ପୁନର୍ବାର ୧୩ ଦଫା ଦାବୀ ଦୋହରାଇଲା “ଓମ୍ସା’
ବାଲେଶ୍ୱର:-ମନ୍ତ୍ରୀ ଓ ସଚିବଙ୍କ ସହ ୫ ଥର ରୁ ଅଧିକ ଆଲୋଚନା ହେଲାଣି। ଗତବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ସଭାରେ ସରକାର ବାରଶହ ଡାକ୍ତରଙ୍କ ଉପସ୍ଥିତିରେ ନାର୍ଯ୍ୟଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ। ହେଲେ ଏବେ ପୁଣି କଳାପୋଷାକ ପିନ୍ଧି ଆନ୍ଦୋଳନ ଜାରୀ ରଖିଛନ୍ତି ଓମ୍ସାର ସଦସ୍ୟମାନେ। ସୁଫଳ ମିଳିନାହିଁ ତେଣୁ ସଂଗଠନ ନିକଟରେ ଦୁଇଟି ପନ୍ଥା ରହିଛି। ପ୍ରଥମତଃ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଅନ୍ୟଟି ତୀବ୍ର ଆନ୍ଦୋଳନ। ଏ ନେଇ ଜିଲ୍ଲା ଶାଖା ସଭାପତି ଡାକ୍ତର ସରୋଜ କୁମାର ରଥ ଓ ସମ୍ପାଦକ ଡାକ୍ତର ଦିଲ୍ଲୀପ କୁମାର ପାତ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଅସହଯୋଗ ପାଇଁ ଚେତାବନୀ ଶୁଣାଇଛନ୍ତି। କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ବିନା ସର୍ତ୍ତାବଳୀ ସହିତ ଦନ୍ତ ଚିକିତ୍ସକଙ୍କ ପାଇଁ ଲାଗୁ, ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗଙ୍କ ଭଳି ପେଷ୍ଟଚର ଓ ଡିଏସିପି ଦରମା ନିର୍ଦ୍ଧାରଣ ବେଳେ ୧୫ ସ୍ତରକୁ ବାଦ୍ ଦିଆଯିବା ଓଏମ୍ଏଚ୍ଏସ୍ ଓ ଦନ୍ତ ଚିକିତ୍ସକଙ୍କ କ୍ୟାଡର ପୁର୍ନବିନ୍ୟାସ, କେବିକେ ଅଞ୍ଚଳରେ ୫ ବର୍ଷରୁ ଅଧିକ ସମୟ ଥିବା ଡାକ୍ତରଙ୍କୁ ଉପକୂଳବର୍ତ୍ତୀ ଜିଲ୍ଳାକୁ ଆଣିବା, ବିଶେଷଜ୍ଞ ଡିପ୍ଲୋମାଧାରିଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି, ପ୍ରଶାସନିକ ପଦବୀରେ ଥିବା ଡାକ୍ତରଙ୍କୁ ପ୍ରଶାସନିକ ପ୍ରୋତ୍ସାହନ ରାଶି ପ୍ରଦାନ, ଶବ ବ୍ୟବଛେଦ ରାଶି ବୃଦ୍ଧି, ଖାଲି ପଦବୀ ପୂରଣ ସହ ପ୍ରତିବର୍ଷ ପଦୋନ୍ନତୀ କମିଟି ବସାଇ ପଦୋନ୍ନତୀ ପ୍ରଦାନ, କାର୍ଯ୍ୟରତ ଡାକ୍ତରଙ୍କୁ କଡା ସୁରକ୍ଷା ଦିଆଯିବା, ସଙ୍କଟପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ, ସବୁ ଚିକିତ୍ସାଳୟରେ ବାସଗୃହ ନିର୍ମାଣ, ଏଡିଏଚ୍ଓସି ଡାକ୍ତରମାନଙ୍କୁ ନିୟମିତ ଓ ଚାକିରୀକାଳକୁ ଡିଏସିପି ରେ ଗଣନା ଆଦି ଦାବୀ ଅନ୍ତର୍ଭୁକ୍ତ। ଅନ୍ୟମାନଙ୍କ ମଧ୍ୟରେ ଓମ୍ସାର ଜିଲ୍ଳା ଅଧ୍ୟକ୍ଷ ଡାକ୍ତର ପ୍ରଭାତ କୁମାର ବେହେରା, କୋଷାଧ୍ୟକ୍ଷ ଡାକ୍ତର ସୂର୍ଯ୍ୟପ୍ରକାଶ ରାଉତରାୟ, କାର୍ଯ୍ୟନିର୍ବାହୀ ସଦସ୍ୟ ଡ. କମଳାକାନ୍ତ ଜେନା, ଡ. ସୁବାଷ ଚନ୍ଦ୍ର ଦାଶ,ଡ. ଅନୁଜ ଭଟ୍ଟ, ଉପଦେଷ୍ଟା ଡ. ପରେଶ କୁମାର ନନ୍ଦୀ, ଡ. ପ୍ରଦୀପ କୁମାର କର, ଡ. ଅମୂଲ୍ୟ କୁମାର ଦାଶ, ଡ ମନୋଜ କୁମାର ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
