December 23, 2024
Home » ପାରମ୍ପରିକ ରୀତିନୀତିରେ ଆରମ୍ଭ ହେଲା ସାଂସ୍କୃତିକ ଶୋଭାଯାତ୍ରା “ମଣ୍ଡେଇ ୨୦୨୪”

ପାରମ୍ପରିକ ରୀତିନୀତିରେ ଆରମ୍ଭ ହେଲା ସାଂସ୍କୃତିକ ଶୋଭାଯାତ୍ରା “ମଣ୍ଡେଇ ୨୦୨୪”

0

ନବରଙ୍ଗପୁର ୦୬-୧୨-୨୦୨୪ : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଗଣ ପର୍ବ ମଣ୍ଡେଇ୨୦୨୪ ୦୬-୧୨-୨୦୨୪ ତାରିଖ ଶୁକ୍ରବାର ଦିନ ବହୁ ଆଡମ୍ବର ସହିତ ଉଦଘାଟିତ ହୋଇଯାଇଛି । ଉଦଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡକ୍ଟର ଶୁଭଂକର ମହାପାତ୍ର ପ୍ରଥମେ ଭଣ୍ଡାରଘରଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲା ପରେ ପାରମ୍ପରିକ ରୀତିନୀତିରେ ମଶାଲ ପ୍ରଜ୍ଵଳିତ କରାଯାଇଥିଲା । ଉଦଘାଟନି ଉତ୍ସବରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ଅଞ୍ଚଳରୁ ଆସିଥିବା ପାରମ୍ପରିକ ନୃତ୍ୟ ସିଂହ ବଜା, ପାଇକ ଆଖଦ, ବାଲି ଚାଙ୍ଗୁଡା ଓ ଢୋଲ, ଲାଠି କୁର୍ଚି, ଭୀମ ଭୀମଣି, ଘଣ୍ଟ ଶଙ୍ଖ, ଢେମସା, ମାଟି ମନ୍ଦାର, ଖୁଟ ମନ୍ଦାର, ଖଟଲା ବଜା, ରାମ ଲୀଳା, ମାଦଳ ବଜା, ଗୋତି ବଜା, ବାନା ବାଡି, ମାଦଳି, ଘୁମୁରା, ଅଲେଖ ଲୀଳା, କଂଶ ବଦ୍ଧ, ମାଢିଆ, ସଂକୀର୍ତନ, ଧାଙ୍ଗଡି ନାଚ, ପେଟା ପରଶୁ, ହଁସ ନାଟ, ଶବର ଲୀଳା, ଦଣ୍ଡାରୀ, ରେନଯୋଡି, ଗୋରଣ୍ଡୀ ଇତ୍ୟାଦି ସହିତ ପାରମ୍ପରିକ ବାଦ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶୋଭା ଯାତ୍ରା ଭଣ୍ଡାରଘରଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ନବରଙ୍ଗପୁର ସହର ପରିକ୍ରମା କରି ମଣ୍ଡେଇ ପଡିଆ ଠାରେ ପହଞ୍ଚିଥିଲା ।

ଚଳିତ ବର୍ଷର ମଣ୍ଡେଇ ୨୦୨୪ ମଞ୍ଚର ମୁଖ୍ୟ ଆକର୍ଷଣ ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରୀଆଣୀଙ୍କ ମନ୍ଦିର ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ବରେଣ୍ୟ ଅତିଥି ମାନ୍ୟବର ସାଂସଦ ରାଜ୍ୟସଭା ଶ୍ରୀଯୁକ୍ତ ମୁଜ୍ଜିବୁଲ୍ଲା ଖାନ, ମାନ୍ୟବର ବିଧାୟକ ଡାବୁଗାଁ ଶ୍ରୀଯୁକ୍ତ ମନୋହର ରନ୍ଧାରି, ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରି ଶଙ୍କର ମାଝି, ମାନ୍ୟବର ବିଧାୟକ ଝରିଗାଁ ଶ୍ରୀଯୁକ୍ତ ନରସିଂହ ଭତ୍ରା, ମାନ୍ୟବର ପୌରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନୁ ନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ (ରାଜସ୍ଵ), ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରବାନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲାର ସମସ୍ତ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନବରଙ୍ଗପୁର, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲାକା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଅନୁସୂଚିତ ଜାତି ଓ ଜନଜାତି ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁରୀ କାଳୀନ ବିଭାଗ ହିମାଂଶୁ ଶେଖର ପଟ୍ଟନାୟକ, ଓଡ଼ିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜି ସାହୁ, ନିର୍ବାହୀ ଅଧିକାରୀ ପୌରପାଳିକା ନବରଙ୍ଗପୁର ସମରେଶ ମହାନ୍ତି, ବଣିକ ସଂଘର ସଭାପତି କାହ୍ନୁ ଦାସଙ୍କ ସହିତ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏଥିସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉକ୍ତ ଶୋଭାଯାତ୍ରାରେ ବାହାରି ମଣ୍ଡେଇ ପଡିଆ ଠାରେ ପହଞ୍ଚିଥିଲେ ।

ଶୋଭାଯାତ୍ରା ରେ ମଶାଲ ସମେତ ପ୍ରତୀକ ଦେବୀ ଲାଠି, ଚୌକି, ବାଲି ବିହନ ଚାଙ୍ଗୁଡି, ପ୍ରତୀକ ଭୀମ ଭିମାଣି, ପାରମ୍ପରିକ ଢେମଶା, ସାଇଲଡି, ବିଭିନ୍ନ ପାରମ୍ପରିକ ବାଜା ଧ୍ୱନି ତାଳ ଦ୍ବାରା ନବରଙ୍ଗପୁର ସହର ର ମୁଖ୍ୟ ରାସ୍ତା ଦୁଲକି ଥିଲା । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମଦେଇ ଆକର୍ଷଣ ଓଡ଼ିଶା ମୁଖ୍ୟମନ୍ତ୍ରୀ,ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ସହ ମନ୍ତ୍ରିଗଣ ,ସାଂସଦ, ବିଧାୟକଗଣ ସହ ଭଲ ଭଲ କଳାକାର ମାନେ ଆସୁଥିବାରୁ ପ୍ରବଳ ଜନସମାବେଶ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଯାଇଚି । ଏଥିପାଇଁ ୦୪ ଘଣ୍ଟା ସମୟରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଭାରିଯାନ ଗମନାଗମନ ବାରଣ ହୋଇଥିବା ବେଳେ ଚାରି ଚକିଆ ଓ ଦୁଇ ଚକିଆ ପାଇଁ ପାର୍କିଂ ସୁବିଧାର ବ୍ୟବସ୍ଥା କରାଯାଇଛି।

ଭିଆଇପି, ଭିଭିଆଇପିଙ୍କୁ ପ୍ରଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଦର୍ଶକ କାର୍ଯ୍ୟକ୍ରମକୁ ଭଲ ଭାବେ ଉପଭୋଗ କରି ସୁରକ୍ଷିତ ଭାବେ ଘରକୁ ଯେମିତି ପହଞ୍ଚି ପାରିବେ ସେଥିପାଇଁ ଚଳିତ ମଣ୍ଡେଇ ୨୦୨୪ ରେ କୋଡ଼ିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ମଧ୍ୟରୁ ୦୨ ଜଣ ଅତିରିକ୍ତ ଏସପି,୧୦ଜଣ ଡିଏସପି, ଇନ୍ସପେକ୍ଟର, ଏଏସଆଇ, ଗୃହରକ୍ଷୀ ଅଛନ୍ତି। ଏଥିସହ ଚୋରି କୁ ଦୃଷ୍ଟିରେ ରଖି ଚାରିଆଡେ ସିସି କ୍ୟାମେରା ରଖାଯିବା ସହ ମୋନିଟରିଂ ରୁମ୍ ରହିଛି । ସୁରକ୍ଷା ଦଳ ସିଭିଲ ପୋଷାକରେ ଏଥିପାଇଁ ଚତୁଃପାର୍ଶ୍ଵରେ ବୁଲି ତୀକ୍ଷ୍ଣ ନଜର ରଖିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର ପଣ୍ଡା ସୂଚନା ଦେଇଛନ୍ତି ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed