February 6, 2026
Home » ପୁରୀ ପୌରପାଳିକା କୁ ମହାନଗର ର ମାନ୍ୟତା

ପୁରୀ ପୌରପାଳିକା କୁ ମହାନଗର ର ମାନ୍ୟତା

0
WhatsApp Image 2026-01-10 at 7.37.30 AM

ରାଜ୍ୟ ସରକାର ପୁରୀ ପୌରପାଳିକା କୁ ମହାନଗର ର ମାନ୍ୟତା ଦେଇଛନ୍ତି। ଏ ନେଇ ସରକାରୀ ସ୍ତରରେ ଗେଜେଟ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇ ସାରିଛି। ଜଗନ୍ନାଥ୍ ଧାମ ତଥା ପର୍ଯ୍ୟଟନ କ୍ଷେତ୍ର ପୁରୀ କୁ ଏକ ବୃହତ୍ ସହର ତଥା ଗ୍ରେଟର ପୁରୀ ଗଠନ ନେଇ ରାଜ୍ୟ ସରକାର ଙ୍କ ପରିକଳ୍ପନା ରହିଚି। ଯେହେତୁ ପୁରୀ କୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ, ଶ୍ରଦ୍ଧାଳୁ ଆସୁଛନ୍ତି ପୁରୀ ସହର ଭିତ୍ତିଭୂମି ବୃଦ୍ଧି ପାଇଁ ରାଜ୍ୟ ସରକାର ଙ୍କ ଯୋଜନା ରହିଛି। ଯାହା ଫଳରେ ପୁରୀ ସହର ବାସୀ ଉପକୃତ ହେବା ସହ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଉପକୃତ ହୋଇପାରିବେ। ପୁରୀ ମହାନଗର ନିଗମ ହେଲେ ଅଧିକ ଆର୍ଥିକ ଅନୁଦାନ ଆସିବ। ଏହା ଦ୍ଵାରା ରାସ୍ତା ଘାଟ , ସ୍ୱେରେଜ୍, ପାନୀୟ ଜଳ ଯୋଗାଣ, ଆଲୋକିକରଣ ବ୍ୟବସ୍ଥା ସମେତ ପର୍ଯ୍ୟଟକ ଙ୍କ ସୁବିଧା ପାଇଁ ଅଧିକ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନତ ହୋଇ ପାରିବ। ଏହା ଦ୍ଵାରା ଅଧିକ ରୁ ଅଧିକ ପର୍ଯ୍ୟଟକ ପୁରୀ ଆସିବେ। ପୁରୀ ର ପର୍ଯ୍ୟଟନ ଶିଳ୍ପ ର ଅଭିବୃଦ୍ଧି ଘଟିବ। ଲୋକ ମାନେ ଅଧିକ ରୋଜଗାର ପାଇବେ। ସରକାର ମଧ୍ୟ ଅଧିକ ରାଜସ୍ବ ପାଇବେ। ତେବେ ରାଜ୍ୟ ରେ କଟକ, ଭୁବନେଶ୍ଵର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ପରେ ପୁରୀ କୁ ମହାନଗର ନିଗମ ମାନ୍ୟତା ଦେଇଛନ୍ତି। ପୁରୀ ରେ ମଧ୍ୟ ମେୟର ନିର୍ବାଚନ ହେବ। ସବୁ ୱାର୍ଡ ରେ କର୍ପୋରେଟର ରହିବେ। ପୁରୀ ପୌରପାଳିକା ର ୩୨ ଟି ୱାର୍ଡ ସହିତ ସଦର ଉପକଣ୍ଠ ର ୩୪ ଟି ରାଜସ୍ୱ ଗ୍ରାମ କୁ ମିଶାଇ ପୁରୀ ମହାନଗର ନିଗମ ଗଠନ ହେବ। ଏହି ୩୪ ଟି ଅଞ୍ଚଳ ରେ ମଧ୍ୟ ଉନ୍ନତ ରାସ୍ତାଘାଟ, ଡ୍ରେନଜ, ସ୍ୱେରେଜ, ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ରାସ୍ତା ଅଲୋକିକରଣ ହେବ। ପ୍ରତ୍ୟେକ ଲୋକ ଙ୍କ ଘରୁ ଆବର୍ଜନା ସଂଗ୍ରହ ହେବ।ଏକ ସୁନ୍ଦର ସହର ଗଢି ଉଠିବ। ମହାନଗର ନିଗମ ର ବଜେଟ ବୃଦ୍ଧି ପାଇବ। ଫଳରେ ବିଭିନ୍ନ ଯୋଜନା ର ଅନୁଦାନ ରାଶି ବୃଦ୍ଧି ପାଇବ। ଯାହାକି ସହର ବାସୀ ଙ୍କୁ ଉନ୍ନତ ଓ ଆଧୁନିକ ସୁବିଧା ମାନ ମିଳିବ। ଯାହାକୁ ନେଇ ଲୋକ ଙ୍କ ଭିତରେ ନୂଆ ଖୁସି ଓ ଉନ୍ମାଦନା ଦେଖାଦେଇଛି।


ପୁରୀ ମହାନଗର ନିଗମର ପ୍ରତିଷ୍ଠା ସଫଳ ହେଲେ ଶ୍ରୀକ୍ଷେତ୍ର ଚାରିପାର୍ଶ୍ଵ ରେ ଗଢି ଉଠିଥିବା ଜନବସତି ର ଉନ୍ନତି ହେବ। ପର୍ଯ୍ୟଟନ ଭିତ୍ତିଭୂମି ର ବିକାଶ ହେବ। ପୁରୀ କୁ ଟ୍ରାଇ ସିତି ରେ ସାମିଲ କରାଯିବ। ପୁରୀ ଜିଲ୍ଲା ର ଅସ୍ତରଙ୍ଗ ରେ ବନ୍ଦର ପ୍ରତିଷ୍ଠା, ପୁରୀ ରୁ କୋଣାର୍କ ରେଳ ଲାଇନ, କୋଷ୍ଟାଲ ହାଇୱେ , ବିମାନ ବନ୍ଦର କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ପୁରୀ ମହାନଗର ନିଗମ କୁ ବାଣିଜ୍ୟିକ ପେଣ୍ଠସ୍ଥଳୀ ରେ ପରିଣତ କରିବ। ଫଳରେ ଧାର୍ମିକ ରାଜଧାନୀ ପୁରୀ ପର୍ଯ୍ୟଟନ ସାଙ୍ଗକୁ ଏକ ବାଣିଜ୍ୟିକ ହବ୍ ରେ ପରିଣତ ହେବ। ଲୋକ ଙ୍କୁ ଅଧିକ ନିଯୁକ୍ତି ଓ ସ୍ବାବଲମ୍ବୀ ହେବାରେ ସୁଯୋଗ ମିଳିବ। ଅଧିକ ହାଟ, ବଜାର, କମ୍ପ୍ଲେକ୍ସ, ସିନେମାଘର, ପାର୍କ ର ସୁବିଧା ମିଳିବ।

ପୁରୀ ମହାନଗର ନିଗମ ର ପୂର୍ବରେ ବେଲଦଳ, ଉର ଓ ଦୋହିତାଖଣ୍ଡା, ପଶ୍ଚିମରେ ଗୋରୁଆଳ, , ଉତ୍ତରରେ ମାଳତିପାଟପୁର ବସଷ୍ଟାଣ୍ଡ ଓ ଦକ୍ଷିଣରେ ବଙ୍ଗୋସାଗର ରହିବ। ପୁରୀ ସଦର ବ୍ଳକ ବଳିଗୁଆଳି ପଞ୍ଚାୟତ ଅନ୍ତର୍ଗତ ବାଲୁଖଣ୍ଡ, ସମଙ୍ଗରା ପଞ୍ଚାୟତର ସମଙ୍ଗରା, ବେଲଦଳ ପଞ୍ଚାୟତ ର ମୋହିନୀପୁର, ଆଳତୁଙ୍ଗା ଓ ଆଳଙ୍ଗା ପୁରୀ ମହାନଗର ନିଗମ ଅଞ୍ଚଳ ରେ ସାମିଲ ହେବ। ସେହିପରି ଗୋପୀନାଥପୁର ପଞ୍ଚାୟତ ର ଅଠରନଳା, ଆଲିଆସ ସମଙ୍ଗ, ଗୋପୀନାଥପୁର ଆଲିଆସ ରାଉତରାପୁର, କାଶୀହରିପୁର ପଞ୍ଚାୟତ ର କାଶୀହରିପୁର, ଶିରେଇକଣା ନାଟଣା, ଭାରତୀପୁର, କଦଳୀବାରିପାଟଣା, ଆଳିକିଆ, ଚକ୍ରବର୍ତ୍ତୀ, ଅଠରନଳା ଆଲିଆସ ଜିତିକର ମୁଦୁଲିପାଟଣା ଓ ବାସ୍ତୁ ରାଜସ୍ବ ଗ୍ରାମ କୁ ଏଥିରେ ସାମିଲ କରାଯାଇଛି। ବିରହରେକୃଷ୍ଣପୁର ପଞ୍ଚାୟତ ର ହରେକୃଷ୍ଣପୁର, ରାହାଙ୍ଗୀରିଆ, ଜଗନ୍ନାଥପୁରବଲ୍ଲଭ, ବାଟଗାଁ, ଉତ୍ତରସରପଡ଼ା, ରେଣ୍ଡୁଅ, ପୁରୁଷୋତ୍ତମପୁର, ସମଙ୍ଗ ପଞ୍ଚାୟତ ର ସମଙ୍ଗ, ଖଡ଼ିପଦା, ରେବତୀରମଣ, ଶଙ୍କରପୁର, ସୁନାମୁହିଁ, କାଶୀଜଗନ୍ନାଥପୁର, ରାଜସ୍ୱଗ୍ରାମ କୁ ପୁରୀ ମହାନଗର ନିଗମ ରେ ସାମିଲ କରାଯାଇଛି। ଶାସନଦାମୋଦରପୁର ପଞ୍ଚାୟତ ର ଉତ୍ତରକଣା, ସିରେଇକଣା, ଗଧିଆ ପାଟଣା, ନରସିଂହବଲ୍ଲଭ, ଏବଂ ବ୍ରହ୍ମଗିରି ବ୍ଲକ୍ ଗୋରୁଆଳ ପଞ୍ଚାୟତ ର ସିପସରୁବାଲି ରାଜସ୍ବ ଗ୍ରାମକୁ ପୁରୀ ମହାନଗର ନିଗମ ଅଞ୍ଚଳ ଭିତରେ ସାମିଲ କରାଯାଇଛି।

ପୁରୀ ର ବାସିନ୍ଦା ତଥା ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ର ସଭାପତି ଶ୍ରୀମନ୍ତ କୁମାର ଦାଶ ନିଜ ପ୍ରତିକ୍ରିୟାରେ କୁହନ୍ତି, ପର୍ଯ୍ୟଟନ କ୍ଷେତ୍ର ତଥା ଜଗନ୍ନାଥ୍ ଧାମ କୁ ସରକାର ମହାନଗର ନିଗମ ର ମାନ୍ୟତା ଦେଇଥିବାରୁ ଆମେ ସବୁ ପୁରୀ ବାସିନ୍ଦା ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରୁଚୁ। ଆମେ ବହୁ ବର୍ଷ ହେବ ପୁରୀ କୁ ମହାନଗର ନିଗମ ମାନ୍ୟତା ଦେବା ନେଇ ଦାବି କରିଆସୁଥିଲୁ। ଏହାର ପୁରଣ ହୋଇ ଥିବାରୁ ଏହାକୁ ଆମେ ସ୍ବାଗତ କରୁଚୁ। ପୁରୀ କୁ ଦିନ କୁ ଦିନ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ପୁରୀ ମହାନଗର ନିଗମ ମାନ୍ୟତା ପାଇଥିବାରୁ ପୁରୀ ସହର ଭିତ୍ତିଭୂମି ବିକାଶ ହେବ। ଏହା ଦ୍ଵାରା ଆଗାମୀ ଦିନରେ ପୁରୀ କୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ହେବ। ପର୍ଯ୍ୟଟନ ସହିତ ଜଡ଼ିତ ବ୍ୟବସାୟୀ ମାନେ ବେଶ୍ ଉପକୃତ ହେବେ। ଅଧିକ ଆର୍ଥିକ ଅନୁଦାନ ଆସିବ। ସହର ର ଭିତ୍ତିଭୂମି ବିକାଶ ସହ ସ୍ୱଚ୍ଛତା ବି ବଜାୟ ରହିବ । ଏହା ଦ୍ଵାରା ପୁରୀ ସହର ଅଧିକ ସରସ ସୁନ୍ଦର ହେବା ସହ ବିଦେଶୀ ପର୍ଯ୍ୟଟକ ଙ୍କୁ ଅଧିକ ଆକୃଷ୍ଟ କରିବ।କିଛି ଦିନ ତଳେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ଅନୁଷ୍ଠାନ ସହଯୋଗ ରେ ଜାପାନ ର କିଓତୋ ରୁ ଏକ ଟିମ୍ ଆସି ପୁରୀ ପୌର ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ପୁରୀ ସହର ରେ ଜାପାନ ଜ୍ଞାନ କୌଶଳ ରେ କିଭଳି ଭିତ୍ତିଭୂମି ଉନ୍ନତି ହୋଇ ପାରିବ ସେ ନେଇ ଆଲୋଚୋନା ହୋଇଚି। ରାଜ୍ୟ ସରକାର ଚାହିଁଲେ ଇଣ୍ଡିଆ ଜାପାନ ଫେଣ୍ଡସିପ ସେଣ୍ଟର ଉଦ୍ୟମ ରେ ଜାପାନ ତୋତୋରି ସରକାର ଙ୍କ ସହ ଆଲୋଚନା କରାଯାଇ ଜାପାନ ଜ୍ଞାନ କୌଶଳ ରେ ପୁରୀ ମହାନଗର ନିଗମ ର ବିକାଶ ହୋଇ ପାରିବ। ବୁଦ୍ଧିଜୀବି ସିଦ୍ଧାର୍ଥ ରାୟ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ କୁ ମହାନଗର ନିଗମ ରେ ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରିବା ଆମ ପୁରୀ ବାସୀ ଙ୍କ ପାଇଁ ଏକ ନୂଆ ବର୍ଷ ଉପହାର। ତେବେ ମହାନଗର ହେବାକୁ ହେଲେ ସେହି ଅନୁଯାୟୀ ଭିତ୍ତିଭୂମି ଉନ୍ନତ ହେବା ଦରକାର। ବିଶେଷକରି ପୁରୀ ମହାନଗର ନିଗମ ରେ ସାମିଲ ହୋଇଥିବା ଗ୍ରାମାଞ୍ଚଳ ଗୁଡ଼ିକ ର ବିକାଶ ମୁଖ୍ୟ ଚ୍ୟାଲେଞ୍ଜ ରହିବ। ପୁରୀ କୁ ଦିନ କୁ ଦିନ ପର୍ଯ୍ୟଟକ, ଭକ୍ତ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ସେମାନଙ୍କ ରହିବା, ପରିମଳ, ସ୍ବାସ୍ଥ୍ୟ ସେବା ମୁଖ୍ୟ ଚ୍ୟାଲେଞ୍ଜ ରହିବ। ଏହି ସବୁ କୁ ଦୃଷ୍ଟି ଦିଆଯିବା ଦରକାର। ନ ହେଲେ ମହାନଗର ନିଗମ ଘୋଷଣା କରିଦେଲେ କିଛି ଲାଭ ହେବ ନାହିଁ। ପୁରୀ ଯେହେତୁ ଏକ ପୁରୁଣା ସହର। ଏଠାରେ ରାସ୍ତା ବହୁତ୍ ଅଣ ଓସାରିଆ। ଏହାର ଉନ୍ନତି ହେବା ଦରକାର। ଏହା ସହିତ ପରିମଳ, ସ୍ବାସ୍ଥ୍ୟ ସେବା, ଆଲୋକିକରଣ ଏହି ସବୁ କୁ ସୁଦୃଢ଼ ଉପରେ ଗୁରୁତ୍ବ ଦିଆଯିବା ଦରକାର।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *