିଦ୍ଧ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ଦେଖିବାକୁ ମିଳୁନାହିଁ। ବ୍ୟାପକ ଭାବେ ଚାଲିଛି ପଲିଥିନ ଜରିର ବ୍ୟବହାର। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ହିଲପାଟଣା ବଡ଼ ସାହିରୁ ଉଦ୍ଧାର ହୋଇଥିବା ଗାଈର ପେଟ ଅସ୍ତ୍ରୋପଚାର ପରେ…। ଏହି କାର୍ଯ୍ୟ କେବଳ ଡାକ୍ତରଙ୍କ ଯୋଗୁଁ ହିଁ ସମ୍ଭବପର ହୋଇପାରିଛି। ଡାକ୍ତରଙ୍କ ସମୟୋଚିତ ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 

brahmpur epa ru narasingh dakua nka report

Leave a Reply

Your email address will not be published. Required fields are marked *