ପାରାଦୀପ ରେ ପ୍ରଧାନମନ୍ତ୍ରୀ ଙ୍କ ୧୨୨ତମ ‘ମନ କୀ ବାତ’ କାର୍ଯ୍ୟକ୍ରମ ଶୁଣିଲେ ରାଜ୍ୟ ଶିଳ୍ପମନ୍ତ୍ରୀ ଓ ଦଳୀୟ କାର୍ଯ୍ୟକର୍ତ୍ତା

ପାରାଦୀପ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨୨ତମ ‘ମନ କୀ ବାତ’ କାର୍ଯ୍ୟକ୍ରମ ରବିବାର ଦିନ ୧୧ ଟା ସମୟରେ ସାରା ଦେଶରେ ପ୍ରସାରିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ପାରାଦୀପ ରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନିଜ ରଙ୍ଗିଗଡ଼ ସ୍ଥିତ ବାସଭବନରେ ସାଧାରଣ ଜନତା ଙ୍କ ସହ ମନ କୀ ବାତ କାର୍ଯ୍ୟକ୍ରମ ଶୁଣିଥିଲେ l ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆଜି ସମଗ୍ର ଦେଶ ଆତଙ୍କବାଦୀ ବିରୁଦ୍ଧରେ ଏକଜୁଟ l ‘ଅପରେସନ ସିନ୍ଦୂର’ ସମୟରେ ଆମର ଯବାନମାନେ ଯେଉଁ ବୀରତ୍ୱ ଏବଂ ପରାକ୍ରମ ଦେଖାଇଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି l ‘ଅପରେସନ ସିନ୍ଦୂର’ ସମଗ୍ର ବିଶ୍ୱରେ ଆତଙ୍କବାଦୀ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଦେଇଛି l ଏହା ହେଉଛି ଆମ ସଂକଳ୍ପ, ସାହସ ଓ ପରିବର୍ତ୍ତିତ ହେଉଥିବା ଭାରତର ଛବି ଏବଂ ଏହି ଛବି ଦେଶବାସୀଙ୍କୁ ଦେଶଭକ୍ତିର ଭାବନାରେ ଭରି ଦେବା ସହ ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇ ଦେଇଛି l ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ଜ୍ଞାନକୌଶଳର ଶକ୍ତିକୁ ଉପଯୋଗ କରି ଆମର ସେନା ଆତଙ୍କବାଦୀ ଆଡ୍ଡାଗୁଡିକୁ ସାହସର ସହ ଧ୍ୱଂସ କରିଛନ୍ତି l ଏହା ‘ଆତ୍ମନିର୍ଭର ଭାରତ’ର ସଂକଳ୍ପକୁ ପ୍ରତିପାଦିତ କରିବା ସହ ‘ଭୋକାଲ୍ ଫର୍ ଲୋକାଲ୍’କୁ ପ୍ରୋତ୍ସାହନ ଯୋଗାଇଛି l ଭାରତ ନିର୍ମିତ ସାମଗ୍ରୀକୁ ବ୍ୟବହାର କରିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି l ଯାହା ଭାରତୀୟ ଅର୍ଥନୀତିକୁ ଆଗକୁ ନେବାରେ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି l
ଏଥିସହ ‘ବଣ୍ୟ ପ୍ରାଣୀ ସଂରକ୍ଷଣ’ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହିତ ଡ୍ରୋନ୍ ଦିଦିଙ୍କ କଥା, ଯୋଗର ଉପାଦେୟତା ଏବଂ ‘ଯୋଗ ଦିବସ’ ପାଳନର ମହତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ୍’ରେ ଉପସ୍ଥାପନା କରିଥିଲେ l ପ୍ରଧାନମନ୍ତ୍ରୀ ‘ସ୍ୱଚ୍ଛ ଭାରତ’ କଥା ପ୍ରକାଶ କରିବା ସହ ମକାଲୁ ପର୍ବତର ଶୀର୍ଷ ସ୍ଥାନକୁ ଆଇଟିବିପି ଟିମ୍ ଙ୍କ ସଫେଇ କରିବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି l ତତସହିତ ପେପର ୱେଷ୍ଟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ l ନିକଟରେ ବିହାରରେ ଅନୁଷ୍ଠିତ ହୋଇଥିବା ‘ଖେଳ ଇଣ୍ଡିଆ ୟୁଥ ଗେମ୍ସ’ ଉପରେ କହିବା ସହ ଓଡ଼ିଶାର ହର୍ଷବର୍ଦ୍ଧନ ସାହୁଙ୍କ ସମେତ ସମସ୍ତ ରାଜ୍ୟର ଖେଳାଳି ଓ ପଦକ ବିଜେତା ମାନଙ୍କ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଭୁୟସୀ ପ୍ରଶଂସା କରିଛନ୍ତି l ମେ’ ୨୦ ତାରିଖରେ ପାଳିତ ହୋଇଥିବା ‘ବିଶ୍ୱ ମହୁମାଛି ଦିବସ’ ଏବଂ ଭାରତର ‘ମଧୁ ମିଶନ’ ସମ୍ପର୍କରେ ସେ ପ୍ରକାଶ କରିବା ସହ ମହୁ କିପରି ଦେଶରେ ସ୍ୱାସ୍ଥ୍ୟ, ଆତ୍ମନିଯୁକ୍ତି ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଉଛି, ତାହା ଉପସ୍ଥାପନ କରିଥିଲେ l
ତେବେ ଏହି କାର୍ଯ୍ୟକ୍ରମ କୁ ପୌରାଞ୍ଚଳର ବିଭିନ୍ନ ୱାର୍ଡ ରେ ଦଳୀୟ କର୍ମକର୍ତ୍ତା ଓ କର୍ମୀ ସମବେତ ହୋଇ ଶୁଣିଥିବା ବେଳେ ପାରାଦୀପ ବିଜେପି କାର୍ଯ୍ୟାଳୟରେ ମଣ୍ଡଳ ସଭାପତି ସୁବ୍ରତ ପ୍ରଧାନ ଓ ମନ୍ତ୍ରୀ ଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ ବହୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଙ୍କ ଗହଣରେ ଏହି ମନ କୀ ବାତ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଦେଖିଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )