February 25, 2026
Home » ପାଳି ପାଳି କରି ନାବାଳିକା ଛାତ୍ରୀଙ୍କୁ ତିନିଜଣ ଶିକ୍ଷକଙ୍କ ଦୁଷ୍କର୍ମ

ପାଳି ପାଳି କରି ନାବାଳିକା ଛାତ୍ରୀଙ୍କୁ ତିନିଜଣ ଶିକ୍ଷକଙ୍କ ଦୁଷ୍କର୍ମ

0
WhatsApp Image 2026-02-23 at 9.44.41 PM

 

ଭୁବନେଶ୍ୱର :  ବିଜେପି ସରକାର ଆସିଲା ଦିନଠାରୁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତ୍ୟେକ ଦିନ ଅହେତୁକ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନିର୍ଯାତନା, ଆତ୍ମହୁତି ଏବଂ ନିଖୋଜ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଅସୁରକ୍ଷିତ ନାରୀଙ୍କ ସମସ୍ୟାକୁ ନେଇ ପିସିସିର ବରିଷ୍ଠ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବର୍ତ୍ତମାନ ସରକାରର ଅପାରଗତାର ଗାଥା ବର୍ଣ୍ଣନା କରିଛନ୍ତି । ଶ୍ରୀମତୀ ସାହୁ କହିଛନ୍ତି ଯେ, ବର୍ତମାନ ବିଧାନସଭା ଚାଲିଛି ଏବଂ ସଭାରେ ମହିଳାଙ୍କ ଉନ୍ନତି ପାଇଁ ମାଳ ମାଳ ଯୋଜନା ଘୋଷଣା ଚାଲିଥିବା ବେଳେ ଭଦ୍ରକ ଜିଲ୍ଲାର ବିଜୟଲକ୍ଷ୍ମୀ ଚାକିରୀ ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରି ନିରାଶ ହେଲାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହୂତି ଉଦ୍ୟମ କରିଛନ୍ତି । ସେହିଭଳି ଜଣେ ଯୁବତୀଙ୍କୁ ଭୁବନେଶ୍ୱର ଠାରେ ଏକ ଆଇଆରଏସ ଅଫିସର ଆପତ୍ତିଜନକ ଫଟୋ, ଭିଡିଓ ଉଠାଇ ଏବଂ ଏହା ମାଧ୍ୟମରେ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରିଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅଞ୍ଚଳରେ ଥିବା ଅକ୍ସଫୋର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟିକରି ଓଡ଼ିଶାକୁ ଲଜ୍ଜିତ କରିଛି । ଏଠାରେ ଏକ ୭ମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ତିନିଜଣ ଶିକ୍ଷକ ପାଳିକରି ଦୁଷ୍କର୍ମ କରୁଥିଲେ । ଏହି ଘଟଣାରେ ଜଣେ ଶିକ୍ଷୟତ୍ରୀ ଓ ଜଣେ ପିଅନ ସହାୟତା କରୁଥିଲେ । ଏହା କଣ ବିଜେପି ଦଳର ଗୁରୁ ପରମ୍ପରା ଶିକ୍ଷା? ଗୁରୁ ପୂର୍ଣ୍ଣିମାକୁ ଧୁମଧାମରେ ପାଳନ କରୁଥିବା ଆରଏସଏସ ଏହି ଘଟଣା ଉପରେ ନୀରବ କାହିଁକି? ଅନ୍ୟ କୌଣସି ରାଜ୍ୟରେ ଓଡ଼ିଆ ଝିଅ ଦୁଷ୍କର୍ମର ଶିକାର ହେଲେ ମୁଖ୍ୟମନ୍ତ୍ରୀ ଫୋନରେ କଥା ହୋଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । ତେବେ ନିଜ ରାଜ୍ୟରେ ଘଟିଥିବା ଅତ୍ୟନ୍ତ ପୀଡ଼ଦାୟକ ଘଟଣାରେ ଭେଟିବା ତ ଦୁର କଥା ଫୋନଟିଏ ମଧ୍ୟ କେମିତି କରିପାରୁ ନାହାନ୍ତି? ଠେଙ୍ଗା ବିଧାୟକଙ୍କ ମଧ୍ୟ ଦେଖାଦର୍ଶନ ନାହିଁ । ଗାଈଙ୍କୁ ମାତା କହି ସୁରକ୍ଷା ପାଇଁ ଗଣ୍ଡଗୋଳ ସୃଷ୍ଟି କରୁଥିବା ବଜରଙ୍ଗ ଦଳ ମଧ୍ୟ ଗାୟବ । ତେବେ କେତେ ବଡ଼ ଗର୍ହିତ ଦୁଷ୍କର୍ମ ଘଟିଗଲା କିନ୍ତୁ ବିଜେପି ସରକାର ଉଁ ଚୁଁ ମଧ୍ୟ କରୁନାହିଁ କାହିଁକି? ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବିଦ୍ୟାଳୟ ସହିତ ବିଜେପି ନେତା ତଥା ଆଳିର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ନିଶ୍ଚୟ ସମ୍ପର୍କ ଅଛି । ହୁଏତ ତାଙ୍କ ସମ୍ପର୍କ ଉଜାଗର ହୋଇ ଯାଇପାରେ ବୋଲି ସରକାର ମୁହଁ ବନ୍ଦ କରି ଦେଇନାହାନ୍ତି ତ? ସାଧାରଣତଃ କୌଣସି ବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟରେ କିଛି କାର୍ଯ୍ୟକ୍ରମ ହେଲେ ସେଠାକାର ବିଧାୟକ, ସାଂସଦ, ଜିଲ୍ଲାପାଳ ଆଦିଙ୍କୁ ଅତିଥିରୂପେ ନିମନ୍ତ୍ରଣ କରା ଯାଇଥାଏ । କିନ୍ତୁ ଏହି ସ୍କୁଲ ଏକ ବ୍ୟତିକ୍ରମ । ଏହି ସ୍କୁଲ ତାର କାର୍ଯ୍ୟକ୍ରମରେ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀଙ୍କୁ ମୁଖ୍ୟ ଅତିଥି କରିଥିଲା ଏବଂ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ହୋଇ ସ୍କୁଲର ପ୍ରଶସ୍ତିଗାନ କରି ଗୁରୁକୂଳ ଆଶ୍ରମ ବୋଲି ଅଭିହିତ କରି ଦର୍ଶକଙ୍କୁ ନିଜ ପିଲାଙ୍କ ପ୍ରବେଶ ପାଇଁ ପ୍ରରୋଚିତ କଲା ଭଳିଆ ଭାଷଣ ଦେଇଥିଲେ । ଯାହାର ଭିଡିଓ ଓ ଫୋଟୋ ପ୍ରମାଣ ଅଛି l ଏହି ଘଟଣାରେ ସରକାର କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଛି ଏହା ସ୍ୱାଗତଯୋଗ୍ୟ । କଂଗ୍ରେସ ଦାବି କରୁଛି ଅନୁସନ୍ଧାନ ପରିଧିରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସାମିଲ କରାଗଲେ ସମସ୍ତ ଗୁମର ଫିଟିବ ଓ ଏହା ଗୋଟିଏ ଘଟଣା ନା ଏଭଳି ଅନେକ ଘଟଣା ଘଟି ଅନେକ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି ଯାଞ୍ଚ କରନ୍ତୁ । ପୀଡ଼ିତାଙ୍କ ମା’ ଓ ପରିବାର ଭୟଭିତ ଅବସ୍ଥାରେ ଅଛନ୍ତି । ସେମାନଙ୍କ ସାମାଜିକ ସୁରକ୍ଷାର ଦାୟିତ୍ୱ ସରକାର ନିଅନ୍ତୁ ।
ଓଡ଼ିଶାର ସାଧାରଣ ଜନତା ପ୍ରଶ୍ନ ପଚାରୁଛନ୍ତି ଯେ, ନାରୀଙ୍କ ପାଇଁ ପୁଞ୍ଜା ପୁଞ୍ଜା ଯୋଜନା ସରକାର କରୁଥିବା ବେଳେ ସାଧାରଣ ସୁରକ୍ଷାଟିଏ କେମତି ଯୋଗାଇ ପାରୁନାହିଁ । ଯେଉଁଠି କନ୍ୟାକୁ ସୁରକ୍ଷା ଦେବାରେ ବିଫଳ ସେଠି କନ୍ୟା ବିବାହ ଯୋଜନା କରାଯାଉଛି । ଦୁର୍ଭାଗ୍ୟର ବିଷୟ ବିଜେପି ସାଂସଦ ନିଜ ଝିଅ ବାହାଘର ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାରା ରାଜ୍ୟର ଝିଅଙ୍କ ବାହାଘର ପାଇଁ ମାତ୍ର ୧୨ କୋଟିର ବ୍ୟବସ୍ଥା ଅଛି । ଏହା ଆମ କନ୍ୟା ମାନଙ୍କ ପାଇଁ ଅପମାନ ନୁହେଁକି? ଆଜି ରାସ୍ତାଘାଟ, ସ୍କୁଲ, କଲେଜ, ମଲ, ବଜାର ଇତ୍ୟାଦି ସର୍ବସାଧାରଣ ସ୍ଥାନ ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ । ଯଦି ନିର୍ଭୟା ଫଣ୍ଡର ସଠିକ ବିନିଯୋଗ ହୋଇଥାନ୍ତା ତାହାହେଲେ ହୁଏତ ଝିଅମାନେ ସୁରକ୍ଷିତ ହୁଅନ୍ତେ । ଯଦି ବେଟି ବଚାଅ ବେଟି ପଢ଼ାଅ କାର୍ଯ୍ୟକ୍ରମକୁ ସଠିକରୂପେ କାର୍ଯ୍ୟକାରୀ କରିଥାନ୍ତେ ଏବେ ମଧ୍ୟ ଝିଅମାନେ ସୁରକ୍ଷିତ ଥାନ୍ତେ । ଏହି କାର୍ଯ୍ୟକ୍ରମ ପାଇଁ ୨୦୧୭-୧୯ ଭିତରେ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ୪୪୬ କୋଟି ୭୨ ଲକ୍ଷ ଟଙ୍କା ଅନୁଦାନ ରିଲିଜ ହୋଇଥିଲା । ମାତ୍ର ଅତି ଦୁର୍ଭାଗ୍ୟର କଥା କେବଳ ପ୍ରଧାନମନ୍ତ୍ରୀଙ୍କ ବିଜ୍ଞାପନ ପାଇଁ ୩୫୨ କୋଟି ୪୬ ଲକ୍ଷ ଟଙ୍କା ଅର୍ଥାତ ମୋଟ ଅନୁଦାନ ଅର୍ଥର ୭୮.୯୧% ଖର୍ଚ୍ଚ ହୋଇଥିଲା । ଏଥିରୁ ବଳି ନାରୀଙ୍କ ପ୍ରତି ଅପମାନ କ’ଣ ହୋଇଥାଇପାରେ ।
ହଜାର ହଜାର ଝିଅ ନିଖୋଜ ହୋଇଯାଉଛନ୍ତି । ସରକାର କୌଣସି ପତ୍ତା ପାଉନାହାନ୍ତି । ଏହି ଝିଅମାନେ କୁଆଡ଼େ ନିଖୋଜ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଏପଷ୍ଟିନ ମନ୍ତ୍ରୀ ହରଦିପ ସିଂ ପୁରୀଙ୍କୁ ଟିକିଏ ଜଣାଇବେକି? ଦୁଷ୍କର୍ମ ମହାମାରୀ ଭଳିଆ ବ୍ୟାପିବାରେ ଲାଗିଛି । ନାରୀ ନିର୍ଯାତନା ପାଇଁ ଦେଶ ବିଦେଶରେ ଓଡ଼ିଶାର ମୁଣ୍ଡ ତଳକୁ ହୋଇଗଲାଣି । ତେଣୁ କଂଗ୍ରେସ ଦାବି କରୁଛି ସରକାର କଡ଼ାକଡ଼ି ଭାବରେ କନ୍ୟା ସୁରକ୍ଷା ଯୋଜନା ଲାଗୁ କରନ୍ତୁ ଏବଂ ଆମ ମା’ ଭଉଣୀଙ୍କ ଉପରେ ଘଟୁଥିବା ଅତ୍ୟାଚାର ଉପରେ ସଂପୂର୍ଣ୍ଣ ବିରାମ ପକାନ୍ତୁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *